ମାତିଛି ମଣିଷଖିଆ କୁମ୍ଭୀର । କୂଳରେ ଯାହାକୁ ଦେଖୁଛି, ଟାଣି ନେଉଛି, ଝୁଣି ଖାଇଯାଉଛି ।

639

କନକ ବ୍ୟୁରୋ: ଲୁଣିପାଣିର ମଗର ଏବେ ମଧୁର ଜଳ ମୁହାଁ । ନଈ କୂଳରେ ଯାହାକୁ ଦେଖୁଛି, ଟାଣି ନେଉଛି । ପାଣି ଭିତରେ ଶକ୍ତି ଦେଖାଇ ଝୁଣି ଝୁଣି ଖାଇଯାଉଛି । ନଦୀ ଭିତରେ କୁମ୍ଭୀର ମଣିଷକୁ ଖାଉଥିବାର ଭିଡ଼ିଓ ଯାଜପୁରରୁ ଆସିଛି । ମଣିଷଖିଆ ମଗରର ଆତଙ୍କ ଦେଖି ଭୟରେ ନଦୀ କୂଳକୁ ବି ଯିବାକୁ ଡରୁଛନ୍ତି ନଦୀକୂଳିଆ ଲୋକେ ।

ଯାଜପୁର ବରୀ ବ୍ଲକ ଅମଠପୁର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ସୂଚନା ମୁତାବକ, ନଦୀକୁ ଶୌଚ ହେବାକୁ ଯାଇଥିଲେ ପାଲଟପୁର ଗାଁର ଅନାମ ଜେନାଙ୍କ ପତ୍ନୀ ଜ୍ୟୋସ୍ନା ଜେନା । ସବୁଦିନ ପରି ଆଜି ମଧ୍ୟ ନିଜ ଯାଆଙ୍କ ସହ ଜ୍ୟୋସ୍ନା ନଦୀକୁ ଯାଇଥିଲେ, ଲୁଗାସଫା କରିବା ସମୟରେ ହଠାତ୍ ମଣିଷଖିଆ କୁମ୍ଭୀର ନଈ ଭିତରକୁ ତାଙ୍କୁ ଟାଣିନେଇଥିଲା । ଆଉ ତା’ପରେ ମହିଳା ଜଣକୁ ପାଣିରେ କଚାଡ଼ି, ଝୁଣି ଝାଣି ଖାଇଗଲା । ମୃତକଙ୍କ ପରିବାରରେ ଶାଶୂ, ଶ୍ୱଶୁର ଶଯ୍ୟାସାୟୀ ଥିବାବେଳେ ଦୁଇଟି ଛୁଆ, ଆଉ ସ୍ୱାମୀ ଜଣେ ପୋଲିଓ ଆକ୍ରାନ୍ତ ।

ଲୁଣି ପାଣିର କୁମ୍ଭୀର ପାଟିରେ ଜଣେ ମହିଳା ଛଟପଟ ହୋଇ ଜୀବନ ହାରିଛନ୍ତି । ନଦୀକୁ ଭିଡ଼ିନେଇ ମଣିଷଖିଆ କୁମ୍ଭୀରଟି ମହିଳା ଜଣକୁ ପାଣିରେ କଚାଡ଼ି, ଝୁଣି ଖାଇଯାଉଛି । ଖବର ପାଇ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୁଣ୍ଡବିହୀନ ମୃତ ଦେହ ଉଦ୍ଧାର କରିଛି । ପ୍ରଶାସନ ଓ ସ୍ଥାନୀୟ ବିଧାୟିକା ମୃତ ମହିଳାଙ୍କ ପରିବାରକୁ ଭେଟିଛନ୍ତି । ସାନ୍ତ୍ୱନା ଦେବା ସହ ଆର୍ଥିକ ସହାୟତା ପାଇଁ ଘୋଷଣା କରିଛନ୍ତି ।

ମଣିଷଖିଆ ମଗରର ଭୟଙ୍କର ଦୃଶ୍ୟକୁ ଦେଖି ଲୋକେ ଆତଙ୍କିତ ହୋଇଯାଇଛନ୍ତି । ନଦୀରେ କୁମ୍ଭୀର ମାତିଛି ବୋଲି ଏନେଇ ଡାକବାଜି ଯନ୍ତ୍ରରେ ସଚେତନ କରାଉଛି ଯାଜପୁର ପ୍ରଶାସନ । ଗ୍ରାମବାସୀଙ୍କୁ ଏହି ନଦୀକୁ ନଯିବା ପାଇଁ ବାରଣ କରାଯାଉଛି । ପୂର୍ବରୁ ଏପରି ଅଘଟଣ ଘଟୁନଥିବାବେଳେ କୁମ୍ଭୀରକୁ ମଧୂର ଜଳକୁ ପରୀକ୍ଷଣ ପାଇଁ କିଏ ଛାଡୁ ନାହାନ୍ତି ତ? ଏନେଇ ସ୍ଥାନୀୟବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ।

କୁମ୍ଭୀର ବଂଶବୃଦ୍ଧି ଓ ସୁରକ୍ଷା ପାଇଁ ଅନେକ ବ୍ୟବସ୍ଥା କରାଯାଉଛି । ତେବେ କାହିଁକି ଲୁଣି ଜଳର କୁମ୍ଭୀର ମଧୁର ଜଳକୁ ଆସୁଛନ୍ତି? କାହିଁକି ନୀରିହ ଜୀବ-ଜନ୍ତୁ ଜୀବନ ହାରୁଛନ୍ତି । ଏହାପଛରେ କିଛି ମନ୍ଦ ଉଦ୍ଦେଶ୍ୟ ନାହିଁ ତ? ଏହସବୁ ଭିତରେ ନଦୀକୂଳିଆ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ଜରୁରୀ ହୋଇପଡ଼ିଛି ।