ମଣିପୁର ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା । କହିଲେ, ୧୪ଦିନ ଧରି କାହିଁକି ହୋଇନଥିଲା କାର୍ଯ୍ୟାନୁଷ୍ଠାନ

164

କନକ ବ୍ୟୁରୋ : ମଣିପୁର ଭାଇରାଲ ଭିଡିଓକୁ ନେଇ ସୁପ୍ରିମକୋର୍ଟ ସୋମବାର ଦିନ ଶୁଣାଣି କରିଛନ୍ତି । ଏହି କ୍ରମରେ କୋର୍ଟ କେନ୍ଦ୍ର ସରକାରଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି କି, ମେ’୪ ତାରିଖରେ ଘଟଣା ଘଟିଲା ଓ ପୋଲିସ ମେ ୧୮ ତାରିଖରେ ମାମଲା ରୁଜୁ କଲା । ଘଟଣା ଘଟିବାର ୧୪ ଦିନ ପର୍ଯ୍ୟନ୍ତ ପୋଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଭିଡିଓ ସାମ୍ନାକୁ ଆସିବା ପରେ ଜଣାପଡିଲା କି, ଜଣେ ମହିଳାଙ୍କୁ ନଗ୍ନ କରି ପରେଡ କରାଯାଇଛି ଓ ଅତିକମରେ ୨ଜଣ ମହିଳାଙ୍କ ସହ ବଳାକ୍ରାର ହୋଇଛି । ହେଲେ ସେଠାରେ ପୋଲିସ କଣ କରୁଥିଲା ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ।

ମୁଖ୍ୟ ବିଚାରପତି ପଚାରିଥିଲେ କି ଧରନ୍ତୁ ମହିଳାଙ୍କ ବିରୋଧରେ ହୋଇଥିବା ହଂସାକୁ ନେଇ ହଜାରେ ଅଭିଯୋଗ ଦାଖଲ ହୋଇଛି । ସିବିଆଇ କଣ ସବୁ ଘଟଣାର ତଦନ୍ତ କରିପାରିବ ? ଏନେଇ ସରକାରଙ୍କ ତରଫରୁ ନିଯୁକ୍ତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ କି ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ପାହ୍ୟାର ଜଣେ ମହିଳା ଅଧିକାରୀଙ୍କ ତଦନ୍ତ ଟିମରେ ସାମିଲ କରାଯିବ । ସେପଟେ ସରକାରଙ୍କ ତରଫରୁ ଉପସ୍ଥିତ ଥିବା ଆର୍ଟୋନୀ ଜେନେରାଲ ଆର ଭେଙ୍କେଟରମନୀ କହିଛନ୍ତି କି, ମଙ୍ଗଳବାର ଦିିନ ପ୍ରତି ମାମଲା ଉପରେ ତଥ୍ୟ ସହ ସୂଚନା ଦିଆଯିବ ।

ମୁଖ୍ୟ ବିଚାରପତି ପଚାରିଥିଲେ କି ୬ ହଜାର ଅଭିଯୋଗର ବର୍ଗିକରଣ କଣ, ଏଥିରେ କେତେ ଶୂନ୍ୟ ଅଭିଯୋଗ ରହିଛି, ତା ଉପରେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି, କେତେ ଜଣ ଗିରଫ ହୋଇଛନ୍ତି ତାହା ଜାଣିବାକୁ ପଡିବ । ଆସନ୍ତା କାଲି ଏହି ମାମଲା ଉପରେ ଆମେ ପୁର୍ନବାର ଶୁଣାଣି କରିବୁ ବୋଲି ମୁଖ୍ୟ ବିଚାରପତି କହିଛନ୍ତି । ଏହାକୁ ନେଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି କି ମଙ୍ଗଳବାର ସକାଳ ସୁଦ୍ଧା ଅଭିଯୋଗଗୁଡିକର ବର୍ଗିକରଣ ଉପଲବ୍ଧ କରାଇବା ସମ୍ଭବ ନୁହେଁ ।