‘ ମୁଁ ତାଙ୍କ ମନ ଜିତିପାରିଲିନି’ … ଛାତ୍ରମାନେ ସ୍କୁଲ ଛାଡି ଅନ୍ୟ ସ୍କୁଲରେ ନାଁ ଲେଖାଇଲେ ବୋଲି ଆତ୍ମହତ୍ୟା କଲେ ଶିକ୍ଷକ

1,230

କନକ ବ୍ୟୁରୋ: ‘ଭାବିଥିଲି ଏ ସ୍କୁଲକୁ ଆସି ଏହାର ବିକାଶ କରିବି । ଏଠିକା ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ସୁଧାରିବି । ହେଲେ ଅନେକ ଚେଷ୍ଟା ପରେ ବି ସେମାନଙ୍କ ମନ ଜିତି ପାରିଲିନି । ଶେଷରେ ୯ଜଣ ପିଲା ଅନ୍ୟ ସ୍କୁଲରେ ନାଁ ଲେଖାଇଲେ । ଏହାକୁ ମୋତେ କଷ୍ଟ ଦେଇଛି । ତେଣୁ ମୁଁ ଆତ୍ମହତ୍ୟା କରୁଛି’ ।

ଏହା ହେଉଛି ସମ୍ପର୍କୀୟଙ୍କୁ ଜଣେ ସ୍କୁଲ ଶିକ୍ଷକ ପଠାଇଥିବା ହ୍ୱାଟ୍ସଆପ୍ ମେସେଜ୍ । ପୁଣେର ସିଙ୍ଗଲ ଟିଚର ପ୍ରାଇମେରୀ ସ୍କୁଲର ଶିକ୍ଷକ ଥିଲେ ଅରବିନ୍ଦ ଦେଓକର । କିନ୍ତୁ ୩ମାସ ଭିତରେ ସେ ବଦଳି ହୋଇଥିବା ସ୍କୁଲରୁ ୯ ଜଣ ପିଲା ଟିସି ନେଇ ଆଉ ଏକ ସ୍କୁଲରେ ନା ଲେଖାଇବାରୁ ଏହାକୁ ସହ୍ୟ କରିପାରିନଥିଲେ ଶିକ୍ଷକ ଅବରବିନ୍ଦ । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସନ୍ତୁଷ୍ଟ କରିପାରିନଥିବା ଅନୁଭବ କରି ଶେଷରେ ଆତ୍ମହତ୍ୟା ପରି ଚରମ ପନ୍ଥାକୁ ବାଛିନେଇଥିଲେ । ଏବଂ ଅଗଷ୍ଟ ୩ ତାରିଖରେ ସ୍କୂୁଲ ଶ୍ରେଣୀଗୃହରେ ବିଷ ପିଇ ଆତ୍ମହତ୍ୟ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇ ଚକିତ୍ସା କରାଯାଇଥିଲେ ବି ୫ ଦିନ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଗଣମାଧ୍ୟମ ରିପୋର୍ଟ ମୁତାବକ, ପୁଣେର ବୋରିଏଣ୍ଡି ଗାଁରେ ପାହାଡ , ବଣ ଘେରା ପରିବେଶରେ ଥିଲା ପ୍ରାଇମେରୀ ସ୍କୁଲ । ହୋଲ ବସ୍ତି ପ୍ରାଇମେରୀ ସ୍କୁଲକୁ ଜୁନ ୧୬ ତାରିଖରେ ହୋଇଥିଲା ଅରବିନ୍ଦ ଦେବକରଙ୍କ ବଦଳି । ଏହି ସ୍କୁଲରେ ସେ ହିଁ ଉଭୟ ଶିକ୍ଷକ , ଚପରାସି ଆଉ କିରାଣୀ କାମ ଏକା ଏକା କରୁଥିଲେ । ବଦଳି ସମୟରେ ଏହି ସ୍କୁଲକୁ ସେ ପ୍ରାଥମିକତା ଦେଇ ଏଠାକୁ ବଦଳି ପାଇଁ ଅପିଲ କରିଥିଲେ । ହେଲେ ସେ ଯୋଗ ଦେବା ସମୟରେ ସ୍କୁଲର ପରିସ୍ଥିତି ଶୋଚନୀୟ ଥିଲା । ବିଦ୍ୟାଳୟ ଚାରିପଟ ଗଛଲତାରେ ଭରିଯାଇଥିଲା । ସ୍କୁଲରେ ପଢୁଥିଲେ ମାତ୍ର ୧୦ ଜଣ ଛାତ୍ରଛାତ୍ରୀ । ଏଭଳି ସ୍ଥିତି ଦେଖିବା ପରେ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ନେଇଥିଲେ ଅରବିନ୍ଦ । ସ୍କୁଲର କାୟାକଳ୍ପ ବଦଳାଇ ଏଠିକା ପିଲାଙ୍କୁ ଠିକ ଶିକ୍ଷାଦାନ ପାଇଁ ସେ ପଣ କଲେ । ହେଲେ ଏସବୁ ସେବା ମନବୃତ୍ତି ଯେପରି ତାଙ୍କ ପାଇଁ କାଳ ହୋଇଗଲା ।

