ସଂକଟ ବେଳେ କିଭଳି କବଚ ସାଜିଥାନ୍ତି ଆମ ଉଦ୍ଧାରକାରୀ ଦଳ। ଜାଣନ୍ତୁ ପ୍ରାକୃତିକ ବିପର୍ଯ୍ୟୟକୁ କିଭଳି ସଫଳତାର ସହ କରିଥାନ୍ତି ମୁକାବିଲା

164

କନକ ବ୍ୟୁରୋ : ଆରବ ସାଗରରେ ଏବେ ବାତ୍ୟା ‘ବିପର୍ଯ୍ୟୟ’ ଲହଢି ଭାଙ୍ଗୁଛି । ୩୦ ରୁ ୪୦ ଫୁଟ ଉଚ୍ଚତାରେ ଢେଉ ଆସୁଛି । ପବନର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ଚାଲିଛି  । ଏନେଇ ଗୁଜରାଟ ସରକାର ରାଜ୍ୟର ୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି । ଏହାସହ ଭାରତୀୟ ପାଗଣିପାଗ ବିଭାଗ ଦେଶର ୯ଟି ରାଜ୍ୟକୁ ଆର୍ଲଟ କରିଛି ।

ସେପଟେ ପବନକୁ ଟକ୍କର ଦେଉଛନ୍ତି ଭାରତୀୟ ସେନାର କୋଷ୍ଟଗାର୍ଡ, ଏନଡିଆରଏଫ,ଏସଡିଆରଏଫ, ସ୍ଥାନୀୟ ପୋଲିସ ଓ ଅର୍ଦ୍ଧସୈନିକ ବଳ । ଲୋକଙ୍କୁ ବଞ୍ଚାଇବାକୁ ପବନ ଆଗରେ ଛାତି ପତେଇ ଦେଇଥାନ୍ତି ଏହି ଉଦ୍ଧାରକାରୀ ଦଳ । ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷାକରି ସେମାନେ ଯେଭଳି ଭାବେ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରନ୍ତି ତାହା ଦେଖିଲେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ ।

ପ୍ରଥମେ ଭାରତୀୟ ପାଣିପାଗ ବିଭାଗ ଇସ୍ରୋ ଦ୍ୱାରା ଲଂଚ କରାଯାଇଥିବା ସାଟେଲାଇଟ ଓ ରାଡାର ମାଧ୍ୟମରେ ଦେଶର ପାଖାପାଖି ପାଣିପାଗ ଉପରେ ନଜର ରଖିଥାଏ । ଯେତେବେଳେ ପାଣିପାଗ ବିଭାଗ କୌଣସି ବାତ୍ୟା ଆସୁଥିବାର ସୂଚନା ପାଇଥାଏ ସେତେବେଳେ ତାର ଦିଗ , ଗତି ଓ ତୀବ୍ରତା ଆଦିକୁ ଟ୍ରାକ୍ କରିଥାଏ । ଏହାପରେ ବାତ୍ୟା ଆସୁଥିବା ରାସ୍ତାରେ ପଡୁଥିବା ରାଜ୍ୟ, କେନ୍ଦ୍ର ସରକାର ଓ ଏନଡିଆରଏଫକୁ ସୂଚନା ଦିଆଯାଇଥାଏ ।

ଯେତେବେଳେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିଥାଏ ସେତେବେଳେ ପ୍ରଥମେ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରେଟି ବା ଏନଡିଏମଏ କାର୍ଯ୍ୟ ଆରମ୍ଭ କରିଥାଏ । ଏହି ସଂସ୍ଥାର ମୁଖ୍ୟ ଭାବେ ଭାରତର ପ୍ରଧାନମନ୍ତ୍ରୀ ରହିଛନ୍ତି । ଏହି ସଂସ୍ଥା ଅଧିନରେ ଆସୁଥିବା ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ଫୋସ ପ୍ରଥମେ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଂଚାଇବାର କାମ କରିଥାଏ ।

