ଶବ ଖୋଜୁଛନ୍ତି ସଂପର୍କୀୟ । ପୁଅର ମୃତଦେହ ନେବାକୁ ପଶ୍ଚିମବଙ୍ଗରୁ ଆସିଛନ୍ତି ବାପା, ହେଲେ ବିହାରରେ ସରିଗଲାଣି ଶବଦାହ । ଡିଏନଏ ରିପୋର୍ଟକୁ ଅପେକ୍ଷା କରିଛନ୍ତି ପରିବାର

291

କନକ ବ୍ୟୁରୋ: ପୁଅ ବିପୁଲର ଶବ ନେବା ପାଇଁ ପଶ୍ଚିମବଙ୍ଗରୁ ଓଡିଶା ଆସିଥିଲେ ବାପା ଶିବକାନ୍ତ । କିନ୍ତୁ ଏବେ ଶବ ନୁହଁ କେବଳ ମୃତ ପ୍ରମାଣ ପତ୍ର ହିଁ ନେଇ ଘରକୁ ଫେରିବାକୁ ପଡିବ । କାରଣ ବିହାରରେ ପୁଅର ମୃତଦେହର ଅନ୍ତିମ ସକ୍ରାର ସରିଯାଇଛି । ଏହି କଥା ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ହୃଦୟ ବିଦାରକ । ଆଉ ଏହି ଘଟଣା ଶବ ପରିଚାଳନାରେ ଅସଲ ମୁଖା ଖୋଲିଦେଇଛି ।

  • ଶବ ଖୋଜୁଛି ପରିଚୟ
  • କେବେ ଆସିବ ଡିଏନଏ ରିପୋର୍ଟ ?

ରେଳ ଦୁର୍ଘଟଣା ପରେ ବାହାନଗା ବିଦ୍ୟାଳୟରେ ଶବ ରଖିଲାବେଳେ ଯେଉଁ ଶବର ନମ୍ବର ୧୪ ଥିଲା, ତାହା ଥିଲା ପଶ୍ଚିମବଙ୍ଗର ବିପୁଲ ରୟଙ୍କର । ପରିବାରଲୋକ ଶବକୁ ଚିହ୍ନଟ ବି କରିସାରିଥିଲେ । ତା’ପରେ ଶବ ଗୁଡିକୁ ବାଲେଶ୍ୱର ଓ ପରେ ଭୁବନେଶ୍ୱର ଅଣାଯାଇଥିଲା । ବିପୁଲଙ୍କ ଶବ କିମ୍ସର ଶବଗୃହରେ ରହିଥିବା ଖବର ପାଇଥିଲେ ପରିବାରଲୋକ । ଆଉ ଯେତେବେଳେ ଶବଟିକୁ ନେବା ପାଇଁ କିମ୍ସ ଆସିଲେ, ଜାଣିବାକୁ ପାଇଲେ ଯେ ଶବଟି ଅନ୍ୟ ଜଣେ ଦାବିଦାର ବିହାର ନେଇଯାଇଛନ୍ତି । ଆଉ ଶବଦାହ ବି ସରିଯାଇଛି ।

ପ୍ରତ୍ୟେକ ଶବ ପଛରେ ରହିଛି ଛାତିଫଟା କାହାଣୀ । ବାଙ୍ଗାଲୋରରୁ ହମସଫର ଏକ୍ସପ୍ରେସରେ ପଶ୍ଚିମବଙ୍ଗକୁ ଫେରୁଥିଲେ କୃଷ୍ଣ ରବିଦାସ । ରେଳ ଯାତ୍ରା ପୂର୍ବରୁ ଫଟୋ ଉଠାଇ ନିଜ ଫେସବୁକ ଆକାଉଣ୍ଟରେ ଅପଲୋଡ କରିଥିଲେ କୃଷ୍ଣ । ଦୁର୍ଘଟଣାର ଦୁଇ ଘଣ୍ଟା ପୂର୍ବରୁ ଘରକୁ ଫୋନ କରିଥିଲେ । କିନ୍ତୁ କିଏ ବା ଜାଣିଥିଲା ସେହି କଲ୍ ତାଙ୍କ ଜୀବନର ଶେଷ କଲ ହେବ । ସେହି ଫଟୋକୁ ଆଧାର କରି ଶବ ଥିବା କଣ୍ଟେନର ଭିତରେ କୃଷ୍ଣର ଶବ ଖୋଜୁଥିଲେ ପରିବାର ଲୋକ । ଚେହେରା ଚିହ୍ନିବା ମୁସ୍କିଲ ହୋଇ ପଡିଥିବା ବେଳେ କେବଳ ସାର୍ଟଟିକୁ ଦେଖି ପରିବାରଲୋକ ଅନୁମାନ କରୁଛନ୍ତି ଯେ ଏହା କୃଷ୍ଣ ରବିଦାସଙ୍କର ଶବ । କିନ୍ତୁ ଡିଏନଏ ରିପୋର୍ଟ ଆସିନଥିବାରୁ ସାନ ଭାଇର ଶବ ନେଇ ପାରୁନି ବଡ ଭାଇ । ଅଳୋକଙ୍କ ଭଳି ଅନେକ ଲୋକ ଡିଏନଏ ରିପୋର୍ଟ ଅପେକ୍ଷାରେ ରହିଛନ୍ତି ।

ବାହାନଗା ରେଳ ଦୁର୍ଘଟଣାରେ ବଢ଼ିଛି ମୃତ୍ୟୁ ସଂଖ୍ୟା । କଟକ ଏସସିବିରେ ଚିକିତ୍ସିତ ହେଉଥିବା ଆଉ ଜଣେ ଆହତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପଶ୍ଚିମବଙ୍ଗର ସାହିଲ ମନସୁର । ସର୍ଜରୀ ଆଇସିୟୁରେ ଚିକିତ୍ସାଧୀନ ଥିଲେ ସାହିଲ । ଏଥିସହିତ ବାହାନଗା ଟ୍ରେନ୍ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୨୯୧ରେ ପହଁଚିଛି । ଏପଟେ ଏମସରେ ରହିଥିବା ୮୧ ମୃତ ଦେହ ଓ ୭୮ ଜଣ ଦାବିଦାରଙ୍କର ଡିଏନଏ ପରୀକ୍ଷା ପାଇଁ ରକ୍ତ ନମୁନା ନିଆଯାଇଛି । ରିପୋର୍ଟ କେବେ ଆସିବ ତାହାର ସ୍ପଷ୍ଟ ଉତ୍ତର କାହାରି ପାଖରେ ନାହିଁ । କେବଳ ରିପୋର୍ଟକୁ ଅପେକ୍ଷା କରି ଚାହିଁ ବସିଛନ୍ତି ମୃତକଙ୍କ ପରିବାର ଲୋକ ।