ଶେଷ ୧୯ ବଲରେ ୬୧ ରନ୍, ସୂର୍ଯ୍ୟଙ୍କ ବିସ୍ଫୋରକ ଶତକ ଦେଖିଲା ବିଶ୍ୱ ।

2,525

କନକ ବ୍ୟୁରୋ : ଟି-୨୦ ଫର୍ମାଟରେ ବିଶ୍ୱର ଏକ ନମ୍ବର ବ୍ୟାଟର ସୂର୍ଯ୍ୟ କୁମାର ଯାଦବଙ୍କ ବ୍ୟାଟ ପୁଣି ଗର୍ଜିଛି । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ବିସ୍ଫୋରକ ଶତକ ହାସଲ କରିଛନ୍ତି ସୂର୍ଯ୍ୟ । ଟି-୨୦ ଫର୍ମାଟରେ ଏହା ସୂର୍ଯ୍ୟକୁମାର ଯାଦବଙ୍କ ଦ୍ୱିତୀୟ ଶତକ । ମାତ୍ର ୫୧ ବଲରୁ ୧୧୧ ରନର ଇନିଂସ ଖେଳିଛନ୍ତି ସୂର୍ଯ୍ୟକୁମାର । ଯେଉଁଥିରେ ୧୧ଟି ଚୌକା ଓ ୭ଟି ଛକା ରହିଛି ।

ଶେଷ ୫ ଓଭରରେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିଥିଲା ବିଶ୍ୱ । ମୈଦାନର ପ୍ରତିଟି କ୍ଷେତ୍ରକୁ ସଟ୍ ଖେଳିଥିଲେ ସୂର୍ଯ୍ୟକୁମାର । ସୂର୍ଯ୍ୟ ନିଜର ପ୍ରଥମ ୫୦ ରନ୍ ୩୨ ବଲରେ ପୂରା କରିଥିଲେ । ସେହିଭଳି ଶେଷ ୧୯ ବଲରେ ୬୧ ରନ କରିଥିଲେ ସୂର୍ଯ୍ୟକୁମାର । ଏହି ଶତକ ସହ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସୂର୍ଯ୍ୟକୁମାର ଯାଦବ ୩୦ ମ୍ୟାଚରୁ ୧୧୫୧ ରନ କରିବାକୁ ସକ୍ଷମ ହୋଇଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷରେ ନିର୍ଦ୍ଧାରିତ ଓଭରରେ ୧୯୧ ରନ୍ କରିବାକୁ ସକ୍ଷମ ହୋଇଛି ଟିମ୍ ଇଣ୍ଡିଆ । ଏହାସହ ନ୍ୟୁଜିଲାଣ୍ଡ ସାମ୍ନାରେ ୧୯୨ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ଟିମ୍ ଇଣ୍ଡିଆ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୧୧୧ ରନ୍ କରିଥିବା ବେଳେ ଇଶାନ କିଷାନ ୩୬, ହାର୍ଦ୍ଦିକ ପାଣ୍ଡ୍ୟା ଓ ଶ୍ରେୟସ ଆୟର ୧୩ ରନ ଲେଖାଏଁ କରିଥିଲେ । ଗୋଟିଏ ସମୟରେ ଭାରତ ୨୦୦ ସ୍କୋର ଆଡକୁ ବଢୁଥିବା ବେଳେ ଶେଷ ଓଭରରେ ହାଟ୍ରିକ ନେଇ ଟିମ୍ ଇଣ୍ଡିଆକୁ ଏହି ସ୍କୋରରୁ ବଞ୍ଚିତ କରିଥିଲା ନ୍ୟୁଜିଲାଣ୍ଡ ।