ସରିଲା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର । ଭୋଟଗ୍ରହଣ ପାଇଁ ବୁଥ ଅଭିମୁଖେ ବାହାରିଲେ ପୋଲିଂ ପାର୍ଟି ।

73

କନକ ବ୍ୟୁରୋ: ମଙ୍ଗଳବାର ହେବାକୁ ଥିବା ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ଆଜି ଶେଷ ଦିନରେ ଭୋଟରକୁ ନିଜ ପଟକୁ ଆକୃଷ୍ଟ କରିବା ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀ ଓ ନେତା । ଏଥର ବ୍ରଜରାଜନଗରରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ । ସେପଟେ ମଙ୍ଗଳବାର ଦିନ ଭୋଟ ପାଇଁ ସବୁପ୍ରକାରର ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

ପ୍ରଚାରର ଶେଷ ଦିନରେ ବିଜେଡିର ସାଧାରଣ ସଭା । ଦଳୀୟ ନେତାଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହୋଇ ଭୋଟ୍ ମାଗିଲେ ପ୍ରାର୍ଥୀ ଅଳକା ମହାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମ୍ରୂ୍ତ୍ତି ସହ ସରକାରଙ୍କ ଜନହିତକାରୀ କାର୍ଯ୍ୟକ୍ରମକୁ ନେଇ ଲୋକଙ୍କୁ ଦଳ ସପକ୍ଷରେ ମତଦାନ ପାଇଁ ଅନୁରୋଧ କରିଥଲେ । ସେପଟେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଘରକୁ ଘର ବୁଲି ଭୋଟ ମାଗୁଥିବା ଦେଖାଯାଇଥିଲା । ମୋଦି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସହ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଜନ ସମର୍ଥନ ହାସଲ କରିବାକୁ ଚେଷ୍ଟା କରୁଥିଲେ ରାଧାରାଣୀ । କଂଗ୍ରେସ ମଧ୍ୟ ବାଇକ ଶୋଭାଯାତ୍ରା କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିବା ଦେଖିବାକୁ ମିଳିଥିଲା । ଆଉ ଏହାରି ଭିତରେ ବ୍ରଜରାଜନଗର ଆସନ ହାତେଇବା ନେଇ ସମସ୍ତେ ଥିଲେ ଆଶାବାଦୀ ।

ଏପଟେ ମଙ୍ଗଳବାର ହେବାକୁ ଥିବା ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ମତଦାନ କରିବା ପାଇଁ କରାଯାଇଥିବା ବ୍ୟବସ୍ଥା ମଧ୍ୟରେ ରହିଛି…

  • ୧୨୨୮ ପୋଲିଂ ଅଧିକାରୀ ନିଯୁକ୍ତ ହୋଇଛନ୍ତି
  • ୧୦୦୦ ପୋଲିସ ଅଧିକାରୀ ନିୟୋଜିତ ହେବେ
  • ୨୭୯ ବୁଥରେ ହେବ ମତଦାନ
  • ୬୦ ବୁଥ୍ ସମ୍ବେଦନଶୀଳ ଘୋଷଣା କରାଯାଇଛି
  • ୫୦% ବୁଥରେ ହେବ ୱେବକାଷ୍ଟିଂ
  • ୩୦ ମଡେଲ ପୋଲିଂ ବୁଥ୍ ଓ ୫ ପିଙ୍କ୍ ବୁଥ୍

ଏ ବାବଦରେ ତଥ୍ୟ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ନିଜର ସଫଳତା ଓ ବିରୋଧୀଙ୍କ ବିଫଳତା ପରେ ସ୍ଥାନୀୟ ସମସ୍ୟାକୁ ନେଇ ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ କରୁଛନ୍ତି ପ୍ରାର୍ଥୀ । ଏହାରି ଭିତରେ ମହାନଦୀ, ଓରିଏଣ୍ଟ କାଗଜ କଳ ଓ ବିସ୍ଥାପିତଙ୍କ ସମସ୍ୟା ଆଦି ପ୍ରସଙ୍ଗ ମଧ୍ୟ ଗୁରୁତ୍ୱ ବହନ କରୁଛି । ତେଣୁ ଏବେ ଅପେକ୍ଷା, ବ୍ରଜରାଜନଗରବାସୀ କାହା ମୁଣ୍ଡରେ ସୁନା କଳସୀ ଢାଳୁଛନ୍ତି ।