ପରମ୍ପରା ନାଁରେ ଅନ୍ଧବିଶ୍ୱାସ: କୁନି କୁନି ଦିବ୍ୟାଙ୍ଗ ଶିଶୁଙ୍କୁ ବାଲିରେ ପୋତି କରାଯାଉଛି ଚିକିତ୍ସା 

63

କନକ ବ୍ୟୁରୋ: ହିନ୍ଦୁ ଧର୍ମରେ ପୂଜାପାଠକୁ ବେଶୀ ଗୁରୁତ୍ୱ ଦିଆଯାଇଥାଏ । ଧର୍ମ କର୍ମରେ ବିଶ୍ୱାସ ରଖୁଥିବା ମଣିଷ ବି କିଛି ସମୟରେ ଅନ୍ଧବିଶ୍ୱାସର ବଶବର୍ତୀ ହୋଇଯାଏ । ଯେମିତି କୋଣାର୍କ ନବଗ୍ରହ ପୀଠରେ ଚାଲିିଥିବା ଏହି ପୂଜାକୁ ଦେଖିଲେ ସ୍ପଷ୍ଟ ଅନୁମାନ କରିହୁଏ । କୋଣାର୍କ ନବଗ୍ରହ ପୀଠରେ ରହିଛି ଅଜବ ଏକ ପରମ୍ପରା । ଯେଉଁଠି ଦିବ୍ୟାଙ୍ଗ ପିଲାମାନଙ୍କୁ ସୁସ୍ଥ ହେବାକୁ ବାଲିରେ ପୋତିଦିଆଯାଉଛି । ସେମାନଙ୍କୁ ଆରୋଗ୍ୟ କରିବାକୁ ବାଲିରେ ପୋତିଦେବା ପରମ୍ପରା କେବେଠୁ ରହିଆସିଛି । ଲୋକଙ୍କ ବିଶ୍ୱାସ ବାଲିରେ ପୋତିଲେ ଗ୍ରହ ରିଷ୍ଟ ଖଣ୍ଡନ ହୋଇଥାଏ । ପ୍ରତି ଶନିବାର ନବଗହଙ୍କ ପୀଠରେ ଭିଡ ହୋଇଥାଏ । ବେଶୀ କରି ବୈଶାଖ, କାର୍ତିକ ଓ ମାଘ ମାସରେ ପାଳି ଯାତ୍ରାରେ ଲୋକଙ୍କ ପ୍ରବଳ ଭିଡ ହୋଇଥାଏ । ଭିନ୍ନକ୍ଷମ ପିଲାମାନଙ୍କୁ ନେଇ ପରିବାର ଲୋକେ ଅଧା ବାଲିରେ ପୋତି ପକାନ୍ତି । ସେମାନଙ୍କ ବିଶ୍ୱାସ ରହିଛି ଏହି ରୋଗ ଗ୍ରସ୍ତ ଦିବ୍ୟାଙ୍ଗ ପିଲା ସୁସ୍ଥ ହୋଇଯିବେ । ଏନେଇ ଶହଶହ ଦିବ୍ୟାଙ୍ଗ ପିଲାଙ୍କ ଆରୋଗ୍ୟ କାମନା କରି ଅଂଟା ଯାଏ ବାଲିରେ ପୋତାଯାଉଛି ଏହି ପୀଠରେ । ବର୍ଷ ବର୍ଷ ଧରି ଏହି ପରମ୍ପରା ଚାଲିଆସୁଛି । ସେପଟେ ଏହି ଘଟଣା ନେଇ ମାନବ ଅଧିକାର କମିଶନ କ୍ଷୋଭ ପ୍ରକାଶ କରିବା ସହିତ ନିଷେଧାଦେଶ ଜାରି କରିଥିଲେ । ହେଲେ ପ୍ରଶାସନର ଏହି ନିର୍ଦ୍ଦେଶକୁ ମନ୍ଦିର ସେବକ ମାନେ ବିରୋଧ କରିଛନ୍ତି ।