ଏହାପରେ ଆସିଥାଏ ଏନଇସି ବା ନ୍ୟାସନାଲ ଏକଜିକ୍ୟୁଟଭ୍ କମିଟି । ଏହା ଭାରତ ସରକାରଙ୍କ ଉଚ୍ଚସ୍ତରୀୟ କମିଟିର ତତ୍ୱାବଧାନରେ ପରିଚାଳିତ ହୋଇଥାଏ । ଏହି ସଂସ୍ଥାର ପ୍ରମୁଖ ଗୃହମନ୍ତ୍ରୀଙ୍କ ସଚିବ । ତାଙ୍କ ଅଧିନରେ କୃଷି, ପରମାଣୁ ଶକ୍ତି, ସୁରକ୍ଷା, ଜଳ ଯୋଗାଣ, ପରିବେଶ ଭଳି ମନ୍ତ୍ରଣାର ସଚିବ ସାମିଲ ଥାନ୍ତି । ଏହି କମିଟି ରାଷ୍ଟ୍ରୀୟ ବିପର୍ଯ୍ୟୟ ସଂପର୍କୀତ ସମସ୍ତ ନୀତି ଓ ଯୋଜନା ପ୍ରସ୍ତୁତ କରିଥାନ୍ତି ।

ଏସଡିଏମଏ ବା ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରେଟି । ଏହି ସଂସ୍ଥା ପ୍ରତ୍ୟେକ ରାଜ୍ୟରେ ଥାଏ । ଏହାର ମୁଖ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଥାନ୍ତି । ରାଜ୍ୟରେ ଏନେଇ ଏକ ଷ୍ଟେଟ୍ ଏକଜୁକ୍ୟୁଟିଭ କମିଟି ପ୍ରସ୍ତୁତ ହୋଇଥାଏ । ଏହି କମିଟି ଏସଡିଏମଏ ସହିତ ମିଳିତ ଭାବେ କାର୍ଯ୍ୟ କରିଥାନ୍ତି । ଯଦି ବଡ ବିପର୍ଯ୍ୟୟ ଆସେ ତେବେ ଏହି ସଂସ୍ଥା କେନ୍ଦ୍ରୀୟ ଏଜେନ୍ସି ସହ ମିଳିତ ଭାବେ କାର୍ଯ୍ୟ କରିଥାଏ ।

ଡିଡିଏମଏ ବା ଡିଷ୍ଟ୍ରିକ୍ଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରେଟି । ଏହାର ମୁଖ୍ୟ ଜିଲ୍ଲାଧିକାରୀ ବା ଜିଲ୍ଲାପାଳ ରହିଥାନ୍ତି । ଏହାସହ ଏହି କମିଟିରେ ଜିଲ୍ଲା କମିଶନର କିମ୍ବା ଜିଲ୍ଲା ମାଜିଷ୍ଟ୍ରେଟ, ସ୍ଥାନୀୟ ଅଥରେଟିରୁ ଲୋକଙ୍କୁ ଚୟନ କରାଯାଇଥାଏ । ଏହି ସଂସ୍ଥାର କାମ ହେଉଛି କି, ଏନଡିଏମଏ ଓ ଏସଡିଏମଏ ଯେଉଁ ନିୟମ ବନାଇଥାନ୍ତି ତାହାକୁ ପାଳନ କରିଥାଏ ।

ଏହାସହ ସ୍ଥାନୀୟ ପ୍ରଶାସନ, ନଗରପାଳିକା, ପଞ୍ଚାୟତିରାଜ ସଂସ୍ଥା, ଜିଲ୍ଲା ପ୍ରଶାସନ, ଟାଉନ ପ୍ଲାନିଂ ଅଥରେଟି ମିଳିତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଥାନ୍ତି । ସେମାନଙ୍କୁ ବେଳେ ବେଳେ ସେନା କିମ୍ବା ଉଦ୍ଧାରକାରୀ ଦଳ ସହାୟତା ଯୋଗାଇ ଦେଇଥାନ୍ତି ।

ସେପଟେ ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟର ସୂଚନା ମିଳିଥାଏ ସେତେବେଳେ ସେନା, ଅର୍ଦ୍ଧସାମରିକବଳକୁ ସକ୍ରିୟ କରାଯାଇଥାଏ । ସମସ୍ତ ଏନଡିଏମଏଳ ଏସଡିଏମଏ, ଏନଡିଆରଏଫ ଓ ଏସଡିଆରଏଫ ମିଳିତ ଭାବେ ଲୋକଙ୍କ ଧନଜୀବନ ରକ୍ଷା କରିବା କାମରେ ଲାଗିଥାନ୍ତି ।