ଭୁବନେଶ୍ୱର ଗଙ୍ଗନଗରରେ ସୁରକ୍ଷା କର୍ମୀଙ୍କ ଆତ୍ମହତ୍ୟା : ପିସିଆର ଭ୍ୟାନକୁ ଡକାଇ ପୋଲିସ ଆଗରେ ନିଜ ପେଟକୁ ମାରିଦେଲେ ଗୁଳି

323

କନକ ବ୍ୟୁରୋ : ନିଜକୁ ନିଜେ ଗୁଳି କରିଦେଲେ ସୁରକ୍ଷାକର୍ମୀ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ପିସିଆର ଭ୍ୟାନର ଉପସ୍ଥିତିରେ ନିଜକୁ ଗୁଳି କରିଦେଇଛନ୍ତି ଏକ ଘରୋଇ ସଂସ୍ଥାରେ ସୁରକ୍ଷାକର୍ମୀ ଭାବେ କାମ କରୁଥିବା କୃଷ୍ଣଚନ୍ଦ୍ର ଦାସ । ତାଙ୍କ ସ୍ତ୍ରୀଙ୍କ କହିବା ହେଲା କଲୋନୀର ରାଜେନ୍ଦ୍ର ମହାନ୍ତିଙ୍କ ସହ ତାଙ୍କର ପୂର୍ବରୁ ଗଣ୍ଡଗୋଳ ହୋଇଥିଲା । ଏହାକୁ ନେଇ ସେ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ ତାଙ୍କ କଥା ଶୁଣିନଥିଲା ।

ଏପରିକି ପୋଲିସ ପ୍ରତିପକ୍ଷଙ୍କୁ ସମର୍ଥନ କରୁଥିବାରୁ ସେ ପ୍ରବଳ ମାନସିକ ଚାପରେ ଥିଲେ । ଗତକାଲି ବିଳମ୍ବିତ ରାତିରେ ପିସିଆର ଭ୍ୟାନକୁ ଡ଼କାଇ ପୋଲିସ ଉପସ୍ଥିତିରେ ନିଜ ବନ୍ଧୁକରୁ ନିଜ ପେଟକୁ ଗୁଳି କରି ଦେଇଥିବା କହିଛନ୍ତି ତାଙ୍କ ସ୍ତ୍ରୀ ଓ ଝିଅ । ପୋଲିସ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ପରିବାର ଲୋକଙ୍କ ଅଭିଯୋଗ ଯଦି ସତ ହୋଇଥାଏ ତେବେ ସାଂଘାତିକ । ପୋଲିସ ତାଙ୍କ କଥା ନଶୁଣିବା ଓ ପୋଲିସ ଉପସ୍ଥିତିରେ ଜଣେ ସୁରକ୍ଷାକର୍ମୀ ନିଜକୁ ଗୁଳି କରି ଆତ୍ମହତ୍ୟା କରିବା ଭଳି ଖବର ପୋଲିସ ନିରପକ୍ଷତା ଉପରେ ବଡ଼ ପ୍ରଶ୍ନ ଛିଡ଼ା କରିଛି ।