ସିଦ୍ଧୁ ମୁସେୱାଲା ହତ୍ୟା ଘଟଣା, ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇଙ୍କୁ ଗିରଫ କରିବାକୁ କୋର୍ଟ ଦେଲା ଅନୁମତି

103

କନକ ବ୍ୟୁରୋ : ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡକୁ ନେଇ ଏବେ ଏକ ବଡ ଖବର ଆସିଛି । ଦିଲ୍ଲୀ କୋର୍ଟ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇଙ୍କୁ ଗିରଫ କରିବାକୁ ପଞ୍ଜାବ ପୋଲିସକୁ ଅନୁମତି ଦେଇଛି । ସେପଟେ ଗ୍ୟାଙ୍ଗଷ୍ଟର ଲରେନ୍ସଙ୍କୁ କଷ୍ଟଡିରେ ନେବାକୁ ଦିଲ୍ଲୀ ପୋଲିସ ବି କୋର୍ଟଙ୍କୁ ଅନୁମତି ମାଗିଥିଲା । ହେଲେ ମଙ୍ଗଳବାର ଦିନ କୋର୍ଟ ପଞ୍ଜାବ ପୋଲିସଙ୍କ ଆବେଦନକୁ ଗ୍ରହଣ କରିଛି ।

ଏହା ପୂର୍ବରୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ତଥା କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇକୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ପଟିଆଲା ହାଉସ କୋର୍ଟରେ ହାଜର କରିଥିଲା । ଏହି ସମୟରେ କୋର୍ଟରେ ପଞ୍ଜାବ ପୋଲିସ ବି ଉପସ୍ଥିତ ଥିଲା । ଏହି ସମୟରେ ପଞ୍ଜାବର ଆଡଭୋକେଟ ଜେନରଲ ଲରେନ୍ସକୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲେ । ଏହି କ୍ରମରେ ଦିଲ୍ଲୀ ପୋଲିସ ବି ଲରେନ୍ସକୁ କଷ୍ଟଡିରେ ନେବାକୁ ଆବେଦନ କରିଥିଲେ ।

ଦିଲ୍ଲୀ ପୋଲିସ କୋର୍ଟକୁ କହିଥିଲା କି, ଯେଉଁ ମାମଲାରେ ଆମେ ପଚରା ଉଚରା କରୁଛୁ ସେହି ମାମଲାରେ ଆମକୁ କିଛି ସଫଳତା ମିଳିନାହିଁ । ଏହି କାରଣରୁ ଲରେନ୍ସକୁ କଷ୍ଟଡିରେ ନେବାକୁ ଦିଲ୍ଲୀ ପୋଲିସ କୋର୍ଟରେ ଆବେଦନ କରିଥିଲା । ସେପଟେ ପଞ୍ଜାବ ପୋଲିସ କୋର୍ଟରେ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ବାବଦରେ କହି ସୋସିଆଲ ମିଡିଆର ଏକ ଭିଡିଓକୁ କୋର୍ଟରେ ଉପସ୍ଥାପନ କରିଥିଲେ । ଏହି ଭିଡିଓରେ ଦେଖିବାକୁ ମିଳିଥିଲା କି ମୁସେୱାଲା ହତ୍ୟାକାଣ୍ଡ ପଛରେ ଲରେନ୍ସର ହାତ ଥିବା କଥା ସେ ନିଜେ ସ୍ୱିକାର କରୁଛି । ଏହି କାରଣରୁ କୋର୍ଟ ଲରେନ୍ସକୁ ଗିରଫ କରିବାକୁ ପଞ୍ଜାବ ପୋଲିସକୁ ଅନୁମତି ଦେଇଥିବା କଥା କୁହାଯାଉଛି ।