ନଦୀ ପଠା ପାଲଟିଛି ବାଲି ମାଫିଆଙ୍କ ଚରାଭୁଇଁ ! ବେଆଇନ ଭାବେ ବୌଦ୍ଧ ମହାନଦୀ ଓ ତେଲ ନଦୀରୁ ଚୋରି ହେଉଛି ଟ୍ରକ ଟ୍ରକ ବାଲି, ରାଜସ୍ୱ ହରାଉଛନ୍ତି ସରକାର ।

89

କନକ ବ୍ୟୁରୋ : ନଦୀ ପଠା ପାଲଟିଛି ବାଲିଆ ମାଫିଆଙ୍କ ଚରାଭୁଇଁ । ବେଆଇନ ଭାବେ ବୌଦ୍ଧ ମହାନଦୀ ଏବଂ ତେଲନଦୀ  ଗର୍ଭରୁ ବାଲି ଚୋରା ଚାଲାଣ ହେଉଛି । ଟ୍ରାକ୍ଟର, ହାଇଓା ଭଳି ବଡବଡ ଗାଡି ସାହାଯ୍ୟରେ ପଡୋଶୀ ଜିଲ୍ଲାକୁ ହେଉଛି ବାଲି ରପ୍ତାନି । ଆଉ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଥିବା ବେଳେ ମାଲାମାଲ ହେଉଛନ୍ତି ମାଫିଆ ।

ବାଲିମାଫିଆ ମାନେ ସବୁ ନୀତିନିୟମକୁ ଜଳାଞ୍ଜଳି ଦେଇ ଦିନରାତିକୁ ଏକ କରି ଖୁଲମଖୁଲା ଭାବେ ମହାନଦୀ ଏବଂ ତେଲନଦୀ ପଠାରୁ  ଦୈନିକ ଶହଶହ ବାଲି ବୋଝେଇ ଗାଡି ଚାଲାଣ କରୁଛନ୍ତି । କେତେବେଳେ ଶ୍ରମିକ ଲୋଡିଂ କରୁଛନ୍ତି ତ ଆଉ କେତେବେଳେ ହିଟାଜି ମେସିନ ସାହାଯ୍ୟରେ ଲୋଡିଂ ହେଉଛି ବାଲି । ଟ୍ରାକ୍ଟର, ହାଇଓା, ପିକଅପ, ଟ୍ରକ ଭଳି ବଡ ଗାଡି ସାହାଯ୍ୟରେ ନଦୀ ପଠାରୁ ଚୋରି କରି ନିଆଯାଉଛି ବାଲି । ଆଉ ଏହି ବାଲି ଗୁଡିକ ପଡୋଶୀ କନ୍ଧମାଳ, ସୋନପୁର, ନୟାଗଡ ଜିଲ୍ଲାକୁ ରପ୍ତାନୀ କରି ମାଲେମାଲ ହେଉଛନ୍ତି ବାଲି ମାଫିଆ । କଂଟାମାଳ ତେଲନଦୀ ଠାରୁ ଯେ ମହାନଦୀର ମାରାଡ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାର ଗୋଟିଏ ପାଶ୍ୱର୍ରେ ରହିଛି ବାଲିର ସମୁଦ୍ର । ବାଲି ମାଫିଆମାନେ କେଉଁଠି ଗୋଟିଏ  ବାଲିଘାଟର ଟେଣ୍ଡର ମାଧ୍ୟମରେ କାଗଜପତ୍ର କରିଥିବାବେଳେ ୧୦ ରୁ ୧୫ ଟି ନଦୀ ପଠାରୁ ବାଲି ଉଠାଉଛନ୍ତି ତ  ଆଉ କେଉଁ ପଠାରୁ ବିନା ଟେଣ୍ଡରରେ ବାଲି ମାଫିଆ ମାନେ ବାଲି ଉଠାଉଥିବା  ଅଭିଯୋଗ ହୋଇଛି  । ଏପରି ଜିଲ୍ଲାରେ ଶହଶହ ବେଆଇନ ବାଲି ଘାଟରୁ ବାଲି ମାଫିଆମାନେ ଖୁଲମଖୁଲା ବେଆଇନ ବାଲି ଚାଲାଣ କରୁଥିବାବେଳେ ସରକାର ହରାଉଛନ୍ତି କୋଟିକୋଟି ଟଙ୍କାର ରାଜସ୍ୱ । ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ମଧ୍ୟ ସଂପୃକ୍ତି  ଥିବା ଅଭିଯୋଗ ହେବା ସହିତ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ସେଭଳି ବୌଦ୍ଧ ସହରର ମହାନଦୀ ସେତୁ ନିକଟରୁ ମଧ୍ୟ ବେଧଡକ ଭାବେ ଚାଲିଛି ବେଆଇନ ବାଲି ଚୋରାଚାଲାଣ । ଲିଜରେ ନେଇଥିବା  ଜୈନେକ ଠିକାଦାର ନିଦ୍ଦିଷ୍ଟ ପରିମାଣରୁ ମାତ୍ରାଧିକ ପରିମାଣର ବାଲି ଉଠାଇ ଚାଲିଥିବା ବେଳେ ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା । ବାଲିମାଫିଆ ଏବଂ  ପ୍ରଶାସନର ଭିତିରି ବୁଝାମଣା ଯୋଗୁଁ ବାଲି ଉଠାଣ ପାଇଁ ଧାର୍ଯ୍ୟ କରାଯାଇଥିବା ସରକାରୀ ନିତି ନିୟମକୁ ମଧ୍ୟ ଫୁ କରି ଉଡାଇ ଲୁଟୁଛନ୍ତି ବାଲି । କୌଣସି ନଦୀ ପଠାରୁ ବାଲି ଉଠାଇବାକୁ ହେଲେ ପରିବେଶ ମଞ୍ଜୁରି ନିତ୍ୟାନ୍ତ ଜରୁରୀ । ଏଥିସହ ମାଇନ୍ସ ଏବଂ ମିନେରାଲ ଆକ୍ଟ ଅନୁଯାୟୀ ଯେଉଁ ସ୍ଥାନରୁ ବାଲି ଉଠାଣ ହେବ ସେହି ସ୍ଥାନର ଏରିଆ ଓ ବାଲିର ଗଚ୍ଛିତ ପରିମାଣକୁ ଆକଳନ କରି ବାଲି ପରିବହନ କେତେ ହୋଇପାରିବ ତାହାର ରିପୋର୍ଟ କୁ ଭିତ୍ତି କରି ବାଲି ଉଠାଇବାର ନିୟମ ଥିବାବେଳେ ଏଠାରେ  ଏହାର ଖୋଲା ଖୋଲି ଉଲଙ୍ଘନ କରାଯାଉଛି ।  ଆଉ ଏଥିପାଇଁ ନିର୍ଦ୍ଧିଷ୍ଟ ସମୟ ଭିତରେ ହିଁ ବାଲି ଉଠାଣ ହେବା ନେଇ ରହିଛି ନିୟମ ।

