ପ୍ରଥମଥର ପାଇଁ ଟ୍ରେନରେ ବସିଥିଲା, କିନ୍ତୁ ହୋଇଗଲା ଶେଷଯାତ୍ରା: ହାତର କଡା ଦେଖି ପୁଅକୁ ଚିହ୍ନିଲେ ବାପା

222

କନକ ବ୍ୟୁରୋ: କରମଣ୍ଡଳ ଦୁର୍ଘଟଣା ଯେ କେତେ ଲୋକଙ୍କ ଆଖିରେ ଲୁହ ଆଣିଛି ତାହାର ସୀମା ନାହିଁ । ହସ୍ପିଟାଲ ବାହାରେ ଏବେ ଶୁଭୁଛି ନିଜ ପୁଅ, ଝିଅଙ୍କୁ ହରାଇଥିବା ବାପା ମା’ଙ୍କ କାନ୍ଦ । କେମିତି ଧୈର୍ଯ୍ୟ ଧରିବେ ସେ ବାପା ମା ଯେତେବେଳେ ସେମାନେ ନିଜ ପୁଅର ମୁଣ୍ଡ ଆଉ ହାତ ନଥିବା ମୃତ ଶରୀର ଦେଖିବେ । ସତରେ ଏ ଦୁଃଖଠୁ ବଡ ଦୁଃଖ ହୁଏତ ଜଣେ ବାପା, ମା’ଙ୍କ ପାଇଁ ଆଉ କିଛି ବି ନହୋଇପାରେ ।

ବିହାରର ସୂରଜ କୁମାର ପ୍ରଥମ ଥର ପାଇଁ ଟ୍ରେନରେ ଯାତ୍ରା କରୁଥିଲେ, ହେଲେ କିଏ ଜାଣିଥିଲା ଏହା ତାଙ୍କ ଶେଷ ଯାତ୍ରା ହୋଇଯିବ ବୋଲି । ଦଶମ ପରୀକ୍ଷା ଦେଇ ବାହାର ରାଜ୍ୟକୁ ଯାଉଥିଲେ ଦି ପଇସା ରୋଜଗାର କରି ଭଉଣୀ ବାହାଘର କରିବେ । ବାପାଙ୍କ ସହ ଘର ଚଳାଇବାରେ ସାହାଯ୍ୟ କରିବେ । ହେଲେ ବିଧିର ବିଧାନ କିନ୍ତୁ କିଛି ଅଲଗା ଥିଲା କରମଣ୍ଡଳର କାଳ ରାତିରେ ସେଦିନ ତାଙ୍କ ସହ ଯାହା ଘଟିଲା ପୂରା ପରିବାର ଏବେ ସ୍ତବ୍ଧ ହୋଇଯାଇଛି ।

ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣା ପରେ ସୂରଜଙ୍କ ପରିବାର ବ୍ୟସ୍ତ ହୋଇପଡିଥିଲେ । ପୁଅକୁ ଖୋଜିବାକୁ ବାପା ବିହାରରୁ ଓଡିଶା ଧାଇଁ ଆସିଥିଲେ । କାନ୍ଦି କାନ୍ଦି ଏ ହସ୍ପିଟାଲରୁ ସେ ହସ୍ପିଟାଲ ପୁଅକୁ ଅନେକ ଖୋଜିଥିଲେ । ଶେଷରେ ତାଙ୍କୁ ପୁଅର ମୃତଦେହ ମିଳିଥିଲା, ଆଉ ଏମିତି ଅବସ୍ଥାରେ ମିଳିଥିଲା ଯାହା ଜଣେ ବାପା ଦେଖି ଧୈର୍ଯ୍ୟ ଧରିବା ସମ୍ଭବ ନୁହେଁ । ମୁଣ୍ଡ ନଥିବା ପୁଅର ମୃତ ଶରୀରରକୁ ବାପା ଡ୍ରେସ ଆଉ ହାତର କଡା ଦେଖି ଚିହ୍ନଟ କରିଥିଲେ । ଆଉ ଏହା ଦେଖିବା ପରେ ବାପା ଆଖିରୁ ଲୁହ ଶୁଖୁନି କି ଛାତିର କୋହ ବନ୍ଧ ବାଡ ମାନୁନି ।

କେତେ ଭୟଙ୍କର ହୋଇଥିବ ସେ ରାତି, ଯିଏ ତାକୁ ନିଜ ଆଖିରେ ଦେଖିଥିବ । କୁଢ କୁଢ ମୃତଦେହକୁ ଉଣ୍ଡାଳି କିଏ ନିଜ ପୁଅକୁ ଖୋଜୁଛି ତ କିଏ ନିଜ ସ୍ୱାମୀକୁ ଆଉ କିଏ ନିଜ ବାପାକୁ… ସତରେ ଏମିତି କାଳ ଦିନ ଆଉ କେବେ ବି ନ ଆସୁ… ଖବର ଲେଖିଲା ବେଳକୁ ହାତ ଥରୁଛି.. ଥରେ ଭାବନ୍ତୁ ନିଜ ବାପା, ମା, ଭାଇ, ଉଭଣୀ, ପୁଅ, ଝିଅଙ୍କୁ ହରାଇଥିବା ଲୋକଟି ଉପରେ ଏ ଦିନ କେମିତି ବିତୁଥିବ…