ସମ୍ବଲପୁର ଭାଇରାଲ ଭିଡିଓର ତଦନ୍ତ ଦିଗକୁ ନେଇ ଉଠିଛି ପ୍ରଶ୍ନ ! ଭିଡିଓରେ ଅଭିଯୁକ୍ତଙ୍କ ଚେହେରା ସ୍ପଷ୍ଟ ଜଣାପଡୁଥିଲେ ବି ଟେର ପାଉନି ପୁଲିସ

42

କନକ ବ୍ୟୁରୋ : ସମ୍ବଲପୁର ଭାଇରାଲ ଭିଡିଓର ତଦନ୍ତ ଦିଗକୁ ନେଇ ଏବେ ଉଠିଛି ପ୍ରଶ୍ନ । ଭାଇରାଲ ଭିଡିଓରେ ଅଭିଯୁକ୍ତଙ୍କ ଚେହେରା ସ୍ପଷ୍ଟ ଜଣାପଡୁଥିଲେ ବି ସେମାନଙ୍କ ଟେର ପାଉନି ପୁଲିସ । କେବେ ଧାରପଡିବେ ଅତ୍ୟାଚାରୀ ଦୁର୍ବୃତ୍ତ ତାକୁ ନେଇ ଏବେ ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି । ଦୁଇ ଜଣ ଯୁବତୀଙ୍କ ସହ ଅସଦାଚାରଣର ଭିଡିଓ ଭାଇରାଲ ହେବା ପରେ ସମ୍ବଲପୁର ପୁଲିସ ପାଖରେ ଅଭିଯୋଗ ହୋଇଛି । ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏତଲା ଦିଆଯାଇଛି । ଘଟଣାକୁ ନେଇ ପୁଲିସ ତନାଘନା ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଗତକାଲି ଏକ ଭିଡ଼ିଓ ଭାଇରାଲ ହୋଇଥିଲା ଯେଉଁଠି ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଭିଡିଓ କରିଥିଲେ ଦୁର୍ବୃତ୍ତ । ଏ ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଭିଡଓରେ ବାଡି ଧରି ଦୁଇ ଜଣ ମହିଳାଙ୍କୁ ଧମକ ଦିଆଯାଉଥିବା ଦେଖିବାକୁ ମିଳିଥିଲା । ଭିଡିଓରେ ଦୁଇ ଜଣ ମହିଳା ଉଲଗ୍ନ ହେବାର ଦୃଶ୍ୟ ରହିଥିବା ବେଳେ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗରେ ଆଘାତ କରିବାର ମଧ୍ୟ ଦେଖିବାକୁ ମିଳିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଓଡ଼ିଶାରେ ମହିଳା ଅସଦାଚରଣର ଭିଡିଓ, ଅହେତୁକ ଭାବରେ ବୃଦ୍ଧି ପାଉଛି । ବିଧାନସଭାରେ ଖୋଦ୍ ମୁଖ୍ୟମନ୍ତ୍ରୀ ରଖିଥିବା ଉତ୍ତର କହୁଛି-ଗତ ୩ ବର୍ଷରେ ଏଭଳି ୧୭୫ଟି ଭିଡିଓ ଭାଇରାଲ ହୋଇଛି । ୨୦୧୫ରେ ୪୨ଟି, ୨୦୧୬ରେ ୧୦ଟି ଏବଂ ୨୦୧୭ରେ ଏହାର ସଂଖ୍ୟା ପହଂଚିଛି ୯୩ରେ ।

ଗତ ନଭେମ୍ବର ମାସରେ ଭାଇରଲ ଭିଡିଓ ନେଇ ଆଡଭାଇଜରି ଜାରି କରିଥିଲା ରାଜ୍ୟ ପୋଲିସ୍ । ଯେଉଁଥିରେ ସବୁ ଜିଲ୍ଲାର ଏସପିଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇ କୁହାଯାଇଥିଲା, ଆପତ୍ତିଜନକ ଭିଡିଓ ଭାଇରାଲ୍ କରିବା ବେଆଇନ । ଭାଇରାଲ ଭିଡିଓ ପାଇଁ ୫ରୁ ୭ ବର୍ଷ ଯାଏଁ ଜେଲ ଦଣ୍ଡାଦେଶ ହୋଇପାରେ । ନିକଟରେ ଭୁବନେଶ୍ୱରରେ ଥିବା ଫରେନସିକ୍ ଲାବରୋଟୋରୀଙ୍କୁ ଆଧୁନିକିକରଣ କରାଯାଇ ଉଦଘାଟନ କରାଯାଇଥିଲା । ଯାହାର ମୂଳ ଉଦ୍ଦେଶ୍ୟ ଥିଲା ସାଇବର ଅପରାଧ ଉପରେ ଅଙ୍କୁଶ ଲଗାଯିବ । କିନ୍ତୁ ସ୍ଥିତିରେ କୌଣସି ପରିବର୍ତନ ଆସିଲା ଭଳି ମନେ ହେଉନି । ଏସବୁ ଭିତରେ ଆମ ଅନୁରୋଧ ରହିବ । କୌଣସି ଆପତ୍ତିଜନକ ଭିଡିଓକୁ ପୋଷ୍ଟ କିମ୍ବା ସେୟାର କରନ୍ତୁ ନାହିଁ । ବେଆଇନ କାର୍ୟ୍ୟକୁ ଅନ୍ତତଃ ନିଜେ ପ୍ରୋତ୍ସାହନ ଦିଅନ୍ତୁ ନାହିଁ । ଆପତ୍ତିଜନକ ଭିଡିଓ ସଂପର୍କରେ ସୂଚନା ପାଇଲେ ପୁଲିସକୁ ଖବର ଦିଅନ୍ତୁ ।

ଏସବୁ ସତ୍ୱେ ଭିଡ଼ିଓ ଭାଇରାଲରେ କୌଣସି ସୁଧାର ଆସୁନି । ଧୀରେ ଧୀରେ ଏପରି ଘଟଣା ବଢ଼ିଚାଲିଛି । ତେବେ ଏହି ଘଟଣାର ଅଭିଯୁକ୍ତ କେବେ ଧାରାପଡ଼ିବେ ବା ପୋଲିସ ସେମାନଙ୍କୁ କେବେ ଖୋଜି ପାଇବ ସେନେଇ ଅନେକ ପ୍ରଶ୍ନ ଉଠୁଛି ।