ଯେମିତି  କି ଏହି ପଠାରୁ ବାଲି ଉଠାଉଥିବା ଠିକାଦାରଙ୍କ ଲାଇସେନ୍ସ ୮୦୦୦ କ୍ୟୂବିକ୍ ମିଟର ଅର୍ଥାତ୍ ୫୦୦ ଗୋଟି ହାଇୱା ମାପର ବାଲି ଉଠାଇବା କଥା ହେଲେ ଏହାର ଯଥେଷ୍ଟ ଅଧିକା ପରିମାଣରେ  ଚାଲାଣ କରିବା ସହିତ ଆହୁରି  ଯଥେଷ୍ଟ ପରିମାଣରେ ବାଲି ଗଚ୍ଛିତ କରାଯାଇଛି । ଯାହାକି ଏହା କଳାବଜାର ନିମନ୍ତେ ଉଦ୍ଦିଷ୍ଟ ଥିବା ଅଭିଯୋଗ ହୋଇଛି । ପ୍ରଶାସନ ର ନାକ ତଳେ ଯଦି ଏମିତି ତେବେ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ କଣ ହେଉଥିବା ତାହା ସହଜରେ ଅନୁମେୟ । ସରକାରୀ ସବୁ  ନିତିନିୟମ ଦଳିମକଚି ସରକାରଙ୍କ ନାଲିଫିତା ତଳେ ରଖାଯାଇଛି । ଚୋର ଖୋଜୁଛି ଅନ୍ଧାର ରାତି ପରି ବାଲିମାଫିଆମାନେ ବର୍ଷ ସାରା ବାଲି ଚୋରି କରିଚାଲୁଥିବାବେଳେ ଜିଲ୍ଲା ପ୍ରଶାସନ ସବୁ ଜାଣି ଚୁପ ହୋଇ ବସିପଡିବା ଘଟଣାକୁ ବୌଦ୍ଧବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି । ମହାନଦୀ ଓ ତେଲନଦୀ ଶଯ୍ୟା ରୁ ହେଉଥିବା ବାଲି ଚୋରାଚାଲାଣ ଉପରେ କେବେ ଲାଗିବ ରୋକ ? କେବେ ହେବ ବାଲି ମାଫିଆ ଓ ଅସାଧୁ କର୍ମଚାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ତାହା ଉପରେ ରହିଛି ଏବେ ସମସ୍ତଙ୍କ ନଜର ।