ଭାରତକୁ ଆସିବ ୧୦୦ରୁ ଅଧିକ ଚିତା ବାଘ : ୨ ଦେଶ ମଧ୍ୟରେ ଚୁକ୍ତି ହୋଇଥିବା କହିଲା ଦକ୍ଷିଣ ଆଫ୍ରିକାର ପରିବେଶ ମନ୍ତ୍ରାଳୟ

297

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆସିବ ୧୦୦ରୁ ଅଧିକ ଚିତା ବାଘ । ଏଥିପାଇଁ ଦୁଇ ଦେଶ ମଧ୍ୟରେ ଏକ ରାଜିନାମା ହୋଇଛି । ଗୁରୁବାର ଦକ୍ଷିଣ ଆଫ୍ରିକା ଏହା କହିଛି । ଦକ୍ଷିଣ ଆଫ୍ରିକାର ପରିବେଶ ମନ୍ତ୍ରାଳୟ କହିଛି, ଚିତା ସଂଖ୍ୟା ବୃଦ୍ଧି ନିମନ୍ତେ ଆଗାମୀ ୮ରୁ ୧୦ ବର୍ଷ ଧରି ବାର୍ଷିକ ୧୨ଟି ଚିତା ପଠାଯିବା ଲାଗି ଯୋଜନା କରାଯାଇଛି । ଏହି ପର୍ଯ୍ୟାୟରେ ଆସନ୍ତା ମାସରେ ୧୨ଟି ଚିତା ବିମାନ ଯୋଗେ ଭାରତକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ରହିଛି । ଏକଦା ଭାରତ ଥିଲା ଏସୀୟ ଚିତାଙ୍କ ଚରାଭୂଇଁ ।

ବାସସ୍ଥାନ କ୍ଷୟ ଏବଂ ଛାଲ ପାଇଁ ଶିକାର ଯୋଗୁଁ କ୍ରମଶଃ ଭାରତରୁ ଚିତା ସଂଖ୍ୟା ହ୍ରାସ ପାଇବା ପରେ ୧୯୫୨ରେ ଏହି ଜନ୍ତୁ ବିଲୁପ୍ତ ବୋଲି ଘୋଷଣା କରାଯାଇଥିଲା । ଦେଶରେ ସାବଧାନତା ସହକାରେ ଚୟନ କରାଯାଇଥିବା ସ୍ଥାନକୁ ଚିତାର ଉପପ୍ରଜାତି ଆଫ୍ରିକୀୟ ଚିତା ଆଣି ପରୀକ୍ଷାମୂଳକ ଭାବେ ଛଡ଼ାଯାଇ ପାରେ ବୋଲି ସୁପ୍ରିମ୍ କୋର୍ଟ ରାୟ ଦେବାରୁ ୨୦୨୦ରେ ଏହି ଜନ୍ତୁକୁ ଅଣାଯିବା ଲାଗି ତତ୍ପରତା ପ୍ରକାଶ ପାଇଥିଲା । ଏହା ପରେ ଗତବର୍ଷ ସେପ୍ଟେମ୍ବରରେ ନାମିବ୍ୟାରୁ ୮ଟି ଚିତା ଆସିଥିଲା । ଚିତାଗୁଡ଼ିକୁ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯାଇଛି ।