ନୂଆ ରୂପ ପାଇବ ପ୍ରକଳ୍ପ ପରିସରର ମଠ । ଦ୍ରୁତ ଗତିରେ ଚାଲିଛି ଉନ୍ନତିକରଣ କାମ

145

କନକ ବ୍ୟୁରୋ : ଜାନୁଆରୀ ୧୭ ତାରିଖରେ ଲୋକାର୍ପିତ ହେବାକୁ ଥିବା ପରିକ୍ରମା ପ୍ରକଳ୍ପର କାମ ଶେଷ ପର୍ଯ୍ୟାୟରେ ପହଂଚିଛି । ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସାରିବାକୁ ଦିନ ରାତି ଏକ କରିଦେଇଛନ୍ତି ଓବିସିସି ଓ ଟାଟା ପ୍ରୋଜେକ୍ଟର ଇଞ୍ଜିନିୟର । ଏସବୁ ଭିତରେ ପ୍ରକଳ୍ପ ପରିସରରେ ଥିବା ମଠଗୁଡ଼ିକ ନୂଆ ରୂପ ପାଇବ । ମଠର ସ୍ଥିତି ଓ ଉନ୍ନତିକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଶ୍ରୀମନ୍ଦିର ମେଘନାଦ ପାଚେରୀ ଠାରୁ ୧୦୦ ମିଟର ମଧ୍ୟରେ ଥିବା ୪ଟି ମଠ ଯଥା ବଡ଼ଛତା ମଠ, ଛାଉଣୀ ମଠ, ଉତ୍ତରପାର୍ଶ୍ୱ ମଠ ଓ କାକୁଡିଖାଇ ମନ୍ଦିରର ପୁନରୁଦ୍ଧାର କରାଯାଇ ନୂଆ ରୂପ ଦିଆଯାଉଛି । ମୂଳ ମଠକୁ ଅକ୍ଷୁର୍ଣ୍ଣ ରଖିବା ସହ ଖଣ୍ଡେଲାଇଟ ପଥର ବ୍ୟବହାର କରି କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ମଠର ପୁନରୁଦ୍ଧାର କରାଯାଉଛି । ତେବେ ଜାନୁଆରୀ ୧୭ ସୁଦ୍ଧା ପୂର୍ଣ୍ଣାଙ୍ଗ ପ୍ରକଳ୍ପ ଶେଷ ହୋଇପାରିବ ନାହିଁ କି ନାହିଁ, ତାକୁ ନେଇ ଆଶଙ୍କା ଦେଖା ଦେଇଛି ।

ସେପଟେ ପରିକ୍ରମା ପ୍ରକଳ୍ପ ପରିସରରେ ଥିବା ମଠଗୁଡିକରେ ରହିଥିବା ପୁରାତନ ଐତିହ୍ୟ କୀର୍ତିରାଜୀ ଗୁଡିକର ଶୋଭା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି । କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିସରରେ ଥିବା ପ୍ରାୟ ୨୦ଟିରୁ ଅନେକ ମଠର କାର୍ଯ୍ୟ ସରି ନାହିଁ । ଏହାସହ ପରିକ୍ରମା ପ୍ରକଳ୍ପ ପରିସରରେ ଥିବା ପ୍ରାୟ ୧୮ଟି ମଠର ପୁନରୁଦ୍ଧାର କରାଯାଉଛି । ଏଗୁଡ଼ିକୁ ଖଣ୍ଡେଲାଇଟ ପଥରରେ ଉତ୍କଳୀୟ ଢାଂଚାର ରୂପ ଦିଆଯାଉଛି । ଏସବୁର କାମ ଡିସେମ୍ବର ୨୭ତାରିଖ ସୁଦ୍ଧା ସାରିବାକୁ ଡେଡ୍ଲାଇନ୍ ଥିବା ବେଳେ, ଆଜି ସୁଦ୍ଧା ତାହା ଶେଷ ହୋଇନାହିଁ । କିନ୍ତୁ ଓବିସିସି କହିଛି ଯେ ମଠର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପ୍ରକଳ୍ପର ଯଥେଷ୍ଟ ପୂର୍ବରୁ ସରିବ ।

ନୂଆ ରୂପ ପାଇବା ପରେ ମଠ ଗୁଡିକ ଭକ୍ତଙ୍କୁ ଖୁବ୍ ଆକର୍ଷଣ କରିବ । ଆଉ ଏହା ଭକ୍ତଙ୍କ ଭିତରେ ଭକ୍ତିଭାବ ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବ ବୋଲି କୁହଯାଉଛି ।