ଥମିବାରେ ନା ନେଉ ନାହିଁ ସାବରିମାଳା ମନ୍ଦିର ବିବାଦ । ସବରୀମାଳା ସଂରକ୍ଷଣ ସମିତି ଆଜି ଦେଇଛି ୧୨ ଘଣ୍ଟିଆ ବନ୍ଦ ଡାକରା

47

କନକ ବ୍ୟୁରୋ : ସାବରିମାଳା ମନ୍ଦିରକୁ ନେଇ ବିବାଦ ଥମିବାରେ ନା ନେଉ ନାହିଁ । ମହିଳାଙ୍କ ପ୍ରବେଶ ଉପରେ ରୋକ ଲାଗିଥିବା ବେଳେ ମାମଲା ପହଚିଂଥିଲା ସର୍ବୋଚ୍ଚ ନ୍ୟାୟାଳଙ୍କ ପାଖରେ । ତେବେ ମାମଲାର ବିଚାର କରି ପୂର୍ବରୁ ପ୍ରଚଳିତ ପ୍ରଥାକୁ ନିଷିଦ୍ଧ ଘୋଷଣା କରିବା ସହ ମହିଳାଙ୍କୁ ମନ୍ଦିର ପ୍ରବେଶ କରାଇବା ପାଇଁ ଅନୁମତି ଦେଇଥିଲେ । ତେବେ ଏହାପରେ କେରଳର ସାବରିମାଳାରେ ବିବାଦ ବଢିବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ସାବରିମାଳା ସଂରକ୍ଷଣ ସମିତି ଆଜି ରାଜ୍ୟବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ।

 

ଭାରତୀୟ ଜନତା ପାର୍ଟି, ଅନ୍ତର୍ଜାତୀୟ ହିନ୍ଦୁ ପରିଷଦ ଓ ଅନ୍ୟ ସ୍ଥାନୀୟ ସଂଗଠନ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି । ତେବେ ଏହି ବନ୍ଦ ଡାକରା ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ଡକାଯାଇଥିବା ଜଣାପଡିଛି । ତେବେ ଅନ୍ୟପକ୍ଷରେ କଂଗ୍ରେସ ବନ୍ଦ ଡାକରାରେ ସାମିଲ ହୋଇ ନାହିଁ କିନ୍ତୁ ସମଗ୍ର ରାଜ୍ୟରେ ବିରୋଧ ପ୍ରଦର୍ଶନ କରୁଛି ।

 

ରାଜ୍ୟର ନିଲ୍ଲକଲ, ପମ୍ପା, ଏଲଭାକୁଲମ, ସନ୍ନିଧନମରେ ପ୍ରଶାସନ ପକ୍ଷରୁ ଧାରା ୧୪୪ ଲାଗୁ କରି ଦିଆଯାଇଛି । କେରଳ ବିଜେପି ନେତା ଶ୍ରୀଧରନ ପିଲାଇ ଗଣମାଧ୍ୟମକୁ କହିଛନ୍ତି ଭଗବାନ ଅୟପ୍ପାଙ୍କ ଭକ୍ତମାନଙ୍କ ଉପରକୁ ପୋଲିସର ଲାଠିଚାର୍ଜ ବିରୋଧରେ ଦଳର କର୍ମକର୍ତ୍ତାଙ୍କ ଆନ୍ଦୋଳନରେ ଛିଡ଼ା ହେବାକୁ କୁହାଯାଇଛି । ତେବେ ସେଠାକାର ସ୍ଥାନୀୟ ସରକାରଙ୍କୁ ଏହି ମାମଲାରେ ସମାଲୋଚନା କରିବା ସହ ଭକ୍ତମାନଙ୍କ ଉପରେ ଲାଠିଚାର୍ଜକୁ ସହଜରେ ଗ୍ରହଣ କରାଯାଇ ନାହିଁ । ମିଳିଥିବା ସୂଚନା ଅନୁସାରେ ସାବରୀମାଳା ସୁରକ୍ଷା କମିଟି ବନ୍ଦ ଡାକରା ଦେଇଛି ଓ ଅନେକ ରାଜନୈତିକ ଦଳର ମଧ୍ୟ ସମର୍ଥନ ମିଳିଛି । ତେଣୁ ବର୍ତମାନ ସମୟରେ ସ୍ଥାନୀୟ ପ୍ରଶାସନର ଅଡୁଆ ବଢିଥିବା ଜଣାପଡିଛି । ବୁଧବାର ଅନେକ ମହିଳା ଭଗବାନ ଅୟପ୍ପାଙ୍କ ଦର୍ଶନ କରିପାରି ନାହାନ୍ତି । ପ୍ରଦର୍ଶନକାରୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ହୋଇଥିଲା । କିଛି ମହିଳା ସାମ୍ବାଦିକା ପ୍ରଦର୍ଶନକାରୀଙ୍କ ଆକ୍ରୋଶର ଶିକାର ହୋଇଥିଲେ ।