ସୀମା ସେପଟୁ ଆସିଥିବା ସୀମାକୁ ନେଇ ଘନଉଛି ସନ୍ଦେହ, ପ୍ରେମିକା ନା ଏଜେଣ୍ଟ ନେଇ ଚାଲିଛି ଜେରା, ପାକିସ୍ତାନ ପଠାଇ ଦେବାକୁ ଦାବି

332

କନକ ବ୍ୟୁରୋ : ପବଜୀ ଖେଳରୁ ପ୍ରେମ ଆଉ ପ୍ରେମକୁ ପାଇବା ପାଇଁ ଭାରତକୁ ଚାଲିଆସିଛନ୍ତି ପାକିସ୍ତାନୀ ମହିଳା ସୀମା ହାଇଦର । ନିୟମ ଉଲ୍ଲଂଘନ କରି, ସମସ୍ତଙ୍କ ଆଖିରେ ଧୂଳି ଦେଇ ସୀମା କେମିତି ଭାରତକୁ ଆସିଲେ? କେମିତି ବେଶ ବଦଳାଇ ମେ ମାସରୁ ନୋଏଡାରେ ରହୁଥିଲେ? ସୀମାପାର କରି ଭାରତ ଆସିବା ପଛରେ କାରଣ ପ୍ରେମ ନା ଆଉ କିଛି ରହିଛି ସେକଥାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । ସେପଟେ ସୀମା, ସଚିନ ଓ କିଛି ସମ୍ପର୍କୀୟଙ୍କୁ ଜେରା କରୁଛି ଉତରପ୍ରଦେଶ ଏଟିଏସ୍ । ଗୁଡେଇ ତୁଡେଇ ପ୍ରଶ୍ନ କରାଯିବା ପରେ ଅନେକ ନୂଆ କଥା ସାମ୍ନାକୁ ଆସୁଛି । ସେପଟେ କେନ୍ଦ୍ରୀୟ ଯାଂଚ ଏଜେନ୍ସି ମଧ୍ୟ ସୀମାଙ୍କ ପଛରେ ଲୁଚି ରହିଥିବା ଗହନ କଥାକୁ ଖୋଜିବାରେ ଲାଗିପଡିଛି । ଏବେ ସୁଦ୍ଧା ମିଳିଥିବା ଆଇବିର ତଥ୍ୟ ଅନୁସାରେ :

ସୀମାଙ୍କ ଉପରେ ‘ଆଇବି’ର ସନ୍ଦେହ
-କୌଣସି ତୃତୀୟ ବ୍ୟକ୍ତିଙ୍କ ସାହାଯ୍ୟରେ ସୀମା ଭାରତ ଆସିଥିଲେ
-ଗାଁ ମହିଳାଙ୍କ ପରି ବେଶଭୂଷା ଆପଣାଇଥିଲେ
-ଏହା ପାଇଁ ସୀମାଙ୍କୁ ପେଶାଦାର ବ୍ୟକ୍ତି ତାଲିମ ଦେଇଥିଲେ
-ସୀମାଙ୍କୁ ନିର୍ଦ୍ଦିିଷ୍ଟ ଭାବଭଙ୍ଗୀରେ କଥା କହିବାକୁ ତାଲିମ ମିଳିଛି
-ନେପାଳରେ ରହୁଥିବା ପାକିସ୍ତାନୀ ବ୍ୟକ୍ତି ତାଲିମ ଦେଇଥିବା ସନ୍ଦେହ
-ଭାରତରେ ଅନୁପ୍ରବେଶ କରି ଷଡଯନ୍ତ୍ର ରଚିବା ପାଇଁ ଏଭଳି ତାଲିମ ଦିଆଯାଏ

ଆଇବିର ତଦନ୍ତରେ ଏକଥାର ମଧ୍ୟ ଜଣା ପଡ଼ିଛି ଯେ ମେ ୧୩ରେ ପାକିସ୍ତାନରୁ କୌଣସି ବ୍ୟକ୍ତି ନେପାଳ ଦେଇ ଭାରତ ଆସିଥିବା ରେକର୍ଡରେ ନାହିଁ । ତେଣୁ ଏଠି ସହେନ୍ଦ ସୃଷ୍ଟି ହେଉଛି ସୀମା ମେ ୧୩ରେ କିଭଳି ଭାରତକୁ ଆସିଥିବା ଦାବି କରୁଛନ୍ତି । ତେଣୁ ନେପାଳ ସୀମାରେ ଥିବା ସିସିଟିଭି ଫୁଟେଜକୁ ଖୋଳତାଡ କରାଯାଉଛି । ସୀମାଙ୍କ ସତ କ’ଣ ଏହା ଜାଣିବା ପାଇଁ ମଲଟି ଟାକ୍ସିଂ ଟିମ ଗଠନ କରାଯାଇଛି । ଯେଉଁଥିରେ ଆଇବି, କଷ୍ଟମ, ଇମିଗ୍ରେସନ,ସଶସ୍ତ୍ର ସୀମା ସୁରକ୍ଷାବଳ, ଫରେଷ୍ଟ ଡିପାର୍ଟମେଂଟ, ଉତରପ୍ରଦେଶ ପୋଲିସ ସାମିଲ ଅଛନ୍ତି ।

ସବୁଠୁ ବଡ କଥା ହେଉଛି ସୀମାଙ୍କ ଦାଦା ଓ ଭାଇ ପାକିସ୍ତାନ ସେନାରେ କାର୍ଯ୍ୟରତ । ସୀମାଙ୍କ ଦାଦା ସେନାରେ ଜଣେ ବଡ ଅଧିକାରୀ ଥିବାବେଳେ ଭାଇ କରାଚୀ ପୋଷ୍ଟରେ କାର୍ଯ୍ୟରତ ବୋଲି ଜଣାପଡିଛି । ସେପଟେ ସୀମାଙ୍କ ଭାରତ ରହଣିକୁ ନେଇ ବିରୋଧ ଆରମ୍ଭ ହେଲାଣି । ବିଭିନ୍ନ ହିନ୍ଦୁ ସଂଗଠନ ସୀମାଙ୍କୁ ପାକିସ୍ତାନ ପଠାଇବାକୁ ଦାବି କରୁଛନ୍ତି ।