ମଜବୁତ ହେଉଛି ଦେଶର ଅର୍ଥନୀତି: ବିଶ୍ୱର ୫ମ ବୃହତ ଅର୍ଥନୈତିକ ଦେଶ ହେଲା ଭାରତ, ପଛରେ ପଡିଲା ବ୍ରିଟେନ

383

କନକ ବ୍ୟୁରୋ: ଦେଶର ଅର୍ଥନୀତି ପାଇଁ ଆସିଛି ଭଲ ଖବର । ଦେଶର ଅର୍ଥନୀତି ମଜବୁତ ହେବାରେ ଲାଗିଛି । ଏହାର ସିଧା ପ୍ରଭାବ ଅର୍ନ୍ତଜାତୀୟ ସ୍ତରରେ ଦେଖିବାକୁ ମିଳିଛି । ୟୁରୋପରେ ମାନ୍ଦାବସ୍ଥା ଭିତରେ ଘରୋଇ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ହୋଇଛି । ଏହା ଫଳରେ ଭାରତ ଏବେ ବିଶ୍ୱର ୫ମ ବୃହତ ଅର୍ଥନୀତି ଦେଶରେ ସାମିଲ ହୋଇଛି । କେବଳ ସେତିକି ନୁହେଁ ଏହି ରେସରେ ବ୍ରିଟେନକୁ ପଛରେ ପକାଇଛି ଭାରତ । ଯଦି ପୂର୍ବ କିଛି ବର୍ଷର ରେକର୍ଡ ଦେଖିବା ତେବେ ସର୍ବଶ୍ରେଷ୍ଠ ୧୦ଟି ଅର୍ଥନୈତିକ ଦେଶରେ ଭାରତ ରହି ନାହିଁ । ଲଗାତାର କିଛି ବର୍ଷ ୧୧ତମ ସ୍ଥାନରେ ରହିଥିଲା । ତେବେ ୨୦୨୧ ମସିହାର ଶେଷ ତ୍ରୟମାସରେ ଭାରତ ୫ମ ସ୍ଥାନରେ ପହଁଚିଛି ।

ନୋମିନାଲ କ୍ୟାସ ଆଧାରରେ ପ୍ରସ୍ତୁତ ରିପୋର୍ଟ ଅନୁସାରେ ଭାରତୀୟ ଅର୍ଥନୀତିର ଆକାର ୮୫ହଜାର ୪୬୦କୋଟି ଡଲାର ରହିଛି । ବ୍ରିଟେନର ଅର୍ଥନୀତି ଆକାର ୮୧ହଜାର ୬ଶହ କୋଟି ଡଲାର ରହିଛି । ପ୍ରଥମ ତ୍ରୟମାସିକରେ ଜାରି ହୋଇଥିବା ଜିଡିପି ଫିଗରକୁ ହିସାବକ କରି ଅର୍ନ୍ତଜାତୀୟ ମୁଦ୍ରା କୋଷ ଏହି ଆକଳନ କରିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ ଜାରି ହୋଇଥିବା ଜିଡିପିରେ ଭାରତର ଅର୍ଥବ୍ୟବସ୍ଥା ମଜବୁତ ଥିଲା ।

ପ୍ରଥମ ତ୍ରୟମାସିକରେ ଜିଡିପି ବୃଦ୍ଧି ଦର ୧୩.୦୫ ପ୍ରତିଶତ ରହିଥିଲା । ଯାହା ଗତବର୍ଷଠୁ ଅଧିକ ରହିଛି । ସେହିପରି ବାର୍ଷିକ ଆଧାରରେ ଭାରତର ଜିଡିପିରେ ବୃଦ୍ଧି ସମ୍ଭାବନା ରହିଛି । ଆଗାମୀ ସମୟରେ ଭାରତ ବ୍ରିଟେନ ଅର୍ଥନୀତି ବିରୋଧରେ ନିଜର ସ୍ଥାନକୁ ଅଧିକ ମଜୁବୁତ କରିପାରିବ । ଚଳିତର୍ଷ ଅଭିବୃଦ୍ଧି ଆକଳନ ୭ ପ୍ରତିଶତରେ ରହିଛି ।

ବ୍ରିଟେନକୁ ପଛରେ ପକାଇ ବିଶ୍ୱର ପଂଚମ ବୃହତ ଅର୍ଥନୀତିରେ ଦେଶ ହୋଇଛି ଭାରତ । ବ୍ରିଟେନରେ ଏବେ ରାଜନୈତିକ ସଙ୍କଟ ସହ ଆର୍ଥିକ ସଙ୍କଟ ଦେଖାଦେଇଛି । ଏହା ଭିତରେ ଭାରତଠୁ ପଛରେ ପଡିଯିବା ବ୍ରିଟେନ ସରକାରଙ୍କ ପାଇଁ ବଡ ଝଟକା ହୋଇଛି ।