ଆରପାରିକୁ ଚାଲିଗଲେ ସ୍ୱାମୀ, ପଇସା ପାଇ ପରକରିଦେଲା ବୋହୂ : ଏକାକୀ ଜୀବନ ଯନ୍ତ୍ରଣା ସହ ଲଢ଼େଇ କରୁଛନ୍ତି ନିଆଳିର ସହିଦ ପ୍ରଦୀପ ରାଉତଙ୍କ ମା’

653

କନକ ବ୍ୟୁରୋ : ଓଃ କି ଦୁଃଖ… କି ଯନ୍ତ୍ରଣା… ସହିଦ ପୁଅର ଫଟୋକୁ ଛାତିରେ ଚାପି ଧରିଛି ସ୍ନେହମୟୀ ମା’ । ପଣତ କାନିରେ ପୋଛି ଦେଉଛି, ଆଖିର ଲୁହକୁ ଓଠରେ ପିଇ ଗୁମୁରି କାନ୍ଦୁଛି ବୟସର ଅପରାହ୍ନରେ ଥିବା ବୁଢ଼ୀ ମା’ । ପୁଅ ଫେରିବନି ଜାଣିକି ମଧ୍ୟ ଦୂଆର ମୁହଁରେ ପୁଅର ଫେରିବା ବାଟକୁ ଚାହିଁ ବସିଛି ।

ମା’ ଝୁରୁଛି, ଗାଁ ବି ଝୁରୁଛି । ନିଆଳି ମାଧବକୂଳର ସହିଦ ପ୍ରଦୀପ କୁମାର ରାଉତଙ୍କ ମା’ ଆଖିର ଲୁହ ଶୁଖୁନି । ସୀମାରେ ଦେଶସେବା କରୁକରୁ ଶୀଘ୍ର ଫେରିବ ବୋଲି କଥା ଦେଇଥିଲା ହେଲେ ୬ ବର୍ଷ ହେଲାଣି ପୁଅ ଆଉ ଫେରୁନି । ହଁ ଅଗଣାରେ ଲୋଟିପଡ଼ି କାନ୍ଦୁଥିବା ମା’ ଜାଣିଛି ତା’ ବୀରପୁଅ ସହିଦ ହୋଇଯାଇଛି, ଦୂର ଆକାଶର ତାରା ହୋଇସାରିଛି । କିନ୍ତୁ ମା’ ପରା ତା’ ମନ କ’ଣ ଏତେ ସହଜେ ବୁଝିବ କି?

ବାପା ମା’ଙ୍କ ଆଗରେ ପୁଅ ଚାଲି ଯିବାର ଦୁଃଖକୁ କିଏ କଣ କେବେ ଭୁଲି ପାରେ । ଆଜି ବି ସହିଦ ପୁଅକୁ ମନେ ପକାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ସହୀଦ ପ୍ରଦୀପଙ୍କ ମା’ । ପୁଅ ସହିଦ ହେବା ପରେ ସ୍ୱାମୀଙ୍କ ମୁହଁକୁ ଚାହିଁ ଦିନ କାଟୁଥିଲେ ଝାମୁଲତା । ହେଲେ ଦଇବ ଦୁଃଖକୁ ଦୁଇଗୁଣା କରିଦେଲା, ପୁଅ ପରେ ପରେ ସ୍ୱାମୀକୁ ନେଇଗଲା ଯମ, ଏବେ ଏକଲା ଜୀବନ ଜିଉଁଛନ୍ତି ସହିଦଙ୍କ ମା’ ଝାମୁଲତା ।

୨୦୧୭ ଫେବୁଆରୀ ୨ରେ କୋରାପୁଟ ସୁଙ୍କି ଘାଟିରେ ମାଓବାଦୀ ଆକ୍ରମଣ ହୋଇଥିଲା । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଆଠ ଜଣ ପୁଲିସ ସହିଦ ହୋଇଥଲେ । ସେମାନଙ୍କ ମଧ୍ୟରେ ଥିଲେ ଝାମୁଲତାଙ୍କ ପୁଅ ପ୍ରଦୀପ କୁମାର ରାଉତ । ପ୍ରଦୀପ ଓଏସଏପିରେ ଆସିଷ୍ଟାଣ୍ଡ ଡ୍ରାଇଭର ଭାବେ କାମ କରୁଥିଲେ । ତାଲିମ ନେବାକୁ ପ୍ରଦୀପ କଟକ ଆସୁଥିବା ବେଳେ ମାଓବାଦୀଙ୍କ ମରଣ ଯନ୍ତାରେ ଫସି ଯାଇଥିଲେ । ଆଉ ଦେଶ ଆଉ ଜଣେ ଯୋଦ୍ଧାଙ୍କୁ ହରାଇଥିଲା । ପୁଅ ସହିଦ ହେବାର କିଛିଦିନ ପରେ ବୋହୁ ଦୁଇ ନାତୁଣୀକୁ ନେଇ ତା ବାପ ଘରକୁ ଚାଲି ଗଲା । ତା’ ପରେ ସେପାରିକୁ ଚାଲିଗଲେ ସ୍ୱାମୀ । ଏବେ ଦିନେ ଖାଇ ଦୁଇ ଓଳି ଉପାସରେ ପୁଅକୁ ଝୁରି ହେଉଛନ୍ତି ଝାମୁଲତା ।

ସରକାରଙ୍କ ବିଚିତ୍ର ନିୟମ । ପୁଅ ସହୀଦ ହେଲା ପରେ ସବୁ ସରକାରଙ୍କ ସୁବିଧା ବୋହୂ ପାଇବ । ହେଲେ ସବୁ ଟଙ୍କା ପଇସାକୁ ନେଇ ବୋହୂ ବାପଘରକୁ ଚାଲି ଯିବା କେତେଦୂର ଠିକ୍ ? ବାପାମାଆ ଏତେ କଷ୍ଟ କରି ପିଲାକୁ ପାଠ ପଢାଇ ମଣିଷ କଲା ପରେ ସବୁ ସମ୍ପତିର ହକଦାର୍ ବୋହୂ ହେବା କ’ଣ ଠିକ୍ ?