ମୋହିତ ନିରଞ୍ଜନଙ୍କ ‘ମାଟି ବଞ୍ଚାଅ’ ଅଭିଯାନ : ସମ୍ବଲପୁର ଇଣ୍ଡିଆନ ପବ୍ଲିକ ସ୍କୁଲ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

76

କନକ ବ୍ୟୁରୋ : ଲଳିତପୁର, ଉତ୍ତରପ୍ରଦେଶର ଜନୈକ କୃଷକ ପୁତ୍ର ଶ୍ରୀ ମୋହିତ ନିରଞ୍ଜନ ୧୬ ନଭେମ୍ବର ୨୦୨୨ରେ ନିଜ ଘରୁ ‘ମାଟି ବଞ୍ଚାଅ’ ଅଭିଯାନ କ୍ରମରେ ଦେଶବ୍ୟାପୀ ସାଇକେଲ ଯାତ୍ରା ଆରମ୍ଭ କରି ପ୍ରାୟ ୩୦,୦୦୦ କିଲୋମିଟର ପଥ ଅତିକ୍ରମ କରିବା ପରେ ଗତକାଲି ସମ୍ବଲପୁର ଇଣ୍ଡିଆନ ପବ୍ଲିକ ସ୍କୁଲରେ ପହଞ୍ଚିଥିଲେ ଓ ବହୁତ ଆନନ୍ଦର ସହିତ ତାଙ୍କର ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା ।

            ଏହି ଅବସରରେ ବିଦ୍ୟାଳୟର ସଭା ଗୃହରେ ଏକ ସ୍ବାଗତ ସମ୍ମାନର ସମାରୋହ ସଭାର ଆୟୋଜନ କରାଯାଇଥିଲା । ବିଦ୍ୟାର୍ଥୀମାନେ ତିଳକ ଲଗାଇ ତାଙ୍କୁ ସ୍ବାଗତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସଚିନ ପାଠକ ପୁଷ୍ପଗୁଚ୍ଛ ଓ ମୋମେଣ୍ଟୋ ଦେଇ ତାଙ୍କୁ ସମ୍ମାନିତ କରିଥିଲେ । ବିଦ୍ୟାଳୟର ଜଣେ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ରଶ୍ମିରେଖା ପଣ୍ଡା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଏହି ଅବସରରେ ସମ୍ବଲପୁରର ଜିଲ୍ଲା ବନ ଅଧିକାରୀ ତଥା ଈଶା ଫାଉଣ୍ଡେସନ ସମ୍ବଲପୁରର ମୁଖ୍ୟ କାର୍ଯ୍ୟକର୍ତ୍ତା ମାନସ ପତି, ଅମନ କେଡିଆ, ଆଦିତ୍ୟ ଅଗ୍ରୱାଲ, ଚନ୍ଦ୍ରା ମେହେର, ହେମନ୍ତ ପୋଦାର ତଥା ଗୋପାଳ ସାହାଙ୍କୁ ମଧ୍ୟ ବିଦ୍ୟାଳୟ ପରିସରକୁ ସ୍ବାଗତ କରାଯାଇଥିଲା ।

‘ ମାଟି ବଞ୍ଚାଅ ‘ ଅଭିଯାନ ବିଷୟରେ ବର୍ଣ୍ଣନା କରି ଶ୍ରୀ ମୋହିତ ନିରଞ୍ଜନ କହିଲେ, ” ମୋର ଏହି ଅଭିଯାନର ପ୍ରେରଣା ସ୍ରୋତ ହେଉଛନ୍ତି ଈଶା ଫାଉଣ୍ଡେସନର ସଦ୍ ଗୁରୁ , ଯିଏକି ମାର୍ଚ୍ଚ ୨୦୨୨ରେ ୧୦୦ ଦିନରେ ବିଶ୍ଵର ୨୭ଟି ଦେଶରେ ପ୍ରାୟ ୩୦,୦୦୦ କିଲୋମିଟର ଯାତ୍ରା କରି ‘ ମାଟି ବଞ୍ଚାଅ ‘ ଅଭିଯାନକୁ ବିଶ୍ଵ ଦରବାରରେ ପ୍ରତଷ୍ଠିତ କରି ପାରିଥିଲେ ।” ସେ ପ୍ରତିଦିନ ୬୦ ରୁ ୭୦ କିଲୋମିଟର ପର୍ଯ୍ୟନ୍ତ ସାଇକେଲ ଯାତ୍ରା କରନ୍ତି ଓ ସବୁ ଜାଗାରେ ଈଶା ଫାଉଣ୍ଡେସନ ତାଙ୍କୁ ସାହାଯ୍ୟ କରି ଆସିଛି । ତାଙ୍କର ଏହି ଯାତ୍ରା ପ୍ରାୟ ୨୦୨୪, ଡିସେମ୍ବର ମାସ ପର୍ଯ୍ୟନ୍ତ ଚାଲିବ । ତାଙ୍କର ପରିବାର ବିଷୟରେ ସେ କହିଥିଲେ, ତାଙ୍କ ପିତା ଜଣେ ସାଧାରଣ କୃଷକ ତଥା ମାଆ ଜଣେ ଆଶା କର୍ମଚାରୀ ଅଟନ୍ତି । ବାଲ୍ୟକାଳରୁ ପିତାଙ୍କୁ କୃଷି କ୍ଷେତ୍ରରେ ସଂଘର୍ଷ କରିବାର ସେ ଦେଖିଛନ୍ତି । ମାଟିର ଉପଯୋଗିତା କଣ, ତାହା ଏକ କୃଷକଠୁ ଅଧିକ କେହିବି ଜାଣି ନାହାନ୍ତି ।

ପରିବେଶ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ମାଟିର ଉର୍ବର ଶକ୍ତିକୁ ହ୍ରାସ କରିବାରେ ଲାଗିଛି । ଏହା ଭବିଷ୍ୟତ ପାଇଁ ବିପଦର ସଂକେତ ବୋଲି ସେ କହିଥିଲେ । ଆହୁରି ମଧ୍ୟ, ସଦଗୁରୁଙ୍କର ଏହି ଆଦର୍ଶକୁ ପାଳନ କରି ଗଛ କାଟିବାକୁ ରୋକିବା ଦରକାର ଏବଂ ବହୁ ସଂଖ୍ୟାରେ ଗଛ ଲଗାଇ ମାଟି ସଂରକ୍ଷଣ କରିବା ଦରକାର ବୋଲି ସେ ମତ ବ୍ୟକ୍ତ କରିଥିଲେ । ପରିଶେଷରେ, ସଦଗୁରୁଙ୍କ ନିର୍ଦ୍ଦେଶନାରେ ଈଶା ଫାଉଣ୍ଡେସନର ସଦସ୍ୟ ମାନଙ୍କ ଦ୍ଵାରା ‘ ମାଟି ବଞ୍ଚାଅ ‘ ଅଭିଯାନ ଶୀର୍ଷକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶନ କରାଯାଇଥିଲା ।