ସାମୟିକ ଭାବେ ଅଚଳ ରହିଛି ଷ୍ଟେଟବ୍ୟାଙ୍କର ନେଟ୍ ବ୍ୟାଙ୍କିଙ୍ଗ ସେବା । ଶନିବାର ସକାଳ ଠାରୁ ଅଚଳ ଥିବାରୁ ଗ୍ରାହକ ଅସନ୍ତୁଷ୍ଟ

517

କନକ ବ୍ୟୁରୋ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗ୍ରାହକମାନେ ଶନିବାର ଦିନ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ସେବାରୁ ବଞ୍ଚିତ ହୋଇଛନ୍ତି । ଏନେଇ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ କାରବାର କରୁଥିବା ଗ୍ରାହକମାନେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ହେଲେ ଷ୍ଟେଟ୍ ବ୍ୟାଙ୍କ ତରଫରୁ ଏନେଇ ପୂର୍ବରୁ ମଧ୍ୟ ସୂଚନା ଦିଆଯାଇଥିଲା । ନିୟନ୍ତ୍ରିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ନେଟ୍ ବ୍ୟାଙ୍କିଙ୍ଗରେ ଏହି ସମସ୍ୟା ଦେଖାଦେଇଥିବା କଥା ବ୍ୟାଙ୍କ ତରଫରୁ ସୂଚନା ଦିଆଯାଇଛି ।

ଷ୍ଟେଟ୍ ବ୍ୟାଙ୍କ ତରଫରୁ କିଛିଦିନ ତଳେ ନେଟ୍ ବ୍ୟାଙ୍କିଙ୍ଗ ସେବା କିଛି ସମୟ ପାଇଁ ବ୍ୟାହତ ହୋଇପାରେ ବୋଲି ସୂଚନା ଦିଆଯାଇଥିଲା । ବ୍ୟାଙ୍କ୍ ତା’ର ସୂଚନାରେ କହିଥିଲା କି ଅକ୍ଟୋବର ୧୪ ତାରିଖ ରାତି ୧୨.୪୦ ରୁ ମଧ୍ୟାହ୍ନ ୨.୩୦ ମିନିଟ୍ ପର୍ଯ୍ୟନ୍ତ ନେଟ୍ ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧ ହେବ ନାହିଁ । ହେଲେ ଖବର ଲେଖା ହେବା ପର୍ଯ୍ୟନ୍ତ ମଧ୍ୟ ଷ୍ଟେଟ୍ ବ୍ୟାଙ୍କର ନେଟ୍ ବ୍ୟାଙ୍କିଙ୍ଗ ସେବା ଠିକ୍ ହୋଇନଥିବା ଦେଖିବାକୁ ମିଳିଛି ।

ଏହି ଅସୁବିଧା ମଧ୍ୟରେ ୟୁପିଆଇ ସହ ଲିଙ୍କ ହୋଇଥିବା ଷ୍ଟେଟ୍ ବ୍ୟାଙ୍କର ଖାତାଗୁଡିକର ପରିଚାଳନାରେ କୌଣସି ଅସୁବିଧା ହୋଇନାହିଁ । ଏହାସହ ବ୍ୟାଙ୍କର ଏଟିଏମ୍ ସେବା ମଧ୍ୟ ଜାରି ରହିଛି ।