ପେପର ପ୍ଲେଟ୍ ଓ ଧୂପକାଠି ବ୍ୟବସାୟ ଦେଇଛି ପରିଚୟ । ନିଯୁକ୍ତି ପାଉଛନ୍ତି ଗାଁ ମହିଳା । 

183

କନକ ବ୍ୟୁରୋ:  ମହିଳାଙ୍କୁ ଆତ୍ମନିର୍ଭର କରୁଛି ପେପର ପ୍ଲେଟ୍ ଓ ଧୂପକାଠି ବ୍ୟବସାୟ । ମେସିନ୍ ସାହାଯ୍ୟରେ ପେପର ପ୍ଲେଟ୍ ପ୍ରସ୍ତୁତ କରୁଛନ୍ତି ମହିଳା । ଘର କାମ ସାରି କିଛି ରୋଜଗାର କରିବା ଆଶାରେ ମହିଳା ମାନେ ଏକାଠି ହୋଇ ଏହି କାମରେ ନମୋନିବେଶ କରିଛନ୍ତି । କିଏ ଧୂପକାଠି ପ୍ରସ୍ତୁତ କରୁଛି ତ ପୁଣି କିଏ ଏହାକୁ ପ୍ୟାକିଂ କରୁଛି । କେନ୍ଦ୍ରାପଡା ବଲିକୁଦା ଗାଁର ଅମିନା ସାହୁ ଏଭଳି ଏକ ସୁନ୍ଦର ପ୍ରୟାସ ଆରମ୍ଭ କରି ମହିଳାଙ୍କୁ ଆତ୍ମନିର୍ଭର କରାଇଛନ୍ତି । ଦୃଢ ମନବଳ ଏବଂ ଆଗକୁ ବଢିବାର ସ୍ୱପ୍ନ ଯୋଗୁ ତାଙ୍କୁ ଜଣେ ସଫଳ ଉଦ୍ୟୋଗୀ ଭାବେ ପରିଚୟ ଦେଇଛି  । ଯାହାଦ୍ୱାରା ଆର୍ଥିକ ଓ ସାମାଜିକ ସ୍ତରରେ ସଶକ୍ତ ହେଉଛନ୍ତି ପଡ଼ୋଶୀ ମହିଳା ।

ଓଡିଶା ଜୀବିକା ମିଶନ ସହାୟତାରେ ୩ଲକ୍ଷ ଟଙ୍କାର ରୁଣ ନେଇ ଆରମ୍ଭ କରିଥିଲେ ପେପର ପ୍ଲେଟ୍ ଓ ଧୂପକାଠି ବ୍ୟବସାୟ । ଏହି ବ୍ୟବସାୟ ଏବେ ୫ଲକ୍ଷ ଟଙ୍କାରେ ପହଂଚିଲାଣି । ପ୍ରସ୍ତୁତ ହେଉଥିବା ପେପର ପ୍ଲେଟ୍, ବଫେ ପ୍ଲେଟ୍, ବିଭିନ୍ନ ପ୍ରକାରର ଦନା କେନ୍ଦ୍ରାପଡ଼ା ଅଂଚଳରେ ବିକ୍ରି କରାଯାଉଛି । ଏହା ସହିତ ୟୁନିଟ୍ରୁ ପ୍ରସ୍ତୁତ ହେଉଥିବା ଧୁପକାଠି ସ୍ଥାନୀୟ ବଜାରରେ ଆଦୃତି ଲାଭ କରିଛି । ୟୁନିଟ୍ ନିକଟକୁ ବ୍ୟବସାୟୀ ମାନେ ଆସି ସାମଗ୍ରୀ ଗୁଡ଼ିକୁ କିଣି ନେଉଛନ୍ତି । ୩୫୦ଟି ବଫେ ପ୍ଲେଟ୍କୁ ୮୭୫ ଟଙ୍କାରେ ବିକ୍ରି କରାଯାଉଥିବା ବେଳେ ୧୬,୦୦ଟି ସିଲ୍ଭର୍ ପ୍ଲେଟ୍  ୧୬,୦୦ ଟଙ୍କାରେ ବିକ୍ରି କରାଯାଉଛି । ସେହିପରି କଦଳୀ ପତ୍ର ପ୍ଲେଟ୍ ୨,୦୦୦ ପିସ୍ର ଦାମ୍  ୨,୦୦୦ ଟଙ୍କା ରହିଛି ।

ଅମିନା ନିଜର ଚେଷ୍ଠା ଏବଂ ଉଦ୍ୟମ ବଳରେ ପେପର ପ୍ଲେଟ୍ ଏବଂ ଧୁପକାଠି ପରି ଦୁଇ ଦୁଇଟି ୟୁନିଟ୍ ପ୍ରତିଷ୍ଠା କରିଛନ୍ତି । ନିଜେ ଆତ୍ମନିର୍ଭରଶୀଳ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ  ।