ଭିଡ଼ର ଭୁବନେଶ୍ୱରରେ ଭିନ୍ନକ୍ଷମ ପରିବାବାଲା : ହାତ ପତାଇବେନି ବୋଲି ଟ୍ରାଇସାଇକେଲରେ ଖୋଲିଛନ୍ତି ଛୋଟିଆ ହାଟ

252

କନକ ବ୍ୟୁରୋ : ଶରୀରରେ ଅଧାଗୋଡ଼ କିନ୍ତୁ ଆଖିରେ ଆଖିଏ ଆତ୍ମବିଶ୍ୱାସ । ଭିଡ଼ର ଭୁବନେଶ୍ୱର ଆଉ ଭିଜା ଭିଜା ରାସ୍ତାରେ ଗଡୁଥିଲା ଗାଡ଼ିମଟର । ଠିକ୍ ସେତିକିବେଳେ କ୍ୟାମେରାର କଳାଧଳା ଲେନ୍ସରେ କଏଦ୍ ହୋଇଗଲେ ଜଣେ ଭିନ୍ନକ୍ଷମ ପରିବାବାଲା । ସମସ୍ୟା, ସଂଘର୍ଷ ଓ ସଙ୍କଟକୁ ସାମ୍ନା କରି ସ୍ମାର୍ଟସିଟିରେ କେମିତି ବଞ୍ଚି ହୁଏ, ତାହା ଏ ଭିନ୍ନକ୍ଷମଙ୍କ କାହାଣୀ ଜାଣିଲେ ଭଲସେ ବୁଝିପାରିବେ ।

ନାଁ ଲିପୁନା ପ୍ରତିହାରୀ…କାନ୍ଧରେ କପାଳ ଲେଖିଥିବା କଷ୍ଟର ଗାମୁଛା, ହାତରେ ବିଧାତା ଧରାଇଥିବା ବିଡ଼ା ବିଡ଼ା ବୋଝର ସଜନା ଛୁଇଁ । ରୋଜଗାରର ‘ରାଜଧାନୀ’ ତାଙ୍କୁ ଭିନ୍ନକ୍ଷମ ପରିବା ବାଲା ଭାବେ ଜାଣିଛି । ସ୍ମାର୍ଟସିଟିର ରାସ୍ତାକଡ଼ରେ ହ୍ୱିଲଚେୟାରରେ ଛୋଟ ହାଟଟିଏ ଖୋଲିଛନ୍ତି । ଭୋକର ଭଉଁରୀର ଭୋକ ମାରିବାକୁ ଝିପି ଝିପି ବରଷାରେ ଭିଜି ଭିଜି ପରିବା ବିକୁଛନ୍ତି ।

ଲିପୁନାଙ୍କ ଘର ବଡ଼ମ୍ବା ନରସିଂହପୁର ଅଞ୍ଚଳରେ । ପିଲାଦିନୁ ନିଜ ବାମ ଗୋଡ଼ ହରାଇଥିଲେ ମଧ୍ୟ ଜୀବନ ଯୁଦ୍ଧରେ ହାରିନାହାନ୍ତି । ଭିନ୍ନକ୍ଷମର ବାହାନା ଦେଖେଇ ଭରସାର ଭୁବନେଶ୍ୱରରେ ଭିକ ବି ମାଗୁନାହାନ୍ତି । ସ୍ୱାଭିମାନର ସହ ସ୍ମାର୍ଟସିଟିରେ ସାଜିଛନ୍ତି ପରିବାବାଲା । ଘରେ ଭିନ୍ନକ୍ଷମ ସ୍ତ୍ରୀ, ତାଙ୍କ ଆଖିକୁ ଦେଖାଯାଏନି କିନ୍ତୁ ଦିବ୍ୟାଙ୍ଗ ସ୍ୱାମୀ ସହରର ଛକରେ ସୁନ୍ଦର ସଂସାର ପାଇଁ ସଘଂର୍ଷ କରୁଛନ୍ତି ।

