ଏବେ ଭର୍ତ୍ତୃହରିଙ୍କ ପାଳି! ନବୀନ ଦେଖାଇଲେ ନାଲିଆଖି, ବୈଜୟନ୍ତଙ୍କ ପକ୍ଷଛେଦନ

65

ବୈଜୟନ୍ତଙ୍କୁ ସଂସଦୀୟ ଦଳ ମୁଖପାତ୍ରରୁ ହଟାଇଲେ ନବୀନ । ଦୀର୍ଘ ଦିନ ଧରି ନିଜ ଲେଖା ମାଧ୍ୟମରେ ଦଳକୁ ଅଡୁଆରେ ପକାଇଥିବା ଏହି କେନ୍ଦ୍ରାପଡା ସାଂସଦଙ୍କ ବିରୋଧରେ ଶେଷରେ ନବୀନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତୁରନ୍ତ ତାଙ୍କୁ ଏହି ପଦରୁ ହଟାଇ ନବୀନ ସ୍ପଷ୍ଟ ସଂକେତ ଦେଇଛନ୍ତି- ଯିଏ ଦଳୀୟ ଅନୁଶାସନକୁ ବେଖାତିର କରିବ, ତା ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

କୁହାଯାଉଛି, ଏହାପରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ପାଳି । ଯଦି ଏହି ନେତାଙ୍କ କଲମ ପୁଣି ଦଳକୁ ଅଡୁଆରେ ପକାଏ, ତେବେ ନବୀନ ନାଲିଆଖି ଦେଖାଇବେନି, ବରଂ ସ୍ପଷ୍ଟ ସଂକେତ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଗତ କିଛି ଦିନ ଧରି ଦଳକୁ ସଜାଡିବା ଆଳରେ ଏହି ନେତା ଦଳୀୟ ସଂଗଠନ ଆଉ ସୁପ୍ରିମୋଙ୍କ ବାବଦରେ ବିବାଦୀୟ ବୟାନ ଦେଇ ଆସୁଥିଲେ । ବାରମ୍ବାର ତାଗିଦ ସତ୍ୱେ ମଧ୍ୟ ଖାତି କରୁନଥିଲେ । ତେଣୁ ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନବୀନ ସ୍ପଷ୍ଟ ସଂକେତ ଦେଇଛନ୍ତି ।

ଖାଲି ଏତିକି ନୁହେଁ, ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ନ୍ୟାୟରେ ନବୀନ ଦଳ ଭିତରେ କୁହୁଳୁଥିବା ଅସନ୍ତୋଷକୁ ମଧ୍ୟ ପ୍ରଶମିତ କରିଛନ୍ତି । ମନ୍ତ୍ରୀମଣ୍ଡଳ ଅଦଳ ବଦଳ ପରେ ଦଳ ଭିତରେ ନତୋ କରୁଥିବା ବୟାନବାଜିକୁ ରୋକିବାକୁ ଏହାକୁ ଅମୋଘ ଅସ୍ତ୍ର ଭାବରେ ନବୀନ ବ୍ୟବହାର କରିଥିବା ଚର୍ଚ୍ଚା ହେଉଛି । ଏବେ ନଜର ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦଳର ବିବାଦକୁ ପ୍ରଶମିତ କରୁଛି ନା ଆହୁରି ବଢାଉଛି ।