ସରକାରୀ ଔଷଧ କେଉଁଠି ପୋଡ଼ୁଛନ୍ତି ତ କେଉଁଠି ଫୋପାଡୁଛନ୍ତି: ରୋଗୀଙ୍କ ପାଇଁ ଆସୁଥିବା ମାଗଣା ଔଷଧ ବ୍ୟବହାର ହୋଇନପାରି ହେଉଛି ନଷ୍ଟ

124

କନକ ବ୍ୟୁରୋ: ରାସ୍ତା କଡରେ ଖତ ଖାଉଛି ସରକାରୀ ଔଷଧ । ଅଳିଆ ଗଦା ଭଳି କୁଢ କୁଢ ଔଷଧ ଗଦା ହୋଇଛି । ଅଖା ଭିତରେ ମେଡିସିନ ଗୁଡିକ ଏଣେତେଣେ ପଡିରହିଛି । ତେବେ ଔଷଧ ଗୁଡିକୁ କିଏ କାହିକିଁ ରାସ୍ତା କଡରେ ଫିଙ୍ଗି ଦେଇଛି ତାହା ଜଣାପଡିନାହିଁ । ଝାଡାବାନ୍ତି, ମେଲେରିଆ, ଥଣ୍ଡା, ଜ୍ୱର କାଶ, ଭିଟାମିନ ଓ କିଛି ଇଂଜେକସନ୍ ରାସ୍ତା ରଡରେ ପଡିଛି । ଔଷଧ ପଡିଥିବା ସ୍ଥାନ ଠାରୁ ଅଳ୍ପ ଦୂରରେ ରହିଛି କଲ୍ୟାଣପୁର ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୩ କିଲୋମିଟର ଦୂରରେ ରହିଛି କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଆଖପାଖରେ ୨ଟି ମେଡିକାଲ ରହୁଥିବାରୁ ଏହି ଔଷଧକୁ ନେଇ ଅନେକ ପ୍ରଶ୍ନ ଉଠିଛି, ସ୍ଥାନୀୟ ଲୋକେ ଏହାର ତଦନ୍ତ ଦାବି କରିଛନ୍ତି । କଣାସରେ ରାସ୍ତାକଡରେ ଔଷଧ ପଡିଥିବା ବେଳେ ବାଲେଶ୍ୱର ଜିଲ୍ଲା ବସ୍ତାରେ ଔଷଧକୁ ପୋଡି ଦିଆଯାଇଛି । ରୋଗୀମାନଙ୍କ ପାଇଁ ସରକାର ମାଗଣା ଔଷଧର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଡାକ୍ତରଖାନାରେ ଏହାକୁ ବିତରଣ ନକରି ରାତିଅଧିଆ ସର୍ବସାଧାରଣ ସ୍ଥାନରେ ପୋଡି ଦିଆଯାଉଛି । ବସ୍ତା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଅଳ୍ପ କିଛି ଦୂରରେ ପ୍ରାୟ ୨ ଲକ୍ଷ ଟଙ୍କାର ଔଷଧ ପୋଡାଯାଉଥିବା ଚିତ୍ର ସାମ୍ନାକୁ ଆସିଛି । କାହିଁକି ଔଷଧଗୁଡିକ ପୋଡା ଗଲା ବୋଲି ପଚରା ଯିବାରୁ ବାଲେଶ୍ୱର ସିଡିଏମଓ କହିଛନ୍ତି ଘଟଣାର ତଦନ୍ତ କରାଯିବ । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।