ଅଫିସରଙ୍କ ବିରୋଧରେ ଅସନ୍ତୋଷ । ତହସିଲଦାରଙ୍କୁ ତାଲା ପକାଇଲେ ଚାଷୀ । କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ କଲେ ଲୋକ ।

160

କନକ ବ୍ୟୁରୋ: ଅଫିସରଙ୍କ ବିରୋଧରେ ତାତିଲେ ଚାଷୀ । କଳାହାଣ୍ଡିର କୋଟାଗାଁ ମଣ୍ଡିରେ ଧାନକିଣିବା ଦାୟିତ୍ୱ ସ୍ୱୟଂ ସହାୟକ ଗୋଷ୍ଠୀ ବଦଳରେ ପେକ୍ସକୁ ଦେବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । ଆଉ ତହସିଲଦାରଙ୍କୁ ତାଲା ବି ପକାଇଦେଇଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ଆବାସର ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ, ବ୍ଲକର କନିଷ୍ଠ ଯନ୍ତ୍ରୀ ରବି ନାରାୟଣ ଲେଙ୍କାଙ୍କୁ ଆକ୍ରମଣ କରିଛନ୍ତି କିଛି ଘର ଆଶାୟୀ ।

  • ଅଫିସରଙ୍କ ବିରୋଧରେ ଅସନ୍ତୋଷ
  • ତହସିଲଦାରଙ୍କୁ ତାଲା ପକାଇଲେ ଚାଷୀ

କଳାହାଣ୍ଡି କଲମପୁର ତହସିଲ କୋଟାଗାଁ ମଣ୍ଡିରେ ଧାନକିଣିବା ଦାୟିତ୍ୱ ସ୍ୱୟଂ ସହାୟକ ଗୋଷ୍ଠୀ ବଦଳରେ ପେକ୍ସକୁ ଦେବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । ତହସିଲ ଅଫିସରେ ତାଲା ପକାଇ ଅଫିସ ଆଗରେ ଧାରଣା ଦେଇଛନ୍ତି । ଚାଷୀଙ୍କ ଧାରଣା ଯୋଗୁଁ ଦୀର୍ଘ ସମୟ ଧରି ଅଫିସ ଭିତରେ ଅଟକି ରହିଥିଲେ ତହସିଲଦାର । ଏପରିକି ଚାଷୀଙ୍କୁ ବୁଝାସୁଝା କରିବାକୁ ଯାଇଥିବା ସ୍ଥାନୀୟ ଆଇଆଇସିଙ୍କୁ ମଧ୍ୟ ସେମାନେ ଅଟକ ରଖିଥିବା ସୂଚନା ମିଳିଛି । ତେବେ ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

ଚାଷୀମାନେ ଦୀର୍ଘଦିନ ହେବ ଧାନ କିଣା ଦାୟିତ୍ୱ ସ୍ୱଂୟ ସହାୟକ ଗୋଷ୍ଠୀ ବଦଳରେ ପେକ୍ସକୁ ପ୍ରଦାନ କରିବା ପାଇଁ ପ୍ରଶାସନକୁ ନିବେଦନ କରି ଆସୁଛନ୍ତି । ହେଲେ ପ୍ରଶାସନ ଚାଷୀଙ୍କ କଥା ନଶୁଣିବାରୁ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସ୍ୱଂୟ ସହାୟକ ଗୋଷ୍ଠୀ ଭଲଭାବେ ଧାନକିଣା ଦାୟିତ୍ୱ ତୁଲାଉନଥିବା ଚାଷୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଚାଷୀଙ୍କ ଅଭିଯୋଗକୁ ସ୍ୱୀକାର କରିଛନ୍ତି ତହସିଲଦାର ।

ଅଫିସରଙ୍କୁ ନେଇ କେମିତି ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ତେଜୁଛି, କନ୍ଧମାଳ ଜିଲ୍ଲା ଖଜୁରୀପଡାରୁ ଆସିଛି ତାର ଆଉ ଏକ ଖବର । ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସର ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ, ବ୍ଲକର କନିଷ୍ଠ ଯନ୍ତ୍ରୀ ରବି ନାରାୟଣ ଲେଙ୍କାଙ୍କୁ ଆକ୍ରମଣ କରିଛନ୍ତି କିଛି ଘର ଆଶାୟୀ । ଯନ୍ତ୍ରୀଙ୍କୁ ମାଡ ମାରିବା ସହ ତାଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି । ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।