ପାଠପଢା ସହ ପ୍ରଥମେ ପିଲାଙ୍କ ସହାୟତାରେ ସ୍କୁଲ ପରିସରକୁ ସଫା କରିଥିଲେ । ହେଲେ ଏହାକୁ ଭୁଲ ଭାବେ ଗ୍ରହଣ କରିଥିଲେ ଅଭିଭାବକ । ସେମାନଙ୍କ ପିଲାଙ୍କୁ କାମରେ କାହିଁକି ଲଗାଉଛନ୍ତି ବୋଲି ସଫେଇ ମାଗିଥିଲେ । ଏହାସହ ଅନ୍ୟ ଅଭିଯୋଗର ଫର୍ଦ୍ଦ ବି ଯୋଡିଦେଇଥିଲେ । ଯେଉଁଠି ଶିକ୍ଷାଦାନ ଠପ୍ ହୋଇଯାଉଥିଲା ସେଠି ଅରବିନ୍ଦଙ୍କ ସେବାକୁ ବୁଝିବାକୁ କେହି ପ୍ରସ୍ତୁତ ନଥିଲେ । ଘର ଘର ବୁଲି ଅରବିନ୍ଦ ଅଭିଭାବକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ବି କେହି ବୁଝିନଥିଲେ । ୩ ମାସ ପରେ ୧୦ରୁ ୯ ଜଣ ପିଲା ସ୍କୁଲରୁ ଟିସି ନେଇ ସେଠାରୁ ୨ କିମି ଦରରେ ଥିବା ଆଉ ଏକ ସ୍କୁଲରେ ନାଁ ଲେଖାଇଥିଲେ । ଏହାକୁ ସହ୍ୟ କରିପାରିନଥିଲେ । ଏହି ଘଟଣାକୁ ନେଇ ମାନସିକ ଅବସାଦରେ ରହୁଥିଲେ ଅରବିନ୍ଦ । ଏହାକୁ ନିଜର ଜଣେ ସମ୍ପର୍କୀୟଙ୍କ ସହ ହ୍ୱାଟ୍ସଆପ ମେସେଜରେ ସେୟାର କରିଥିଲେ ଏବଂ ଅଷ୍ଟ ୩ ତାରିଖରେ ସ୍କୁଲରେ ଥିବାବେଳେ ଆତ୍ମହତ୍ୟା କରିଥିଲେ ।

ଏହି ଘଟଣାକୁ ଅରବିନ୍ଦଙ୍କ ପରିବାର ଲୋକେ ସ୍ୱୀକାର କରିଥିବାବେଳେ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ତାଙ୍କ ପତ୍ନୀ ଓ ପୁଅ ଝିଅ ଗାଁକୁ ଚାଲିଯାଇଛନ୍ତି । ପୂର୍ବରୁ ଏକାଧିକ ସ୍କୁଲରେ ନିଜ ପାଠପାକୁ ନେଇ ସୁନାମ ଅର୍ଜନ କରିଥିବା ଅରବିନ୍ଦଙ୍କ ପାଇଁ ବୋରିଏଣ୍ଡି ଗାଁର ଏହି ସ୍କୁଲ ଯେମିତି ଅଭିଶାପ ପାଲଟିଗଲା । ଆଜି ତାଙ୍କୁ ତାଙ୍କ ପୂର୍ବ ଛାତ୍ରଛାତ୍ରୀମାନେ ଝୁରୁଛନ୍ତି ।