ପୁଣି କଲବଲ କଲା ଅସହ୍ୟ ଗରମ । ସୋନପୁର, ଝାରସୁଗୁଡା ତାପମାତ୍ରା ୪୫ ଡିଗ୍ରୀ ଉପରେ । ସକାଳୁ ସକାଳୁ ଭୁବନେଶ୍ୱର ତାପମାତ୍ରା ଡେଇଁଲା ୩୦ ଡିଗ୍ରୀ ।

221

କନକ ବ୍ୟୁରୋ: ପ୍ରଥମ ରଜରେ ତାତି ଟିକିଏ କମ୍ ରହିବା ପରେ ଦ୍ୱିତୀୟ ଓ ତୃତୀୟ ରଜରେ ପୁଣି କଲବଲ କରିଛି ଅସହ୍ୟ ଗରମ । ଆଜି ଶେଷ ରଜରେ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ସୋନପୁର ଓ ଝାରସୁଗୁଡାର ତାପମାତ୍ରା ୪୫ ଡିଗ୍ରୀ ଟପିଯାଇଛି । ସୋନପୁରର ତାପମାତ୍ରା ୪୫. ୬ ଡିଗ୍ରୀ ରହିଥିବାବେଳେ, ଝାରସୁଗୁଡାରେ ତାପମାତ୍ରା ୪୫. ୪ଡିଗ୍ରୀ ଛୁଇଁଛି । ସେହିପରି ଭୁବନେଶ୍ୱରରେ ତାପମାତ୍ରା ୪୪.୬ ଡିଗ୍ରୀ ଓ କଟକରେ ୪୨.୨ ଡିଗ୍ରୀ ଡେଇଁଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଜି ସକାଳୁ ସକାଳୁ ଅନୁଭୂତ ହୋଇଥିଲା ପ୍ରବଳ ଗରମ । ସକାଳ ସାଢ଼େ ୫ଟା’ ବେଳକୁ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୦ ଡିଗ୍ରୀ ଟପି ଯାଇଥିଲା । ୮ଟା ବେଳକୁ ଘରୁ ବାହାରିବା ମୁସ୍କିଲ ହୋଇପଡିଥିଲା । ଡହ ଡହ ଖରା ସାଙ୍ଗକୁ ଗୁଳୁଗୁଳିରେ ଆଉଟୁପାଉଟୁ ହୋଇଥିଲେ ଲୋକେ । ଆଉ ସମୟ ବଢ଼ିବା ସହ ତାପମାତ୍ରା ବଢ଼ି ବଢ଼ି ଚାଲିଥିଲା । ଝାଞ୍ଜି ପବନ ବହିଥିଲା । ଟ୍ୟାପ ଖୋଲିଲେ ତତଲା ପାଣି ବାହାରୁଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ସମାନ ଅବସ୍ଥା ଲାଗି ରହିଥିଲା । ତେବେ କେବେ ତାତିରୁ ନିସ୍ତାର ମିଳିବ କାହାକୁ ଜଣାନାହିଁ । ପାଣିପାଗ ବିଭାଗର ଆକଳନ ଅନୁସାରେ ଆହୁରି ୪ଦିନ ଗ୍ରୀଷ୍ମପ୍ରବାହ ଜାରି ରହିବ ।