ମହାନଦୀରେ ଆସିପାରେ ବନ୍ୟା ! ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ

45

କନକ ବ୍ୟୁରୋ: ମହାନଦୀରେ ବନ୍ୟା ଆଶଙ୍କା ! ଆଜି ସନ୍ଧ୍ୟା ସୁଦ୍ଧା ହୀରାକୁଦର ୨୫ ଟି ଗେଟ୍ ଖୋଲିବା ନେଇ ସୂଚନା । ମହାନଦୀ ଅବବାହିକାରେ ଥିବା ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି ବିଷ୍ଣୁପଦ ସେଠୀ । ବିଶେଷ କରି ମହାନଦୀ ଅଞ୍ଚଳର ତଳିଆ ବାସିନ୍ଦାଙ୍କୁ ଆବଶ୍ୟକ ହେଲେ ସ୍ଥାନାନ୍ତର କରାଯିବ । ତେବେ ବର୍ତ୍ତମାନ ସୁଦ୍ଧା ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଦେଇ ବର୍ଷାଜଳ ନିଷ୍କାସନ ହେଉଛି । ତେବେ ସମ୍ଭାବ୍ୟ ବନ୍ୟାନେଇ ଆଲର୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ।

ତେବେ ସନ୍ଧ୍ୟା ସୁଦ୍ଧା ଆଉ ୫ଟି ଗେଟ୍ ଖୋଲିବା ନେଇ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି । ୨୫ଟି ଗେଟ୍ ଦେଇ ହୀରାକୁଦରୁ ୪ଲକ୍ଷ କୁୃସେକ୍ ଜଳ ଛଡାଯିବ । ସେହିପରି ଗୁରୁବାର ସକାଳେ ମୁଣ୍ଡୁଳି ଦେଇ ୮ଲକ୍ଷ କ୍ୟୁସେକ ଜଳ ବହିବାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡୁଳି ଦେଇ ୬ଲକ୍ଷ କ୍ୟୁସେକ୍ ଜଳ ବହିବ ବୋଲି ଏସଆରସିଙ୍କ ସୂଚନା । ଆସନ୍ତା ୩୦ ତାରିଖ ସୁଦ୍ଧା ଏହା ବୃଦ୍ଧି ହୋଇ ୮ଲକ୍ଷ କ୍ୟୁସେକ୍ ଜଳରେ ଅବବାହ କରିବ ।

ସେନେଇ ପୂର୍ବରୁ ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ । ସେହିପରି ଭଦ୍ରକ ଜିଲ୍ଲା ସାଳନ୍ଦୀ ନଦୀରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ପୂର୍ବରୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ । ସେପଟେ ତଳିଆ ଅଞ୍ଚଳ ବାସୀଙ୍କ ସୁରକ୍ଷା ଏବଂ ସେମାନଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସମ୍ବଲପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ।