ଦିବ୍ୟାଙ୍ଗ, ବିଧବା ବୃଦ୍ଧାଙ୍କୁ ବି ଚାହୁଁନାହାନ୍ତି ସରକାର ? ଯୋଗ୍ୟ ହୋଇବି ମିଳୁନି ଆବାସ, ଏଠିକାର ଗାଁଲୋକେ କହୁଛନ୍ତି ଆମ ପାଇଁ ଆବାସ ଏକ ଅପେକ୍ଷାର ଯୋଜନା

95

କନକ ବ୍ୟୁରୋ : ଆବାସ… କିଏ ରଖିଛି ବିଶ୍ୱାସ, କିଏ ହେଉଛି ନିରାଶ । ଆବାସର ଅର୍ଥକୁ ଯଦି ଅତି ସାଧାରଣରେ ବୁଝାଯାଏ ତାହା, ଅସହାୟଙ୍କ ବସବାସ ପାଇଁ ହୋଇଥିବା ଯୋଜନାଟିଏ ବୋଲି ଜଣେ ଦରିଦ୍ର ଲୋକଟି ବୁଝିଥାଏ । କାରଣ ଗରିବ ଲୋକର ଆତ୍ମବିଶ୍ୱାସକୁ ବଢ଼ାଏ ତା’ ଆବାସ । ହେଲେ ଆଜି ଆମେ ଆବାସ ପଛର ଏମିତି କିଛି ଅକୁହା କାହାଣୀ କହିବୁ ଜାହାକୁ ଜାଣିଲେ ଆପଣ ବି କହିବେ, ‘ଆବାସ’ ଉପରେ ଆଉ ନାହିଁ ବିଶ୍ୱାସ ।

ଆଖିକୁ ଦେଖାଯାଉନି । ରହିବାକୁ ଜାଗା ନାହିଁ । ପର ଦୂଆରେ ଦୁଃଖକୁ ଲୁଚେଇ ସରକାରଙ୍କ ସାହାଯ୍ୟକୁ ଅପେକ୍ଷା କରିଛନ୍ତି ଉଦଳା ସିକିଡ଼ିଆ ଗାଁର ଦୃଷ୍ଟି ବାଧିତା ଲକ୍ଷ୍ମୀ ଦାସ । ବାରମ୍ବାର ପ୍ରଶାସନଙ୍କୁ ଗୁହାରୀ କରିବା ପରେ ବି ଆଜିଯାଏଁ ଲକ୍ଷ୍ମୀଙ୍କୁ ଲୁହ ଗଡ଼ାଇବା ପାଇଁ ଛାଡ଼ି ଦେଇଛନ୍ତି ସରକାର ।

ମୁଣ୍ଡ ଉପରେ ବିଧାତା ଦେଇଥିବା ଗରିବୀ ଛାଟର ଚାଳ ଛପର । ଆଉ ଚାରିପଟେ ଭାଗ୍ୟ ଲେଖିଥିବା ଭଙ୍ଗା ଦଦରା କାନ୍ଥ । ଜରାଜୀର୍ଣ୍ଣ ଘରେ ଜୀବନ ଜିଉଁଛନ୍ତି ବିଧବା ବୃଦ୍ଧା । ସେହି ଗାଁର ବିଧବା ବୃଦ୍ଧା ଚାରୁଲତା ମଧ୍ୟ ଆବାସ ଯୋଜନାଠୁ ବହୁଦୂରରେ । ଫଟାକାନ୍ଥ ପରି ଚାରୁଲତାଙ୍କ ଫଟା କପାଳରେ ସରକାର ଲେଖିଦେଇଛନ୍ତି ଆବାସ ଏକ ‘ଅପେକ୍ଷା’ର ଅକ୍ଷର । ଘରେ ଏତେତେଣେ ବାସନ ପଡ଼ିଛି ଖାଇବାକୁ ଗଣ୍ଡେ ନାହିଁ, ମାସିକ ଭତ୍ତା ମିଳୁଥିଲେ ବି ମୁଣ୍ଡ ଉପର ଛାତ ପାଇଁ ହାତପାତିଛନ୍ତି ବିଧବା ବୃଦ୍ଧା ଚାରୁଲତା ।

କେବଳ ଏହି ଦୁଇ ଜଣ ହିତାଧିକାରୀ ନୁହେଁ, ଗାଁର ଅନେକ ହିତାଧିକାରୀ ଯେଉଁମାନେ ଯୋଗ୍ୟ ହୋଇଥିଲେ ସୁଦ୍ଧା ସରକାରୀ ଯୋଜନାରେ ଘର ଖଣ୍ଡିଏ ପାଇ ପାରିନାହାନ୍ତି । ବିଡ଼ମ୍ବନାର ବିଷୟ ହେଲା, ଅଯୋଗ୍ୟ ହିତାଧିକାରୀ ଯୋଗ୍ୟହେବା ଏବଂ ଯୋଗ୍ୟ ହିତାଧିକାରୀ ବାଦ ପଡିବା ଘଟଣା ବାବଦରେ ଗୋପବନ୍ଧୁନଗର ବିଡିଓଙ୍କୁ ପ୍ରଶ୍ନ କରିଥିଲୁ । ହେଲେ ବିଡିଓ ବାବୁ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ । ଯାହାକୁ ନେଇ ସ୍ଥାନୀୟବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି ।

ତେବେ ଭିନ୍ନକ୍ଷମଠାରୁ ଆରମ୍ଭ କରି ବିଧବା ମହିଳା, ବେସାହାରା ବ୍ୟକ୍ତି ସରକାରୀ ଆବାସ ଯୋଜନାରୁ ବଞ୍ଚିତ ରହିବା, ନିଶ୍ଚିତ ଭାବେ ସମ୍ବେଦନଶୀଳ । ଏହା ସହିତ ସ୍ଥାନୀୟ ଜନ ପ୍ରତିନିଧି କିମ୍ବା ସରକାରୀବାବୁ ମାନଙ୍କର ଏଥିପ୍ରତି ଦୃଷ୍ଟି ନଦେବା ପରିତାପର ବିଷୟ । ଆବାସକୁ ନେଇ ବଡ଼ ବଡ଼ ଦୁର୍ନୀତିର ଖବର ପରେ ଖବର ଆମେ ଦେଖାଉଛୁ, ଏବେ ଖବର ପ୍ରସାରଣ ପରେ ପ୍ରଶାସନର ନିଦ ଭାଙ୍ଗୁଛି କି ନାହିଁ ତାହାକୁ ଅପେକ୍ଷା ।