ଦିବ୍ୟାଙ୍ଗ ପରିବାବାଲା ଲିପୁନା, ପ୍ରତିଦିନ ଭୁବନେଶ୍ୱର ଛକ ଛକରେ ଭୋକ ସହ ଲୁଚକାଳି ଖେଳନ୍ତି । କାରଣ ‘ହ୍ୱିଲଚେୟାର ହାଟ’ରେ ପରିବାଥାଏ କିନ୍ତୁ ଏ ଭିଡ଼ର ଭୁବନେଶ୍ୱରରେ କାହାକୁ ଫୁରସତ୍ ନଥାଏ? ଗାଡ଼ି ଅଟକୁନି ବୋଲି ନିଜେ ଅକ୍ଷମତାକୁ ଆଖି ଦେଖାଉଛନ୍ତି, ହ୍ୱିଲଚେୟାର ଛାଡ଼ି ଗ୍ରାହକଙ୍କ ପାଖକୁ ଆତ୍ମବଳ ନେଇ ଚାଲିଆସୁଛନ୍ତି । ଦିବ୍ୟାଙ୍ଗ ବୋଲି କିଛି ଦୟାଳୁ ଲୋକମାନେ ତାଙ୍କଠୁ ପରିବା କିଣିନେଉଛନ୍ତି । ପ୍ରତିଦିନ ରାଜଧାନରେ ୯ରୁ୧୦ କିଲୋମିଟର ବୁଲିଲେ ଦିନକୁ ଦୁଇଶହରୁ ଅଢ଼େଶହ ହାତକୁ ଆସେ । ବାସ୍ ତା’ପରେ ଖୁସିରେ ସେ ପଇସାକୁ ମୁଣ୍ଡରେ ମାରି ଆଖିରେ ଲୁହ ଜାକିଦିଅନ୍ତି ଲିପୁନା ।

ହଁ ସେ ଅକ୍ଷମ, କିନ୍ତୁ ସେ ଅଟକି ନାହାନ୍ତି । ସମାଜ ଆଗରେ ମୁଣ୍ଡଟେକି ଛାତି ଫୁଲାଇ ବଞ୍ଚିଛନ୍ତି । ଦୁଃଖ ଏତିକି ୨୦୧୯ରୁ ସରକାରଙ୍କୁ ନିଜର ଦୁର୍ବଳତା ବିଷୟରେ ଜଣାଇ ଆସୁଛନ୍ତି କିନ୍ତୁ ଏଯାଏଁ କେହି ଶୁଣିନାହାନ୍ତି । ଏପରିକି ସ୍ତ୍ରୀଙ୍କୁ ଭିନ୍ନକ୍ଷମ ଭତା ମଧ୍ୟ ମିଳୁନାହିଁ ବୋଲି କୋହଭରା କଣ୍ଠରେ କହିଛନ୍ତି ଦିବ୍ୟାଙ୍ଗ ପରିବାବାଲା ଲିପୁନା ।

ଭାଗ୍ୟ-ଭରସାର ଭୁବନେଶ୍ୱରରେ ଅନେକ ଭିନ୍ନକ୍ଷମଙ୍କୁ ଆପଣ ପ୍ରତିଦିନ ଭେଟୁଥିବେ । କିନ୍ତୁ ସଙ୍କଟ, ସଂଘର୍ଷ, ସମସ୍ୟାଙ୍କୁ ସାମ୍ନା କରିବା, ଆଉ ନିଜର ଅକ୍ଷମତାକୁ ସକ୍ଷମତାରେ ପରିଣତ କରୁଥିବା ଭିନ୍ନକ୍ଷମଙ୍କ ମଧ୍ୟରୁ ଲିପୁନାଙ୍କ କାହାଣୀ ସତରେ ପ୍ରେରଣାଦାୟୀ…