କୋହଲିଙ୍କୁ କ୍ୟାପଟେନରୁ ହଟାଇ ଟିମ୍ ଇଣ୍ଡିଆ ପାଇଛି କଣ? ଭାରତର ପ୍ରଦର୍ଶନକୁ ନେଇ ପ୍ରଶ୍ନ କଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସଲମାନ ବଟ୍ଟ ।

285

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଭାରତ ସେମିଫାଇନାଲରୁ ବିଦାୟ ନେବା ପରେ ଏବେ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠିଛି । ଖାସକରି ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱକୁ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ଛିଡା ହୋଇଛି । ସେହିଭଳି ଭାରତୀୟ ଚୟନକର୍ତ୍ତାଙ୍କ ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତି ମଧ୍ୟ ଏବେ ପ୍ରଶ୍ନଘେରରେ । କେବଳ ଭାରତରେ ନୁହେଁ ବରଂ ବିଦେଶୀ କ୍ରିକେଟର ମଧ୍ୟ ଏଭଳି ପ୍ରଶ୍ନ ଉଠାଇଛନ୍ତି । ପଡୋଶୀ ପାକିସ୍ତାନର ପୂର୍ବତନ କ୍ରିକେଟର ସଲମାନ ବଟ୍ଟ ଟିମ୍ ଇଣ୍ଡିଆ ଓ ବିରାଟ କୋହଲିଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ବଟ୍ଟ କହିଛନ୍ତି, ବିରାଟଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇବା ଉଚିତ୍ ନିଷ୍ପତ୍ତି ନଥିଲା । କାରଣ ବିରାଟ ଯେବେଠାରୁ ଅଧିନାୟକ ପଦ ଛାଡିଛନ୍ତି ଟିମ୍ ଇଣ୍ଡିଆ ସେବେଠାରୁ ପ୍ରଭାବୀ ପ୍ର୍ରଦର୍ଶନ କରିବାରେ ସଫଳ ହୋଇନାହିଁ ।

ସଲମାନ ବଟ୍ଟ କହିଛନ୍ତି, ଟି-୨୦ ବିଶ୍ୱକପରେ ଭାରତ ପାଖରେ ସେଭଳି କୌଣସି ପ୍ରଭାବୀ ଦ୍ରୁତ ବୋଲର ନଥିଲେ । ଏହାର କାରଣ କଣ ହୋଇପାରେ? ଯେତେବେଳେ ଆପଣ ଅଷ୍ଟ୍ରେଲିଆରେ ଖେଳୁଛନ୍ତି ଏବଂ ଜାଣିଛନ୍ତି ଯେ ପର୍ଥ ଓ ମେଲବୋର୍ଣ୍ଣରେ ଖେଳିବାକୁ ପଡିବ ସେତେବେଳେ ଅନୁଭବୀ ଦ୍ରୁତ ବୋଲରଙ୍କୁ କିଭଳି ଟିମରେ ସାମିଲ କରିନଥିଲା ଟିମ୍ ଇଣ୍ଡିଆ । ସେହିଭଳି ବିରାଟ କୋହଲିଙ୍କୁ ମଧ୍ୟ ଯେଉଁ ସମୟରେ ଅଧିନାୟକ ପଦରୁ ହଟାଯାଇଥିଲା ସେତେବେଳେ ମଧ୍ୟ ବିସିସିଆଇ ପାଖରେ କୌଣସି ବଡ କାରଣ ନଥିଲା । ବିରାଟ କୋହଲି କୌଣସି ଆଇସିସି ଟ୍ରଫି ଜିତିନାହାନ୍ତି ସତ କିନ୍ତୁ ଦୁନିଆରେ ଏମିତି କେତେ ଅଧିନାୟକ ଅଛନ୍ତି ଯେଉଁମାନେ ଆଇସିସି ଟ୍ରଫି ଜିତିବାରେ ସକ୍ଷମ ହୋଇଛନ୍ତି ବୋଲି ସଲମାନ ପ୍ରଶ୍ନ କରିଛନ୍ତି । ବହୁତ ମହାନ ଖେଳାଳୀ ଏମିତି ଅଛନ୍ତି ଯେଉଁମାନେ ନିଜ କ୍ୟାରିୟରରେ ଆଦୌ ଆଇସିସି ଟ୍ରଫି ଜିତିବାରେ ସକ୍ଷମ ହୋଇନାହାନ୍ତି ଏବଂ ଆଇସିସି ଟ୍ରଫି ବିନା ହିଁ କ୍ରିକେଟରୁ ଅବସର ନେଇଛନ୍ତି ।

ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବା ପରେ କଣ ଟିମ୍ ଇଣ୍ଡିଆ ବିଶ୍ୱକପ ଜିତିଯିବ । ବିରାଟ ଜଣେ ଦକ୍ଷ ଅଧିନାୟକ ଥିଲେ । ତାଙ୍କୁ ଅଧିନାୟକ ପଦରୁ ହଟାଇବା ପରେ ଭାରତ ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରିନାହିଁ । ଏପରିକି ସବୁଠୁ ଅଧିକ ଫିଟ୍ ଅଧିନାୟକ ଭାବେ କୋହଲି ଜଣାଶୁଣା ଥିଲେ । ଭାରତୀୟ ମ୍ୟାନେଜମେଣ୍ଟ କଣ ପ୍ଲାନ କରୁଛି ତାହା ତ ଜଣା ନାହିଁ କିନ୍ତୁ ବିରାଟଙ୍କୁ ଅଧିନାୟକ ପଦରୁ ହଟାଇବା ଉଚିତ୍ ନିଷ୍ପତ୍ତି ନଥିଲା ।

ଏସବୁ ଭିତରେ ବିସିସିଆଇ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନକର୍ତ୍ତା କମିଟିକୁ ଭାଙ୍ଗି ଦେଇଛି । ଏପରିକି ନୂଆ ଚୟନକର୍ତ୍ତା କମିଟି ପାଇଁ ଆବେଦନ ଆହ୍ୱାନ କରିଛି ବିସିସିଆଇ । ନଭେମ୍ବର ୨୮ ତାରିଖ ମଧ୍ୟରେ ଆବେଦନ କରିପାରିବେ ଇଚ୍ଛୁକ ବ୍ୟକ୍ତି । ଏହାପରେ ଟିମ୍ ଇଣ୍ଡିଆର ନେତୃତ୍ୱକୁ ନେଇ ବଡ ନିଷ୍ପତ୍ତି ନେଇପାରେ ବିସିସିଆଇ । ଭିନ୍ନ ଭିନ୍ନ ଫର୍ମାଟ ପାଇଁ ଭିନ୍ନ ଭିନ୍ନ ଅଧିନାୟକ ନିଯୁକ୍ତ ଉପରେ ଫୋକସ କରିପାରେ ବିସିସିଆଇ । ହାର୍ଦ୍ଦିକଙ୍କ ହାତରେ ଟି-୨୦ ଓ ରୋହିତଙ୍କ ହାତରେ ଦିନିକିଆ ଅଧିନାୟକ ଭାର ଦେଇପାରେ ବିସିସିଆଇ । ଯେହେତୁ ଆସନ୍ତା ବର୍ଷ ଦିନିକିଆ ବିଶ୍ୱକପ୍ ଖେଳାଯିବ ତେଣୁ ରୋହିତଙ୍କୁ ଅଧିକ ଚାପ ନଦେବାକୁ ବିସିସିଆଇ ଏଭଳି ନିଷ୍ପତ୍ତି ନେଇପାରେ । ଏହାପୂର୍ବରୁ ଏହି ଫର୍ମୁଲା ବିସିସିଆଇ ଆପଣାଇଥିଲେ ମଧ୍ୟ ଏଥିରେ ସଫଳ ହୋଇନଥିଲା ।