ରୂପ ବଦଳାଉଛି କୋଭିଡ୍ ଭାଇରସ୍: ଭୂତାଣୁର ନୂଆ ପ୍ରଜାତି ଚିହ୍ନଟ

80

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଥିବାବେଳେ, ସାମନାକୁ ଆସିଛି ଆଉ ଏକ ଚିନ୍ତା ଜନକ ତଥ୍ୟ । ପୁଣି ରୂପ ବଦଳାଉଛି କୋଭିଡ୍ ଭାଇରସ୍ । କୋଭିଡ୍ ଭୂତାଣୁ ଏକ୍ସବିବି – ପଏଂଟ ୱାନ ପଏଂଟ ୱାନ ସିକ୍ସ । ଓମିକ୍ରନର ଏହି ନୂଆ ପ୍ରଜାତି ଭାରତ ସମେତ ବିଶ୍ୱର ଏକାଧିକ ଦେଶରେ ଚିହ୍ନଟ ହୋଇଛି । ଦେଶରେ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ, ପ୍ରାୟ ୧୦ପ୍ରତିଶତ ଏହି ନୂଆ ପ୍ରଜାତି ଦ୍ୱାରା ସଂକ୍ରମିତ ବୋଲି କୁହାଯାଉଛି । ଯାହାକି ଦ୍ରୁତ ଗତିରେ ମାଡିବା ସହ ସଂକ୍ରମିତ କରିଥାଏ ବୋଲି କୁହାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଭ୍ୟାରିଆଂଟ ଅଣ୍ଡର ମନିଟରିଂ ତାଲିକାରେ ରଖିଛନ୍ତି । ଆଉ କହିଛନ୍ତି, ଏହା ଏକ ୱାନ୍ ଟୁ ୱାଚ୍ ବା ନିରୀକ୍ଷଣରେ ରଖିବା ଭଳି ପ୍ରଜାତି । ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ଭାରତରେ ୧୧୩ ଜଣ ନୂଆ ଭ୍ୟାରିଆଂଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ବିଶେଷକରି ମହାରାଷ୍ଟ ଓ ଗୁଜୁରାଟରେ ଏହି ନୂଆ ପ୍ରଜାତିର ପ୍ରଭାବ ଅଧିକ ରହିଛି ।

ମହାରାଷ୍ଟ୍ର ଫର୍ଟିସ ହସ୍ପିଟାଲର ଡାକ୍ତର ବୈଶାଳୀ ସୋଲାଓଙ୍କ ମତରେ, ଓମିକ୍ରନର ଏହି ନୂଆ ଉପ-ପ୍ରଜାତି ଦୁଇ ପ୍ରକାର ମ୍ୟୁଟେସନ ହେଉଛି । ଗୋଟିଏ ସ୍ପାଇକ୍ ପ୍ରୋଟିନକୁ ମ୍ୟୁଟେଟ୍ ହେଉଥିବାବେଳେ ଅନ୍ୟଟି ଓପନ ରିଡିଙ୍ଗ ଫ୍ରେମ୍ ଭଳି ହେଉଛି । ଯାହାକି ବିପଦଜନକ । ଓମିକ୍ରମନର ଏହି ନୂଆ ପ୍ରଜାତି ଦ୍ରୁତ ଗତିରେ ମାଡିବା ସହ ସଂକ୍ରମିତଙ୍କୁ ଗୁରୁତର କରିଥାଏ ।

ତେବେ ମୂଳ ଓମିକ୍ରନ ଭୂତାଣୁ ଯୋଗୁଁ ଯେମିତି ଜ୍ୱର, କଫ, ଥଣ୍ଡା, ନାକ ବନ୍ଦ ହୋଇଯାଏ, ମୁଣ୍ଡ ବିନ୍ଧା ହୁଏ, ଦେହ ଦରଜ ହୁଏ, ପେଟରେ ଯନ୍ତ୍ରଣା ହୁଏ, ଡାଏରିଆ ହୁଏ, ତାର ନୂଆ ନୂଆ ଉପ-ପ୍ରଜାତି ସଂକ୍ରମିତ ହେଲେ, ସେମିତି ଲକ୍ଷଣ ଦେଖା ଦେଇଥାଏ ।..ଅନ୍ୟପଟେ ଦେଶରେ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକୁ ନେଇ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଆଉ ମୁକାବିଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।

ଦେଶରେ ଆଉ ୬ହଜାର ୧୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ସକ୍ରି୍ରୟ ସଂକ୍ରମିତଙ୍କ ସଂଖ୍ୟା ୩୧ ହଜାର ୧୯୪ରେ ପହଁଚିଛି । ସେହିପରି ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ କରୋନା ଯୋଗୁଁ ଆଉ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଓଡିଶାରେ ମଧ୍ୟ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଆଗକୁ ଆହୁରି ବଢ଼ିବାର ଆଶଙ୍କା ଥିବାରୁ ସତର୍କ ରହିବାକୁ କହିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ।