ଶ୍ୱଶୁର ଘର ଦୁଆରେ ଶଯ୍ୟାଶାୟୀ ଜ୍ୱାଇଁ । କ୍ୟାନସର ଚିକିତ୍ସା ପାଇଁ ଘର, ବିଲ ବିକି ସାରିଲେଣି ପରିବାର ।

960

କନକ ବ୍ୟୁରୋ: ଶଶୁର ଘର ଦୁଆରେ ଶଯ୍ୟାଶାୟୀ ଜ୍ୱାଇଁ । ସ୍ୱାମୀର ମୁଣ୍ଡ ପାଖରେ ବସି ଆଖିରୁ ଲୁହ ଗଡାଉଛିନ୍ତି ସ୍ତ୍ରୀ ଓ ଝିଅ । କ୍ୟାନସର ଆକ୍ରାନ୍ତ ପରେ ଚିକିତ୍ସା ଖର୍ଚରେ ଘର, ବିଲ ବିକି ଦେଲେ ପରିବାର । ଶେଷରେ ଶଶୁର ଘରେ ଆଶି ଆଶ୍ରୟ ନେଲେ କ୍ୟାନସର ପୀଡିତ ପରିବାର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖଲ୍ଲିକୋଟ ବ୍ଲକ ଦେଉଳପଲ୍ଲୀ ଗାଁରେ । ଦେଉଳପଲ୍ଲୀ ଗାଁର ସନ୍ତୋଷ ଡାକୁଆ । ସନ୍ତୋଷ ଜଣେ ଦାଦନ ଶ୍ରମିକ । ୩ବର୍ଷ ତଳେ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଡାକୁଆ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଦେଖାଇଥିଲେ । ସେଠାରେ ଜାଣିବାକୁ ପାଇଥିଲେ ସନ୍ତୋଷଙ୍କୁ ବୋନ୍ କ୍ୟାନସର ହୋଇଛି । ତା ପରେ ସନ୍ତୋଷର ଚିକିତ୍ସା ପାଇଁ ପ୍ରଥମେ ବ୍ରହ୍ମପୁର ପରେ ଆନ୍ଧ୍ର ମେଡିକାଲରେ ଚିକିତ୍ସା କରାଇଥିଲେ । କିନ୍ତୁ ସନ୍ତୋଷଙ୍କ ଦେହ ଭଲ ହେବା ବଦଳରେ ଦିନକୁ ଦିନ ଅସୁସ୍ଥ ହେବାରେ ଲାଗିଥିଲା । ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକ ରହିଥିବା ବେଳେ ଅର୍ଥ ଅଭାବରୁ ସନ୍ତୋଷକୁ ଆନ୍ଧ୍ରରୁ କଟକ ମେଡିକାଲକୁ ଆଣିଥିଲେ ସେଠାରେ ମଧ୍ୟ ଅର୍ଥ ବାଧକ ସାଜିଲା । ଯାହା ପୈତୃକ ସମ୍ପତି ଥିଲା ତାକୁ ବିକି ଦେଇଥିବା ବେଳେ ଅର୍ଥ ଅଭାବରୁ ସନ୍ତୋଷକୁ ମେଡିକାଲରୁ ଗାଁକୁ ନେଇ ଆସିଲେ । କିନ୍ତୁ ଗାଁର ଘର ବିକ୍ରି ହୋଇଯାଇଥିବାରୁ ସେଠାରୁ ଲକ୍ଷ୍ମୀଙ୍କ ବାପଘର ଖଲ୍ଲିକୋଟ ବ୍ଲକ ଖୋଜାପଲ୍ଲୀ ଗ୍ରାମକୁ ଆସି ଆଶ୍ରୟ ନେଇଛନ୍ତି । ସ୍ୱାସ୍ଥ୍ୟ ସେବା ପାଇଁ ସରକାରଙ୍କ ମାଳମାଳ ଯୋଜନା ରହିଥିବା ବେଳେ ସବୁ ଯୋଜନା ସନ୍ତୋଷଙ୍କ ପାଇଁ ଯେପରି ସାତସପନ ହୋଇଯାଇଛି ।