ଜିଇଁବାର ରାହା ଯୋଗାଉଛି ଚପଲ କାରଖାନା ! ମହିଳାଙ୍କୁ ମିଳିଛି ଅର୍ଥ ରୋଜଗାରର ବାଟ

83

କନକ ବ୍ୟୁରୋ: ଘର ଏରୁଣ୍ଡି ଡେଇଁ ଆତ୍ମନିର୍ଭରଶୀଳ ହେଲେ ମହିଳା । ଚପଲ କାରଖାନା ଆରମ୍ଭ କରି ପରିବାରର ରୋଜଗାର ବୃଦ୍ଧିରେ ସହାୟକ ହେଲେ ମହିଳା । ଏଭଳି ଏକ ପ୍ରେରଣାଦାୟୀ କାହାଣୀ ସାମ୍ନାକୁ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ । ପଢନ୍ତୁ କିଭଳି ମହିଳା ଗୋଷ୍ଠୀ ଖୋଜିଛନ୍ତି ଟଙ୍କା ରୋଜଗାରର ବାଟ …

ଏ ଚିତ୍ର କୌଣସି ପ୍ରତିଷ୍ଠିତ ଜୋତା ତିଆରି କାରଖାନାର ନୁହଁ । ୟା ପଛରେ ନାହିଁ କୋଟି କୋଟି ଟଙ୍କାର ପୁଂଜିନିବେଶ । ହେଲେ ସୁନ୍ଦରଗଡ଼ ବଡ଼ଗାଁ ବ୍ଲକ୍ ସାହାଜବାହାଲ୍ ଗାଁର ମହିଳାଙ୍କ ପାଇଁ ଏ ହେଉଛି ଭୋକ ପାଇଁ ଭାତ ଆଉ ନିଜ ଗୋଡ଼ରେ ଛିଡ଼ା ହେବାର ମାଧ୍ୟମ । ଜିଲ୍ଳା ପ୍ରଶାସନ ଓ ଓରମାସ୍ ସହଯୋଗରେ ଗାଁର ଓମ୍ ସାଇ ରାମ୍ ମହିଳା ଗୋଷ୍ଠୀ ମାତ୍ର ୬୦ ହଜାର ଟଙ୍କାର ପୁଂଜିରେ ଗଢ଼ିଛନ୍ତି ଏହି ଚପଲ୍ ତିଆରି କାରଖାନା । କାରଖାନା ଛୋଟ ମହିଳାଙ୍କ ଲକ୍ଷ୍ୟ କିନ୍ତୁ ଆକାଶଛୁଆଁ । ବଜାରରେ ଏହି ହାତ ତିଆରି ଚପଲ୍ ବିକ୍ରି କରି ଆତ୍ମନିର୍ଭରଶୀଳ ହେବାକୁ ଅଂଟା ଭିଡ଼ିଛନ୍ତି ମହିଳା ଗୋଷ୍ଠୀର ସଦସ୍ୟା ।

ଟଙ୍କା ରୋଜଗାର ପାଇଁ ପ୍ରଥମେ ଖଲିଦନା ବ୍ୟବସାୟ ଆରମ୍ଭ କରିଥିଲା ମହିଳା ଗ୍ରୁପ୍ । ତେବେ ଲାଭ ନହେବାରୁ ଚପଲ୍ ବ୍ୟବସାୟ ଆଡ଼କୁ ମନ ବଳାଇଥିଲେ ଗୋଷ୍ଠୀର ସଦସ୍ୟମାନେ । ଏହାପରେ ଓରମାସ୍ ଓ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ବଢ଼ାଇଥିଲା ସହାୟତାର ହାତ ଓ ଆରମ୍ଭ ହୋଇଥିଲା ଚପଲ୍ କାରଖାନା ।

 

ସ୍ୱପ୍ନ ଆଗକୁ ବଢ଼ିବାର । ଲକ୍ଷ୍ୟ ସ୍ୱାବଲମ୍ବୀ ହେବାର । ପୁରୁଷ ସଦସ୍ୟଙ୍କ ସହ ପାଦକୁ ପାଦ ମିଳାଇ ପରିବାରର ଆର୍ଥିକ ଅବସ୍ଥାକୁ ସ୍ୱଚ୍ଛଳ କରିବା ମହିଳାଙ୍କ ଏକମାତ୍ର ଆଶା ଓ ଆକାଂକ୍ଷା । ତେବେ ଗ୍ରୁପର ଏହି ପ୍ରୟାସ ସଫଳ ହେଲେ ଜିଲ୍ଲାର ଅନ୍ୟଭାଗରେ ମଧ୍ୟ ଏଭଳି ଉଦ୍ୟମ କରିବ ଜିଲ୍ଲା ପ୍ରଶାସନ ।