ରାଜ୍ୟରେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା: ଡେଙ୍ଗୁରେ ଶତକ ମାରିଲାଣି ଖୋର୍ଦ୍ଧା ଜିଲ୍ଲା!

159

କନକ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ ମଶା ଚିନ୍ତା ବଢାଇଲାଣି । ଖାସ କରି ଖୋର୍ଦ୍ଧା ଜିଲ୍ଲା ଓ ରାଜଧାନୀର ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାଜନକ । ଆଗକୁ ଏହାର ମୁକାବିଲା ପାଇଁ ସମସ୍ତ ଜିଲ୍ଲାକୁ ଏସଓପି ଜାରି ହୋଇଛି । ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ରାଜ୍ୟର ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ବର୍ଷା ଆରମ୍ଭ ହୋଇଛି । ଏହାରି ଭିତରେ ଚିନ୍ତା ବଢାଇଛି ଡେଙ୍ଗୁ ମଶା । ପରିଷ୍କାର ପାଣି ଓ ଶୁଖିଲା ସ୍ଥାନରେ ବଂଶ ବୃଦ୍ଧି କରୁଥିବା ଏଡିସ ମଶା ଯୋଗୁଁ ରାଜ୍ୟରେ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୯ ତାରିଖ ସଂଧ୍ୟା ସୁଦ୍ଧା ସ୍ୱାସ୍ଥ୍ୟ ବିଭାଗ ମୋଟ୍ ୧୦ ହଜାର ୭୮୧ଟି ନମୁନା ପରୀକ୍ଷା ହୋଇଛି । ୧୭୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲା ଗୁଡିକ ତୁଳନାରେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୯୩ ରୋଗୀ ଚିହ୍ନଟ ହୋଇଛନ୍ତି । ଯାହାକି ଉଦବେଗଜନକ । ଆଉ ଏଥିମଧ୍ୟରୁ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୩୬ ଜଣ । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସବୁ ଜିଲ୍ଲାକୁ ଏସଓପି ଜାରି ହୋଇଛି । ଆବଶ୍ୟକତା ଅନୁଯାୟୀ ଔଷଧ ସହ ପ୍ଲେଟଲେଟ ସଂରକ୍ଷିତ କରି ରଖିବାକୁ କୁହାଯାଇଛି ।

ରାଜଧ।।ନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭୁବନେଶ୍ୱର ନୟାପଲ୍ଲୀ, ସହିଦନଗର. ଭୀମଟାଙ୍ଗୀ ଆଦି ଅଂଚଳରୁ ଅଧିକାଂଶ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି । ଡେଙ୍ଗୁ ୱାର୍ଡରେ ପ୍ରତିଦିନ ଅଧିକରୁ ଅଧିକ ରୋଗୀ ଭର୍ତି ହେଉଛନ୍ତି । ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ମୁକାବିଲା ପାଇଁ ପରିମଳ ବ୍ୟବସ୍ଥାକୁ ଠିକ୍ ରଖିବାକୁ ଗୁରୁତ୍ୱ ଦିଆଯାଉଛି । ଡେଙ୍ଗୁର ହଟସ୍ପଟ ଅଂଚଳକୁ ଯାଇ ସାନିଟାଇଜେସନ ଉପରେ ଗୁରୁତ୍ୱ ଦେଉଛି ପ୍ରଶାସନ । ପ୍ରତିବର୍ଷ ଜୁଲାଇରୁ ସେପ୍ଟେମ୍ବର ମାସରେ ଡେଙ୍ଗୁର ପ୍ରଭାବ ଅଧିକ ରହିଥାଏ । ଏପରି ସ୍ଥିତିରେ ରାଜଧାନୀରେ ବଢୁଥିବା ସଂକ୍ରମଣ ବିଏମସିର ତତ୍ପରତା ଉପରେ ପ୍ରଶ୍ନ ଉଠାଇଛି ।