ସେବାୟତଙ୍କ ମଧ୍ୟରେ ବିବାଦରୁ ନୀତି ବିଭ୍ରାଟ । ବିଳମ୍ବରେ ହେଲା ବନକ ଲାଗି ଓ ହେରାପଞ୍ଚମୀ । ଭୋରରୁ ପଡିଲା ପହୁଡ଼, ରାତି ଅନିଦ୍ରା ରହିଲେ ଶ୍ରୀଜିଉ ।

246

କନକ ବ୍ୟୁରୋ: ଚଳିତ ବର୍ଷ ମହାପ୍ରଭୁ ଶ୍ରୀମନ୍ଦିର ଛାଡି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବାର, ପ୍ରଥମ ଦିନରୁ ଶ୍ରୀକ୍ଷେତ୍ରରୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ନୀତି ବିଳମ୍ବର ଖବର । ପ୍ରଥମ ଦିନରେ ଠିକ୍ ସମୟରେ ନନ୍ଦିଘୋଷ ଓ ଦର୍ପଦଳନ ରଥ ଶରଧାବାଲିରେ ପହଞ୍ଚି ପାରିନଥିଲା । ତା ପରଦିନ ରଥ ଉପରେ ଶ୍ରୀଜିଉ ଭୋକିଲା ରହିଥିଲେ । ଆଉ ଗତକାଲି ନୀତି ବିଳମ୍ବ ଯୋଗୁଁ ରାତି ଅନିଦ୍ରା ହୋଇଛନ୍ତି ମହାପ୍ରଭୁ । ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ପହଞ୍ଚାଇଛି । ତେବେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୋଷ ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।

  • ସେବାୟତ ବିବାଦରୁ ଶୋଇ ପାରିଲେନି ଶ୍ରୀଜିଉ!
  • ବିନା ପହୁଡ଼ରେ ଆରମ୍ଭ ହେଲା ସକାଳ ନୀତି

ଗତକାଲି ରାତିରେ ମା’ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରରୁ ବାହାରି ଶରଧାବାଲିକୁ ଯାଇଥିଲେ । ପରମ୍ପରା ଅନୁସାରେ ସଂଧ୍ୟାଧୂପ ଉଠି ପୂଜା ବସିବା ସମୟରେ ମା’ ଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି ଏବଂ ସେଠାରେ ହେରାପଞ୍ଚମୀ ନୀତି ଆରମ୍ଭ ହୁଏ । ରାଗରେ ମା’ ଲକ୍ଷ୍ମୀ ମହାପ୍ରଭୁଙ୍କ ରଥ ଭାଙ୍ଗିଥାନ୍ତି । ହେଲେ ବିଡମ୍ବନାର କଥା, ନୀତି ବିଭ୍ରାଟ ଯୋଗୁଁ ସଂଧ୍ୟାଧୂପ ନୀତିରେ ବଳମ୍ବ ହୋଇଥିଲା ଏବଂ ରାତି ଗୋଟାଏ ଯାଏଁ ମା’ ଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ପାରିନଥିଲେ । ସେହିପରି ବନକଲାଗି ନୀତିରେ ବିଳମ୍ବ ଯୋଗୁଁ ଗତକାଲି ବିନା ରାତ୍ର ପହୁଡରେ ଆଜିର ଦୈନନ୍ଦିନ ନୀତିକାନ୍ତି ଆରମ୍ଭ ହୋଇଥିଲା ଓ ସେହି ଅନୁସାରେ ସବୁ ନୀତି ବିଳମ୍ବରେ ଚାଲିଥିଲା । ଯାହାକୁ ନେଇ ଭକ୍ତଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି ।

ଗତକାଲି ଦିନ ତମାମ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଦ୍ୱିତୀୟ ଭୋଗମଣ୍ଡପ ପରେ ଅର୍ଥାତ ରାତି ପ୍ରାୟ ୭ଟା ୧୫ରେ ସର୍ବସାଧାରଣ ଦର୍ଶନ ବନ୍ଦ କରିଦିଆଗଲା । ପ୍ରତିବର୍ଷ ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀଜିଉଙ୍କ ବନକଲାଗି ନୀତି ଆରମ୍ଭ ହୋଇଥାଏ । କିନ୍ତୁ ଚର୍ଚ୍ଚା ହେଉଛି ଗତକାଲି ଦଇତାପତି ଓ ଦତ୍ତ ମହାପାତ୍ର ସେବାୟତଙ୍କ ଭିତରେ ବିବାଦରୁ ବନକଲାଗି ନୀତିରେ ଅହେତୁକ ବିଳମ୍ବ ହୋଇଥିଲା । ବିବାଦ ଉଗ୍ରରୂପ ନେବାରୁ ଜିଲ୍ଲା ପ୍ରଶାସନ ପହଞ୍ଚି ବୁଝାସୁଝା କରିଥିଲେ । ରାତି ୧୧ଟାରେ ବନକଲାଗି ଆରମ୍ଭ ହେବା ପରେ ଦତ୍ତ ମହାପାତ୍ର ସେବାୟତ ବାହାରିବା ବେଳକୁ ଭୋର ୪ଟା୩ ୪୫ ହୋଇଯାଇଥିଲା । ଗତ ୨୨ ତାରିଖରେ ମଧ୍ୟ ରାତ୍ର ପହୁଡ ଭୋର ୪ଟା ୪୫ରେ ହୋଇ ସକାଳ ସାଢେ ୬ଟାରେ ଦ୍ୱାରଫିଟା ନୀତି ସହ ଅନ୍ୟାନ୍ୟ ନୀତି ଆରମ୍ଭ ହୋଇଥିଲା ।

ରଥ ଯାତ୍ରା ଆରମ୍ଭରୁ ଗୋଟିଏ ପରେ ଗୋଟିଏ ନୀତି ବିଭ୍ରାଟ ହୋଇଚାଲିଛି । କେତେବେଳେ କାଳିଆର ଇଚ୍ଛା ତ ଆଉ କେତେବେଳେ ପ୍ରବଳ ଭକ୍ତ ଗହଳିକୁ ଆଳ କରି ନିଜ ଉପରୁ ଦୋଷ ଛଡାଇ ଦେଉଛି ଶ୍ରୀମନ୍ଦିର ପ୍ରଶାସନ । କୁହାଯାଉଛି ପହଣ୍ଡିବେଳେ ଶ୍ରୀଜଗନ୍ନାଥଙ୍କ ଚିତା ଖସିଗଲା । ସେବାୟତଙ୍କ ଭିତରେ ବିବାଦରୁ ୨ ଦିନ ରାତ୍ରି ପହୁଡ ହୋଇପାରିନାହିଁ, ଅର୍ଥାତ ଠାକୁର ଅନିଦ୍ରାରେ ରହିଲେ । ରାତିରେ ରଥ ଟଣାଗଲା । ନୀତିରେ ଅହେତୁକ ବିଳମ୍ବ ହେଉଛି । ଭକ୍ତଙ୍କ ଭିତରେ ଏହାକୁ ନେଇ ପ୍ରବଳ ଅସନ୍ତୋଷ ରହିଥିବାବେଳେ ମନେ ହେଉଛି ଯେମିତି ସେବାୟତଙ୍କ ମନମାନି ଆଗରେ ମୁଣ୍ଡ ପାତି ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।