ମନ୍ତ୍ରୀଙ୍କୁ ମିଳିଛି ବିଭାଗ: ଆଗକୁ ମାଳ ମାଳ ଚ୍ୟାଲେଞ୍ଜ

285

କନକ ବ୍ୟୁରୋ: ମୋହନ ସରକାରରେ ବିଭାଗ ବଂଟନ ସରିଛି । ମଙ୍ଗଳବାର ସୁଧା ଦାୟିତ୍ୱ ଗ୍ରହଣ କରିବେ ବିଭାଗୀୟ ମନ୍ତ୍ରୀ । ହେଲେ ନୂଆ ସରକାର ଆଗରେ, ନୂଆ ମନ୍ତ୍ରୀ ଆଗରେ କଣ ସବୁ ଚ୍ୟାଲେଞ୍ଜ ରହିଛି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବ ସରକାର ସମୟର ସମସ୍ୟାକୁ ପ୍ରସଙ୍ଗ କରି କ୍ଷମତାକୁ ଆସିଛି ବିଜେପି । ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ଥିବା ମହାନଦୀ ବିବାଦ ହେଉ କି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ଶହ ଟଙ୍କା ଏବଂ ୧୮ ମାସରେ ଚିଟଫଣ୍ଡ ଟଙ୍କା ଫେରସ୍ତ କରିବା ବଡ଼ ଆହ୍ୱାନ ହୋଇପାରେ । ରତ୍ନଭଣ୍ଡାର ଖୋଲିବା, ଚାବି ହଜିବା ଘଟଣାର ତଦନ୍ତ ବ୍ୟତୀତ ଅନ୍ୟାନ୍ୟ ଚ୍ୟାଲେଞ୍ଜ ରହିଛି ।

ମୋହନଙ୍କ ସରକାରରେ କିଏ କେଉଁ ଦାୟିତ୍ୱ ସମ୍ଭାଳିବେ, ବିଭାଗ ବଂଟନ ହୋଇ ଯାଇଛି । ଏପଟେ ନୂଆ ସରକାର ଆଗରେ ଅନେକ ଆହ୍ୱାନ ରହିଛି । ପୂର୍ବ ସରକାରରେ ଯେଉଁ ଅସଙ୍ଗତିକୁ ପ୍ରସଙ୍ଗ କରି ସରକାରକୁ ଆସିଛି ବିଜେପି, ଏବେ ତା’ର ସମାଧାନ ନୂଆ ସରକାର ହାତରେ । ଅନ୍ୟପଟେ ନିର୍ବାଚନୀ ଇସ୍ତାହାରରେ ଅନେକ ପ୍ରତିଶ୍ରୁତି ଦେଇଛି ବିଜେପି, ତାକୁ ପୂରଣ କରିବା ପାଇଁ ଉଦ୍ୟମ କରିବ ମୋହନ ସରକାର ।

ଏବେ ନଜର ପକାଇବା, ସରକାରଙ୍କ ପାଇଁ କ’ଣ ରହିଛି ପ୍ରମୁଖ ଚ୍ୟାଲେଞ୍ଜ?
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ଜଳସଂପଦ ବିଭାଗ ରହିଛି ।
କ’ଣ ରହିଛି ଚ୍ୟାଲେଞ୍ଜ?
ମହାନଦୀକୁ ନେଇ ଛତିଶଗଡ଼ ଓ ଓଡିଶା ମଧ୍ୟରେ ରହିଛି ବିବାଦ
ଉଭୟ ରାଜ୍ୟରେ ବିଜେପି ସରକାର
ବିବାଦର ସ୍ଥାୟୀ ସମାଧାନ ଅପେକ୍ଷାରେ ଓଡିଶା
ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ହାତରେ କୃଷି ବିଭାଗ । କୃଷକଙ୍କ ଉନ୍ନୟନ ଦାୟିତ୍ୱ ମଧ୍ୟ କେଭିଙ୍କ ହାତରେ ରହିଛି-
କ’ଣ ରହିଛି ଚ୍ୟାଲେଞ୍ଜ?
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ଲାଗୁ
କଟନି-ଛଟନି ବନ୍ଦ କରିବା ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ

ମହିଳା ଓ ଶିଶୁ ବିକାଶ ସହ ମିସନ ଶକ୍ତି ବିଭାଗ ମିଳିଛି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ । ସରକାର ବଦଳିବା ପରେ ମିସନ ଶକ୍ତିର ଭାଗ୍ୟ ଓ ଭବିଷ୍ୟତ ନେଇ ଲୋକଙ୍କ ମନରେ ଯେଉଁ ସଂଦେହକୁ ଦୂର କରିବା ଦାୟିତ୍ୱ ଏବେ ପ୍ରଭାତୀ ପରିଡ଼ାଙ୍କ ହାତରେ । ମୋହନ ସରକାରଙ୍କ ଆଗରେ ଏହିପରି ଅନେକ ଚ୍ୟାଲେଞ୍ଜ ରହିଛି । ବଡ଼ ବଡ଼ ଚ୍ୟାଲେଞ୍ଜ ମଧ୍ୟରେ ରହିଛି-

କ’ଣ ରହିଛି ଚ୍ୟାଲେଞ୍ଜ?
ରତ୍ନଭଣ୍ଡାର ଖୋଲିବା
ଚାବି ହଜିବା ଘଟଣାର ତଦନ୍ତ
କମିସନଙ୍କ ତଦନ୍ତ ରିପୋର୍ଟ ସାର୍ବଜନୀନ କରିବା
ବିଏସ୍କେୱାଇ ହତାଧିକାରୀଙ୍କୁ ଆଶ୍ୱସ୍ତ କରିବା
ଆୟୁଷ୍ମାନ ଯୋଜନା ଲାଗୁ କରିବା
କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ କରାଇବା
ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ବୃଦ୍ଧି

କ୍ଷମତାକୁ ଆସିବା ପାଇଁ ବିଜେପି ଦେଇଥିବା ଏହିପରି ଅନେକ ପ୍ରତିଶ୍ରୁତି ପୂରଣ କରିବା ଓ ପୂର୍ବ ସରକାରଙ୍କ ଯୋଜନାଗୁଡ଼ିକୁ ଠିକ ଭାବେ ପରିଚାଳନା କରିବା, ଆଉ ସ୍ଥଳ ବିଶେଷରେ ଏହାଠାରୁ ଆହୁରି ଭଲ ଯୋଜନା ଆଣି ଜନସାଧାରଣଙ୍କ ବିଶ୍ୱାସ ଜିତିବା ଏବେ ନୂଆ ସରକାର ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି ।