ସମୁଦ୍ରର ରହସ୍ୟ ଖୋଜିବ ଭାରତ : ସମୁଦ୍ରର ଜୈବ ବିବିଧତା ବିଷୟରେ ନୂଆ ତଥ୍ୟ ସଂଗ୍ରହ ପାଇଁ ଅଭିଯାନ ଆରମ୍ଭ

194

କନକ ବ୍ୟୁରୋ : ଚନ୍ଦ୍ରଯାନର ଚର୍ଚ୍ଚା ଥମିନଥିବା ବେଳେ ସମୁଦ୍ରଯାନର କଳ୍ପନା କରୁଛି ଭାରତ । ଚନ୍ଦ୍ରଯାନ ଜରିଆରେ ମହାକାଶର ଶିଖରରେ ପହଂଚିବାକୁ ଉଦ୍ୟମ କରୁଥିବା ଭାରତ ସମୁଦ୍ରଯାନ ଜରିଆରେ ସମୁଦ୍ରର ଗଭୀରତାରେ ପାଦ ରଖିବାକୁ ଅଭିଯାନ ଆରମ୍ଭ କରିଛି । ସମୁଦ୍ର ଭିତରେ ଜୈବ ବିବିଧତା ଏବଂ ସମ୍ବଳର ସନ୍ଧାନ ପାଇଁ ସମୁଦ୍ର ଭିତରକୁ ଯିବ ଏହି ଯାନ । ତିନିଜଣ ବିଶେଷଜ୍ଞଙ୍କୁ ନେଇ ଏହି ବୁଡ଼ା ଯାନ ଗଭୀର ସମୁଦ୍ରର ୬ହଜାର ମିଟର ଯାଏଁ ଯାତ୍ରା କରିବ ।

ସମୁଦ୍ରର ଗଭୀର ପାଣି ଭିତରକୁ ଯାଉଥିବା ଏହା ଭାରତର ପ୍ରଥମ ମାନବ ମିଶନ । ଏହି ସମୁଦ୍ର ଅଭିଯାନ ଜୈବ ବିବିଧତା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଉଛି । ୨୦୨୬ ସୁଦ୍ଧା ଏହି ସମୁଦ୍ରଯାନ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଚେନ୍ନାଇରେ ଥିବା ‘ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି’ ଏହି ବୁଡ଼ାଯାନର ପ୍ରସ୍ତୁତ କରିଛି । ଏହି ଯାନର ନାଁ ରଖାଯାଇଛି ‘ମତ୍ସ୍ୟ ୬୦୦୦’ । ସମୁଦ୍ର ଭିତରେ ଏହି ଯାନ ୧୨ ଘଂଟା ଧରି ସ୍ୱାଭାବିକ ଭାବେ ସଂଚାଳିତ ହୋଇପାରିବ । ତେବେ ସୁରକ୍ଷା କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ଏହାର କ୍ଷମତା ୯୬ ଘଂଟା ଯାଏଁ ବଢ଼ାଯାଇପାରିବ ।

କେନ୍ଦ୍ର ସରକାରଙ୍କ ‘ନ୍ୟୁ ଇଣ୍ଡିଆ ମିଶନ’ ଅଭିଯାନକୁ ଆଉ ଗୋଟିଏ ପାଦେ ଆଗକୁ ନେବା ପାଇଁ ଏହି ପରିକଳ୍ପନା କରାଯାଇଥିବା କୁହାଯାଉଛି । ସମୁଦ୍ର ଯାନ ପ୍ରକଳ୍ପ ଜରିଆରେ ୫ ବର୍ଷରେ ୪ହଜାର ୭୭ କୋଟି ଟଙ୍କା ଖର୍ଚ୍ଚ କରାଯିବ । ତେବେ ପର୍ଯ୍ୟାୟକ୍ରମେ ଏହି ଅର୍ଥରାଶି ଖର୍ଚ୍ଚ ହେବ । ଭାରତ ଏହି ମିଶନରେ ସଫଳ ହେଲେ, ବିଶ୍ୱର ହାତଗଣତି ରାଷ୍ଟ୍ରଙ୍କ ମଧ୍ୟରେ ସାମିଲ ହେବ । ଆମେରିକା, ଚୀନ, ରୁଷ୍, ଫ୍ରାନ୍ସ ଓ ଜାପାନ ପୂର୍ବରୁ ସଫଳତାର ସହ ସମୁଦ୍ର ଭିତରକୁ ଯିବାରେ ସଫଳତା ହାସଲ କରିଛନ୍ତି । ଗୁରୁବାର କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ରାଜ୍ୟସଭାରେ ସମୁଦ୍ରଯାନ ସମ୍ପର୍କରେ ସୂଚନା ଦେଇଛନ୍ତି ।