ମାଡ଼ମରା ଥାନା ପାଲଟିଛି ମାର୍ଶାଘାଇ ଥାନା ! ହେପାଜତକୁ ନେଉଛନ୍ତି ମାଡ଼ ମାରୁଛନ୍ତି, ସିଧା ହସ୍ପିଟାଲକୁ ପଠାଉଛନ୍ତି ।

368

କନକ ବ୍ୟୁରୋ: ଶୁଣିଲେ ତ, କିଭଳି ଜଣେ ଆଇଆଇସିଙ୍କ ବର୍ବତା ସୀମା ଟପିଯାଇଛି, ସାଧାରଣ ଲୋକଙ୍କ ପାଇଁ ମାଡ଼ମରା ଥାନା ପାଲଟିଯାଇଛି ମାର୍ଶାଘାଇ ଥାନା । ପଚରାଉଚରା ଆଳରେ ଆତଙ୍କ ରଚୁଛନ୍ତି ମାର୍ଶାଘାଇ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ବୋଲି ଆସିଛି ଅଭିଯୋଗର ଲମ୍ବା ଫର୍ଦ୍ଦ ।

ଅଭିଯୋଗ ନମ୍ବର-୧…

ମାର୍ଶାଘାଇ ଥାନା ଅଧିନସ୍ଥ ବାଲିକୁଦା ଗାଁର ପବିତ୍ର ନାଥଙ୍କ ପୁଅ ଆକାଶଙ୍କ ନାଁରେ ପାରିବାରିକ କଳହ ଅଭିଯୋଗ ହୋଇଥିଲା । ଏହାକୁ ଭିତିକରି ଥାନା ଡିଏସପି ଇନଚାର୍ଜ ଆଇଆଇସି ପଚରାଉଚରା ପାଇଁ ଆକାଶଙ୍କୁ ଥାନାକୁ ଡକାଇଥିଲେ, ପରେ ଯୁବକ ଜଣକୁ ଏମିତି ଅମାନୁଷିକ ଭାବେ ପିଟିଲେ ଯେ, ଆକାଶ ପ୍ରଥମେ ଗୁରୁତର ଭାବେ ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ କଟକ ମେଡିକାଲ ବେଡରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଏନେଇ ଖୋଦ୍ ଆକାଶଙ୍କ ମା’ ଗଣମାଧ୍ୟମକୁ କାନ୍ଦି କାନ୍ଦି କହିଛନ୍ତି…

ଅଭିଯୋଗ ନମ୍ବର-୨

ଖାଲି ଏତିକି ନୁହେଁ, ସାଧାରଣ ଜନତାଙ୍କ ବାଦ୍ ସ୍ଥାନୀୟ ନେତା ମଧ୍ୟ ଆଇଆଇସି ଜ୍ୟୋତିରଞ୍ଜନଙ୍କ ଆକ୍ରୋଶର ଶିକାର ମଧ୍ୟ ହୋଇଥିବା ଅଭିଯୋଗ ହୋଇଛି । ଗତ କିଛିଦିନ ତଳେ ଆଇଆଇସି ବାବୁ ଜଣେ ବିଜେଡି ନେତା ମୁନ୍ନା ଦଳେଇଙ୍କୁ ମଧ୍ୟ ମାଡ଼ମାରି ଗୁରୁତର କରିଥିବା ଘଟଣା ଚର୍ଚ୍ଚାକୁ ଆସିଥିଲା ।

ବିଡ଼ମ୍ବନାର ବିଷୟ ହେଲା, ଏହି ଆଇଆଇସି ବାବୁଙ୍କର ଡିଏସପି ରାଙ୍କକୁ ପଦୋନ୍ନତି ହୋଇ ମଧ୍ୟ ମାର୍ଶାଘାଇ ଥାନାରେ ମାଡ଼ ମାରିଚାଲିଥବା ଅଭିଯୋଗ ହୋଇଆସୁଛି । ଆଉ ଏନେଇ ଜିଲ୍ଲା ପ୍ରଶାସନ କିମ୍ବା ବରିଷ୍ଠ ପୋଲିସ ଅଧିକାରୀ ଆଇଆଇସି ଜ୍ୟୋତିରଞ୍ଜନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ନେଉନାହାନ୍ତି ତା’କୁ ନେଇ ଏବେ ଅନେକ ପ୍ରଶ୍ନ ।

ସବୁଠାରୁ ବଡ଼କଥା ହେଲା, ଗୋଟିଏ ପଟେ ମଡେଲ ଥାନା, ଆଦର୍ଶ ଥାନାର ଶପଥ ନେବାକୁ କହୁଛନ୍ତି ରାଜ୍ୟ ସରକାର । କିନ୍ତୁ ଏହାକୁ ବେଖାତିର କରି ଆଇଆଇସି ଜ୍ୟୋତିରଞ୍ଜନ କାହିଁକି ଲୋକଙ୍କୁ ପିଟୁଛନ୍ତି? ଥାନାକୁ ପଚରାଉଚରା ଆଳରେ ଆଖିବୁଜା ପିଟିବା ସାହାସ ପାଇଲେ କେଉଁଠୁ? ତାଙ୍କର ବାରମ୍ବାର ବଦଳିକୁ ବାତିଲ କରୁଛି କିଏ, କାହିଁକି କରାଯାଉଛି ? ଏତେ ଅଭିଯୋଗ ପରେ ଡିଏସପି ରାଙ୍କକୁ ପଦୋନ୍ନତି ଦେଇ ସେହି ଜିଲ୍ଲାରେ କେମିତି ଥଇଥାନ୍ କରାଯାଉଛି? ଏନେଇ ପୋଲିସ ବିଭାଗ ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନ ଉଠିଛି ।

ପୋଲିସକୁ ଭୟ ନକରି ଥାନାକୁ ଯାଇ ସମସ୍ୟା ଜଣାଇବାକୁ ଲୋକଙ୍କୁ ଅନୁରୋଧ କରୁଛନ୍ତି ରାଜ୍ୟ ସରକାର । କିନ୍ତୁ ମାର୍ଶାଘାଇ ଥାନା ବାବୁଙ୍କ ନାଁରେ ମାଡ଼ମରା ଅଭିଯୋଗର ଲମ୍ବା ଫର୍ଦ୍ଦ ଯୋଡ଼ି ହେଉଛି । ଦେଖିବା ଅଭିଯୋଗ ପରେ ଏଥର କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବରିଷ୍ଠ ଅଧିକାରୀ, ଜିଲ୍ଲା ପୋଲିସ ମୁଖ୍ୟ…