ବିଧାୟକଙ୍କୁ ମିଛୁଆ ସଜାଉଛନ୍ତି ସରକାରୀ ବାବୁ । ମିଛୁଆ ହୋଇ କାହିଁକି ବିଧାନସଭାରେ ରହିବୁ ବୋଲି ପ୍ରଶ୍ନ କଲେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଜାଣନ୍ତୁ ପୂରା ଘଟଣା କଣ?

238

କନକ ବ୍ୟୁରୋ : ସରକାରୀ ଅଧିକାରୀଙ୍କ ତଥ୍ୟକୁ ନେଇ ବିଧାନସଭାରେ ଉଦବେଗ । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉଦବେଗ । ଶୂନ୍ୟକାଳରେ ବିବୃତ୍ତି ରଖି ସୌମ୍ୟ କହିଛନ୍ତି ଯେ, ‘ବିଧାନସଭାରେ ସତ କିଏ କହୁଛି ପ୍ରଶ୍ନକର୍ତ୍ତା ନା ସରକାରୀ ଅଧିକାରୀ’ ?

ରାଜ୍ୟରେ ମଦ୍ୟପାନ କରୁଥିବା ମହିଳାଙ୍କ ସଂଖ୍ୟା ବଢୁଥିବା ନେଇ ପଚାରିଥିବା ପ୍ରଶ୍ନରେ ସରକାରୀ ଅଧିକାରୀ ରଖିଥିବା ତଥ୍ୟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡ଼ିର ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସରକାରୀ ଅଧିକାରୀ ମାନେ ଭୁଲ ଏବଂ ଭିନ୍ନ ଭିନ୍ନ ତଥ୍ୟ ଦେଇ ବିଧାୟକ ମାନଙ୍କୁ ମିଛୁଆ ସଜେଇ ନ ଦିଅନ୍ତୁ । ମିଛୁଆ ହୋଇ ଆମେ ବିଧାନସଭାରେ ରହିବୁ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

ମଦ୍ୟପାନରେ ରାଜ୍ୟର ମହିଳାଙ୍କ ସଂଖ୍ୟା ବଢୁଛି ନା କମୁଛି ତାହା ମୁଁ ଜାଣି ପାରୁନି । ଜାତୀୟ ସ୍ତରରେ ୨୦୧୫-୧୬ ସର୍ଭେ ଅନୁଯାୟୀ ମହିଳା ମଦ୍ୟପାନ ହାର ୧.୨ ପ୍ରତିଶତ ଥିଲା । ତାହା ବଢି ୧.୩ ପ୍ରତିଶତ ବର୍ତ୍ତମାନ ସୁଦ୍ଧା ହୋଇଛି । ଓଡ଼ିଶାରେ ଏହା ୪.୩ ପ୍ରତିଶତ ରହିଛି । ଏହି ତଥ୍ୟ ଆଧାରରେ ରାଜ୍ୟସ୍ତରରେ ମହିଳା ମଦ୍ୟପାନ କମିଛି ନା ବଢିଛି । ଯଦି ଏହି ତଥ୍ୟକୁ ନେଇ ସରକାରୀ ଅଧିକାରୀ କହିବେ ରାଜ୍ୟର ମହିଳାଙ୍କ ମଦ୍ୟପାନ କମିଛି ତେବେ ଏଥିରୁ କଣ ବୁଝିବା । ଏହାସହ ସୌମ୍ୟ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କହିଛନ୍ତି, କେମିତି ଆମ ଓଡ଼ିଶାରେ ମହିଳାଙ୍କ ମଦ୍ୟପାନ ସଂଖ୍ୟା କମୁଛି ତାହା ମୋତେ ବୁଝେଇବେ କି ?

ମହିଳା ମଦ୍ୟପାନ ପ୍ରସଙ୍ଗରେ ବିଭ୍ରାନ୍ତି ତଥ୍ୟ ବାଦ୍ ଜଳ ସଂରକ୍ଷଣ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ମହାନଦୀ ନେଇ ଆମେ ଛତିଶଗଡ଼ ନାଁରେ ଅଭିଯୋଗ କରୁଛୁ । କିନ୍ତୁ ମହାନଦୀ ଏବଂ ଅନ୍ୟ ନଦୀ ଗୁଡିକର ଜଳକୁ ସଂରକ୍ଷଣ କରଯାଉ ନାହିଁ । କୁଆଖିଆ ନଦୀର ପାଣିକୁ ରୋକାଯାଉ ନାହିଁ । ପାଣି ସମୁଦ୍ରକୁ ପଳାଉଛି । ତେଣୁ ବାଚସ୍ପତି ସରକାରଙ୍କୁ କୁଆଖାଇରେ ବ୍ୟାରେଜ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସୌମ୍ୟ କହିଛନ୍ତି । ଏହାଛଡା ଭୁବନେଶ୍ୱର ଚାରି ପାଖରେ ଜଳ ସଂରକ୍ଷଣ ପାଇଁ କଣ ବ୍ୟବସ୍ଥା କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ ।