ସରପଞ୍ଚଙ୍କୁ ମିଳିଲା ନ୍ୟାୟ । ପାଠ ପଢ଼ିନଥିବା ଅଭିଯୋଗ କରି କୋର୍ଟରେ ମାମଲା କରିଥିଲେ ପରାଜିତ ପ୍ରାର୍ଥୀ  ।

251

କନକ ବ୍ୟୁରୋ: ନେତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ଏବେ ନାନା ତର୍କବିତର୍କ ଚାଲିଛି । ନେତା କେତେ ପାଠ ପଢ଼ିବା ଉଚିତ୍, ପାଠ ପଢ଼ିନଥିବା ଲୋକ ନେତା ହେବା ଊଚିତ୍ କି ନୁହେଁ, ତାକୁ ନେଇ ଭିନ୍ନ ମତ ପ୍ରକାଶ ପାଉଛି । ହେଲେ ଏସବୁ ଭିତରେ ପାଠ ପଢ଼ିଥିଲେ ବି ତାଙ୍କ ବିରୋଧରେ ପାଠ ପଢ଼ିନଥିବାର ଅଭିଯୋଗ ହୋଇଥିଲା । ଫଳରେ ତାଙ୍କୁ ହଇରାଣ ହରକତ ହେବାକୁ ପଡ଼ିଥିଲା । ହେଲେ ଏବେ ସତ ସାମ୍ନାକୁ ଆସିଛି ।

ଢେଙ୍କାନାଳ ସଦର ବ୍ଲକ  ଗେଙ୍ଗୁଟିଆ ସରପଞ୍ଚ ହେଉଛନ୍ତି କୈଳାସ ଚନ୍ଦ୍ର ଦେହୁରୀ । ତାଙ୍କ ନାମରେ ପରାଜିତ ସରପଞ୍ଚ ପ୍ରାର୍ଥୀ ପୁରୁଷୋତମ ଦେହୁରୀ ଅଭିଯୋଗ ଆଣିଥିଲେ ଯେ, କୈଳାସ ବିଲକୁଲ ପାଠ ପଢ଼ିନାହାନ୍ତି, ଲେଖାପଢ଼ା ଜାଣି ନାହାନ୍ତି । ଏହାକୁ ନେଇ ତାଙ୍କ ବିରୋଧରେ ସିଭିଲ କୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଏନେଇ କନକ ନ୍ୟୁଜ୍ ଖବର ପ୍ରସାରଣ କରିଥିଲା, ଆଉ କୈଳାସ ଲେଖାପଢ଼ା କରିପାରୁଥିବା ମଧ୍ୟ ଜାଣିବାକୁ ପାଇଥିଲା । ଏବେ ଢେଙ୍କାନାଳ ସିଭିଲ କୋର୍ଟ ସରପଞ୍ଚ କୈଳାସ ଚନ୍ଦ୍ର ଦେହୁରୀଙ୍କ ସପକ୍ଷରେ ରାୟ ଦେଇଛନ୍ତି । ତାଙ୍କ ବିରୋଧରେ ହୋଇଥିବା ମାମଲା ଖାରଜ ହୋଇଛି । ଏହାପରେ ପଞ୍ଚାୟତବାସୀ କୈଳାସଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଛନ୍ତି ।