କଳ୍ପନା ବାହାରେ ଶ୍ରୀଲଙ୍କାର ସ୍ଥିତି । ଚାଉଳ କେଜି ୭ଶହ ଟଙ୍କାକୁ ଡାଲି ୧୨ ଶହ ଟଙ୍କା

175

କନକ ବ୍ୟୁରୋ : ୭୦ବର୍ଷର ସ୍ୱାଧୀନତା ପରେ ଏବେ ଯେଉଁ ସ୍ଥିତି ଦେଇ ଶ୍ରୀଲଙ୍କା ଗତି କରୁଛି ସେକଥା ହୁଏତ କେହି କେବେ କଳ୍ପନା କରିନଥିବେ । ତକ୍ରାଳୀନୀ ସରକାରଙ୍କ ଭୂଲ ନୀତି ଯୋଗୁଁ ଦେଶର ଏଭଳି ଶୋଚନୀୟ ଅବସ୍ଥା ହୋଇଛି କି ଯେ ସବୁଠି କେବଳ ହା ହା କାର । ଦେଶ ଛାଡି ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଚାଲିଯାଇଛନ୍ତି । ଏପଟେ ଭୋକଉପାସରେ ଆଉଟୁପାଉଟ ହେଉଛନ୍ତି ଜନତା । ଏଭଳି ସ୍ଥିତିରେ ଆଗକୁ ଦେଶର ଅବସ୍ଥା କଣ ହେବ ସେକଥା ହୁଏତ କହିବା ଏକ ପ୍ରକାର ମୁସ୍କିଲ ।

ଆର୍ଥିକ ଓ ରାଜନୈତି ସଙ୍କଟ ଭିତରେ ହୁଲୁସ୍ତୁଲ ହେଉଛି ଶ୍ରୀଲଙ୍କା । ଗମ୍ଭୀର ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ସ୍ଥିତିକୁ ସମ୍ଭାଳିବା ପାଇଁ ଏବେ କାମଚଳା ରାଷ୍ଟ୍ରପତି ଭାବେ ରନିଲ ବିକ୍ରମସିଂଘେଙ୍କୁ ଦାୟିତ୍ୱ ଦିଆଯାଇଛି । ସେପଟେ ୭ଦିନ ଭିତରେ ଦେଶକୁ ନୂଆ ରାଷ୍ଟ୍ରପତି ମିଳିବ ବୋଲି କହିଛନ୍ତି ସଂସଦର ବାଚସ୍ପତି ମହିନ୍ଦା ୟାପା ଅଭୟବର୍ଦ୍ଦନ । ଜୁଲାଇ ୨୨ରେ ହେବ ରାଷ୍ଟ୍ରପତି ନିର୍ବାଚନ । ଗୁରୁବାର ରାଷ୍ଟ୍ରପତି ପଦରୁ ଗୋଟବାୟା ରାଜପକ୍ଷେ ଇସ୍ତଫା ମଧ୍ୟ ଦେଇସାରିଛନ୍ତି । ସେପଟେ ଦେଶରେ ଦେଖାଯାଇଥିବା ଉତେଜନାପୂର୍ଣ୍ଣ ମାହୋଲକୁ ଆୟତ କରିବା ପାଇଁ ସେନାକୁ ଦାୟିତ୍ୱ ଦିଆଯାଇଛି । ରାଷ୍ଟ୍ରପତି ଭବନକୁ କବଜା କରି ରଖିଥିବା ଆନ୍ଦୋଳନକାରୀଙ୍କୁ ସେନା ବାହାର କରିଛି । ଦେଶ ଛାଡି ମାଲଦ୍ୱୀପରୁ ଯାଇ ସିଙ୍ଗାପୁରରେ ପହଁଚିସାରିଛନ୍ତି ଗୋଟବାୟା ରାଜପେକ୍ଷ । ସାଥିରେ ପତ୍ନୀ ଓ ଦୁଇଜଣ ବର୍ଡିଗାର୍ଡ ଥିବା ଏକ ଫଟୋକୁ ଜାରି କରିଛି ଶ୍ରୀଲଙ୍କାର ଦୈନିକ ଖବରକାଗଜ ଡେଲି ମିରର ।

ଶ୍ରୀଲଙ୍କା ରାଜନୈତିକ ସଙ୍କଟର ସବୁଠୁ ବଡ କାରଣ ସରକାରଙ୍କ ଆର୍ଥିକ ନୀତି । ସରକାରଙ୍କ ଭୁଲ ନୀତି ଯୋଗୁଁ ସ୍ଥିତି ଏଭଳି ହୋଇଛି କି ଦେଶରେ ଅତ୍ୟାବଶକୀୟ ଜିନିଷର ଦରଦାମ ଆକାଶ ଛୁଆଁ ହୋଇଛି । ଗୋଟେ ପଟେ ରାଜନୈତିକ ସଙ୍କଟ ଅନ୍ୟପଟେ ଦେଶର ଆର୍ଥିକ ସ୍ଥିତି ଏଭଳି ଭାବେ ଦୋହଲିଯାଇଛି କି ଶ୍ରୀଲଙ୍କାବାସୀ ଭୋକରେ ଆଉଟୁପାଉଟୁ ହେଉଛନ୍ତି । ଦେଶରେ ସବୁ କିଛିର ଦାମ ଏବେ ଆକାଶଛ୍ରୁଆଁ ହୋଇଛି ।

• ଚାଉଳ କେଜି ପ୍ରତି ୪ଶହ ଟଙ୍କାର ବୃଦ୍ଧି ପାଇ ୭ଶହ ଟଙ୍କା
• ଆଳୁ-ପିଆଜ ଦର କେଜି ପ୍ରତି ୨୫୦ଟଙ୍କା
• ରସୁଣ କେଜି ୭ଶହ ଟଙ୍କା
• ୧ ନଡିଆ ଦାମ ୧୦୦ ଟଙ୍କା
• ନଡିଆ ତେଲ ପ୍ରତି ଲିଟର ପିଛା ୧ହଜାର ଟଙ୍କା
• ରାଜମା କେଜି ୯ଶହ ଟଙ୍କା
• ଡାଲି ଜାତୀୟ ସାମଗ୍ରୀର ଦାମ ୪୦୦ରୁ ୧୨୦୦ ଟଙ୍କା

ରାଜପକ୍ଷେ ପରିବାର ଯୋଗୁଁ ଶ୍ରୀଲଙ୍କାର ଏଭଳି ସ୍ଥିତି ହୋଇଥିବା ସେଠାକାର ଜନତା ଅଭିଯୋଗ କରିଆସୁଛନ୍ତି । ଏବେ ପ୍ରଶ୍ନ ଉଠୁଛି ଆଗକୁ ଦେଶର ଦାୟିତ୍ୱ ନେବ କିଏ? କିଭଳି ସୁଧୁରିବ ଏଠାକାର ଆର୍ଥିକ ଓ ରାଜନୈତିକ ସ୍ଥିତି !