ଲୋକସଭାରେ ମହାନଦୀ ପ୍ରସଙ୍ଗ । ଓଡିଶାରେ ପାଣିର ଅଭାବ ରହିବ ନାହିଁ । ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଆଲୋଚନା ପାଇଁ  ଡାକିଲେ କେନ୍ଦ୍ର ଜଳସଂପଦ ମନ୍ତ୍ରୀ   

29

କନକ ବ୍ୟୁରୋ : ଲୋକସଭାରେ ଶୀତକାଳୀନ ଅଧିବେଶନରେ ଉଠିଲା ମହାନଦୀ ପ୍ରସଙ୍ଗ । ଲୋକସଭାରେ ପ୍ରଶ୍ନକାଳରେ ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ ଉଠାଇଲେ ମହାନଦୀ ବ୍ୟାରେଜ ପ୍ରସଙ୍ଗ । ତାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ନୀତିନ ଗଡକରି । କୌଣସି ପରିସ୍ଥିତିରେ ଓଡିଶା ପ୍ରତି ଅନ୍ୟାୟ ହେବ ନାହିଁ  ବୋଲି  ନୀତିନ ସ୍ପଷ୍ଟ କରିଛନ୍ତି । ଓଡିଶାରେ ପାଣିର ଅଭାବ ରହିବ ନାହିଁ , ଯେତେ ପାଣି ଆବଶ୍ୟକ ଯୋଗାଇ ଦିଆଯିବ ବୋଲି  ସେ କହିଛନ୍ତି । ତାଙ୍କ ସହ ଓଡିଶା ପ୍ରତିନିଧି ଓ ମୁଖ୍ୟମନ୍ତ୍ରୀ ଆସି ଆଲୋଚନା କରନ୍ତୁ ବୋଲି  ସେ କହିଛନ୍ତି ।

ଆଲୋଚନା ମାଧ୍ୟମରେ ଉଭୟ ରାଜ୍ୟ ସମସ୍ୟାର ସମାଧାନ ହେଉ ବୋଲି କେନ୍ଦ୍ରମନ୍ତ୍ରୀ  କହିଛନ୍ତି । ରାଜ୍ୟ ସରକାର ଜଳ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି ସେ ବୋଲି  ନୀତିନ ଜବାବ ରଖିଛନ୍ତି । ଓଡିଶା ଓ ଛତିଶଗଡ  ସରକାର ସହ  ମିଶି ବନ୍ଧ ନିର୍ମାଣ କରନ୍ତୁ । ତା ସହ ଛତିଶଗଡ  ସରକାର ଆବଶ୍ୟକ କାଗଜପତ୍ର ଦେଇଥିବା ବେଳେ ଓଡିଶା ସରକାର ଦେଇନଥିବା ସେ କହିଛନ୍ତି । ସେହିପରି ଆଲୋଚନାରେ ଭାଗ ନେଇଥିଲେ ବିଜେଡି ସାଂସଦ କଲିକେଶ ସିଂହଦେଓ, ଅର୍ଜୁନ ସେଠୀ ଓ ଭର୍ତ୍ତୃହରି ମହତାବ  ।

ଟ୍ରିବ୍ୟୁନାଲ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଥିଲେ ବିଜେଡି ସାଂସଦ କଳିକେଶ ସିଂହଦେଓ । ତାଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ନୀତିନ ଗଡକରୀ କହିଥିଲେ , ଆସନ୍ତା ୩ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ କରାଯିବ । ଟ୍ରିବ୍ୟୁନାଲ ଗଠନ ନେଇ ରାଜ୍ୟ ସରକାରଙ୍କର ସଂପୂର୍ଣ୍ଣ ଅଧିକାର ଅଛି । ତାର ଫଳ ଆସନ୍ତା ୩ମାସ ମଧ୍ୟରେ ରାଜ୍ୟ ପାଇବ । ତା ସହ ଟ୍ରିବ୍ୟୁନାଲକୁ କେନ୍ଦ୍ର ବିରୋଧ କରୁନଥିବା ସେ ସ୍ପଷ୍ଟ କରିଛନ୍ତି ।

ପୂର୍ବରୁ ଛତିଶଗଡକୁ ସମର୍ଥନ କରି ଓ ଟ୍ରିବ୍ୟୁନାଲ ଗଠନ ନ କରି ଓଡିଶା ପ୍ରତି କେନ୍ଦ୍ର ଅଣଦେଖା କରୁଛି ବୋଲି ଅଭିଯୋଗ ଆଣିଥିଲେ ବିଜେପି ନେତା ବିଜୟ ମହାପାତ୍ର । ଏହା ସହ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠ ଉପରେ ବି ପ୍ରଶ୍ନ ଉଠାଇଥିଲେ ବିଜୟ ।

ସେ କହିଥିଲେ ଛତିଶଗଡକୁ କେନ୍ଦ୍ର ଅହେତୁକ ଅନୁକମ୍ପା ଦେଖାଉଛି । ସତ୍ୟପାଠରେ ଏକପାଖିଆ ନିଷ୍ପତ୍ତିକୁ ଦର୍ଶାଇଛି ଜଳସମ୍ପଦ ମନ୍ତ୍ରଣାଳୟ । ପୂର୍ବରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଛତିଶଗଡ-ଓଡିଶା ମହାନଦୀ ଜଳ ବିବାଦରେ ଟ୍ରିବ୍ୟୁନାଲ ଗଠନକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଥିଲେ । ଏଥିପାଇଁ ଓଡିଶା ଦୀର୍ଘଦିନ ହେଲା ଦାବି କରିଆସୁଥିଲା । ଟ୍ରିବ୍ୟୁନାଲ ଗଠନ ପାଇଁ ମନା କରିଦେବା ପରେ ଓଡିଶାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ।