ଅଣ୍ଟାଏ ପାଣିରେ ଗଲେ ବିଡ଼ିଓ ବାବୁ । ଘର ଘର ବୁଲିଲେ, ଦୁଃଖ ଦୁର୍ଦ୍ଦଶା ବୁଝିଲେ ।

165

କନକ ବ୍ୟୁରୋ: ଅପହଞ୍ଚ ଦୁର୍ଗମ ଅଞ୍ଚଳରେ ସରକାରୀ ବାବୁ । ଯେଉଁଠି ପୂର୍ବରୁ ପହଞ୍ଚିନଥିଲା ପ୍ରଶାସନ, ମିଳିନାହିଁ ସରକାରୀ ସୁବିଧା, ଯାହାକୁ କୁହନ୍ତି ଅପହଞ୍ଚ ଇଲାକା । ସେଠିକାର ସମସ୍ୟା ବୁଝିବା ପାଇଁ ଅଣ୍ଟାଏ ପାଣିରେ ଗଲେ ବିଡ଼ିଓ ବାବୁ । ଘର ବାରଣ୍ଡାରେ ବସି ଲୋକଙ୍କ ସମସ୍ୟା ବୁଝିଲେ । ଯାହାକୁ ନେଇ ଏବେ ଚର୍ଚ୍ଚାରେ ବିଡ଼ିଓ ବାବୁ ।

କାମାକ୍ଷାନଗର କାନପୁରା ପଞ୍ଚାୟତର କଳାମାଟି ସାହିରେ ପାଣିରେ ପଶି ପଶି ପହଞ୍ଚିଲେ ବିଡ଼ିଓ ବିକାଶ କୁମାର ମହାନ୍ତି । ଅଣ୍ଟାଏ ପାଣିରେ ହିଁ ଲୋକଙ୍କ ସହ ଆଲୋଚନା କରି କରି ଦୁଃଖ ଦୁର୍ଦ୍ଦଶା ସବୁ ବୁଝିଲେ । ଯେଉଁ ଗାଁଲୋକେ ସକରାରୀ ଯୋଜନା କ’ଣ ଜାଣି ନାହାନ୍ତି, ବର୍ଷ ବର୍ଷ ହେବ ବିଭିନ୍ନ ସମସ୍ୟାରେ ଜୀବନ ବିତାଉଛନ୍ତି, ସେଠିକାର ଦୟନୀୟ ସ୍ଥିତିକୁ ପାଖରୁ ଦେଖିବାକୁ ପହଞ୍ଚିଗଲେ ବିଡ଼ିଓ ବାବୁ । ରାମିଆଳ ନଦୀରେ ଅଣ୍ଟାଏ ପାଣିରେ ପଶି ଗାଁକୁ ଚାଲି ଚାଲି ଯାଇ ଘର ଘର ବୁଲି ଅନୁଧ୍ୟାନ କରିଛନ୍ତି ।

ଗାଁ ଲୋକମାନେ ମଧ୍ୟ ସରକାରୀ ବାବୁଙ୍କୁ ଗାଁରେ ପାଇ ବହୁତ ଖୁସି । କାରଣ ବିଡ଼ିଓ ବାବୁ ପାଖକୁ ଆସିଛନ୍ତି, ଆଉ ଲୋକଙ୍କ ପିଣ୍ଡାରେ ତଳେ ବସି ଗାଁର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରୁଛନ୍ତି । ସେଥିପାଇଁ ତ ସମସ୍ତେ ଅଭିଯୋଗ ନେଇ ବିଡିଓଙ୍କ ପାଖକୁ ଦୌଡ଼ି ଆସିଛନ୍ତି । ସମସ୍ତଙ୍କ ସମସ୍ୟା ଗୋଟି ଗୋଟି କରି ଖାତାରେ ଟିପି ରଖିଲେ ବିଡିଓ । ଭତାରୁ ନେଇ ଘର ଯାଏ ସମସ୍ତଙ୍କୁ ସବୁ ସୁବିଧା ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଡ଼ିଓ ବାବୁ ।

ଏହି ଗାଁରେ ସମସ୍ୟା ଅନେକ । ଗାଁର ଲୋକଙ୍କ ଦୁଃଖ ପାଲଟିଛି ରାମିଆଳ ନଦୀ । ଗାଁରେ ଗମନା ଗମନ ସମସ୍ୟା ଥିବା ବେଳେ ନଦୀପାର ହୋଇ ଯାଉଛନ୍ତି ଲୋକମାନେ । ବର୍ଷର ୪ ମାସ ନଦୀରେ ପାଣି ରହୁଥିବାବେଳେ ବିପଦଶଙ୍କୁଳ ଭାବେ ଯାତ୍ରା କରୁଛନ୍ତି ଛୋଟରୁ ବଡ ସମସ୍ତେ ।

ସବୁଠୁ ବଡ଼ କଥା ହେଲା ଗୁରୁତର ଅବସ୍ଥାରେ ଜଣେ ରୋଗୀକୁ ନେବା ମୁସ୍କିଲ ହୋଇପଡେ । ଖଟିଆରେ ବୋହି ବୋହି ରାମିଆଳ ନଦୀ ପାର ହୋଇ ମେଡିକାଲ ଯାଇଥାନ୍ତି ଗାଁର ଲୋକମାନେ । ଅନେକ ଦିନରୁ ଗାଁ ଲୋକଙ୍କ ଦାବି ହୋଇ ଆସୁଥିଲେ ମଧ୍ୟ ନଦୀ ଉପରେ ସେତୁଟିଏ ନିର୍ମାଣ ହୋଇପାରି ନାହିଁ । ଏବେ ପାଖରେ ପ୍ରଶାସନ ପହଞ୍ଚିବା ପରେ ଏସବୁ ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛନ୍ତି ଗ୍ରାମବାସୀ ।