ଡାକ୍ତରଖାନା ପରିତ୍ୟକ୍ତ ଘରେ ପଡିଛି କୁଢ କୁଢ ସାଲାଇନ: ଅଳିଆ ଭଳି ଗଦା ହୋଇଛି ଇଞ୍ଜେକ୍ସନ

193

କନକ ବ୍ୟୁରୋ: ପରିତ୍ୟକ୍ତ ଘରେ ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ, ଇଂଜେକ୍ସନ ଏବଂ ଅନ୍ୟ ସାମଗ୍ରୀ। କିଛି ଏକ୍ସପାଏରୀ ହୋଇଛି ତ ଆଉ କିଛି ଭଲ ଅଛି। ହେଲେ ସାଲାଇନ ଏବଂ ଗୁରୁତ୍ୱପୂର୍ଣ୍ଣ ଇଂଜେକ୍ସନ ସବୁ ପଡିଛି ପରିତ୍ୟକ୍ତ ଘରେ, ତାହା ପୁଣି ଏସବୁ ଉପରେ ବସିଗଲାଣି ଧୂଳି। ଅନୁମାନ କରାଯାଉଛି, ଅନେକ ମାସ ହେବ ଏଠାରେ ପଡ଼ିରହିଛି ଏସବୁ। ଏଭଳି ଏକ ସମ୍ବେଦନଶିଳ ଘଟଣା ସାମ୍ନାକୁ ଆସିଛି ଉଦଳା ଡାକ୍ତରଖାନାରୁ। ଉଦଳା ଡାକ୍ତରଖାନାରେ ଥିବା ଏକ ପରିତ୍ୟକ୍ତ ଘର ଭିତରେ ପଡିଛି କୁଢ଼ କୁଢ଼ ସାଲାଇନ। କେବଳ ସେତିକି ନୁହେଁ ସେଠାରେ ପେଟିରେ ଭର୍ତ୍ତି ହୋଇ ପଡିଛି ଇଂଜେକ୍ସନ। ଯାହାକି ଆଣ୍ଟିବାୟୋଟିକ ଇଂଜେକ୍ସନ ସହିତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଇଂଜେକ୍ସନ, କେବଳ ସେତିକି ନୁହେଁ ସାଲାଇନ ଦେବା ସମୟରେ ବ୍ୟବହୃତ ହେଉଥିବା ଭେନପ୍ଲଗ ସହିତ ପାଇପ ମଧ୍ୟ ପଡିରହିଛି। ସବୁଠାରୁ ବଡ଼କଥା ହେଲା ଏ ସମସ୍ତ ସାଲାଇନ ଏବଂ ଇଂଜେକ୍ସନ ସରକାରୀ । ସାଲାଇନ ଗୁଡିକ ମଧ୍ୟରୁ କିଛି ଗତ ଜାନୁଆରୀ ମାସରେ ଏକ୍ସପାଏର ହୋଇଥିବା ବେଳେ ଆଉ କିଛି ସାଲାଇନ ୨୦୨୩ ମସିହାରୁ ଏକ୍ସପାଏର ହୋଇଛି। କେବଳ ସେତିକି ନୁହେଁ କିଛି ଇଞ୍ଜେକେସନ ଏକ୍ସପାଏର ହୋଇଥିବା ବେଳେ ଆଉ କିଛିର ଏବେ ବି ଅବଧି ରହିଥିଲେ ସୁଦ୍ଧା ତାହାକୁ ଫୋପାଡ଼ି ଦିଆଯାଇଛି। ଏଠାରେ ସିରିଞ୍ଜ ମଧ୍ୟ ଫୋପାଡ଼ି ଦିଆଯାଇଛି। ଦୀର୍ଘ ମାସ ହେବ ଏ ସବୁ ଏପରି ଫୋପଡ଼ା ଯାଇଥିବା ବେଳେ ଏହା ଉପରେ କେମିତି କାହାର ନଜର ପଡି ନାହିଁ। ସରକାରୀ ସାଲାଇନ ଏବଂ ଇଂଜେକ୍ସନକୁ କିଏ ଏବଂ କଣ ପାଇଁ ଏଠାରେ ଫୋପାଡ଼ିଛି ତାହା ସବୁଠାରୁ ବଡ଼ ପ୍ରଶ୍ନ। ତା ଭିତରେ ଗୁରୁତ୍ୱପୂର୍ଣ୍ଣ ଇଂଜେକ୍ସନ ରହିଛି ଯାହାକି ଫୁସଫୁସ ଜନିତ ରୋଗ, ଚର୍ମ ଜନିତ ରୋଗ, ରକ୍ତ ଜନିତ ରୋଗରୁ ନିରାକରଣ ନିମନ୍ତେ ବ୍ୟବହାର ହୋଇଥାଏ। ହେଲେ ଏଭଳି ଗୁରୁତ୍ୱପୂର୍ଣ୍ଣ ଇଂଜେକ୍ସନକୁ ମଧ୍ୟ ଫୋପାଡ଼ି ଦିଆଯାଇଛି।