ସାବଧାନ ! ସୋସିଆଲ ମିଡିଆରେ ଘୁରି ବୁଲୁଛି ଆରପିଏଫ୍‌ ନିଯୁକ୍ତି ବିଜ୍ଞାପନ : ଚାକିରି ଆଶାୟୀଙ୍କୁ ଠକିବା ଲାଗି ବୁଲୁଛନ୍ତି ଦଲାଲ୍‌

567

କନକ ବ୍ୟୁରୋ : ରେଳ ସୁରକ୍ଷା ବଳରେ କନଷ୍ଟେବଳ ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ଆବଶ୍ୟକ ଡକ୍ୟୁମେଣ୍ଟ ସହ ଆବେଦନ କରିପାରିବେ । ଏଥିସହ ଆପଣଙ୍କୁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ । ଆବେଦନ ସମୟରେ ୧୦ ହଜାର ଦେବେ। ପରୀକ୍ଷା ବେଳେ ୨୦ ହଜାର ଏବଂ ନିଯୁକ୍ତିପତ୍ର ପାଇବା ବେଳେ ବାକି ୨୦ ହଜାର ଟଙ୍କା ଦେବାକୁ ହେବ । ସତ ହେଉଛି ଏଭଳି କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଚାକିରି ଆଶାୟୀଙ୍କୁ ଠକିବା ଲାଗି ସାମାଜିକ ଗଣମାଧ୍ୟମରେ ଏଭଳି ଜାଲ ବିଛାଇଛନ୍ତି ଦଲାଲ ।

ସାମାଜିକ ଗଣମାଧ୍ୟମ ଏବଂ ୱେବ୍‌ରେ ବାରମ୍ବାର ନ୍ୟୁଜ୍‌ ପ୍ରକାଶ କରୁଛନ୍ତି । ଯିଏ ଏହି ଠକଙ୍କ ହାବୁଡ଼ରେ ପଡ଼ିଲା ସେ ସର୍ବସ୍ବାନ୍ତ ହେଲା । ଓଡ଼ିଶା ସମେତ ସାରା ଦେଶରେ ଏଭଳି ଭାବେ କାୟା ମେଲାଇଛନ୍ତି ଦଲାଲ୍‌। କିଛି ଦିନ ତଳେ ଘଟଣା ରେଳବାଇ ପ୍ରଶାସନ ନଜରକୁ ଆସିବା ପରେ ଯାଞ୍ଚ କରାଯାଇଛି । ରେଳବାଇ ଓ ପ୍ରେସ୍‌ ଇନ୍‌ଫରମେସନ୍ ବ୍ୟୁରୋ ଦ୍ୱାରା ହୋଇଥିବା ତଦନ୍ତ ପରେ ସତ୍ୟତା ସାମ୍ନାକୁ ଆସିଛି । ଦେଖାଯାଇଛି ଯେ ଏହା ସମ୍ପୂର୍ଣ୍ଣ ନକଲି । ଆରପିଏଫ୍ କିମ୍ବା ରେଳବାଇ ଦ୍ୱାରା କୌଣସି ନିଯୁକ୍ତି ବିଜ୍ଞାପନ କିମ୍ବା ବିଜ୍ଞପ୍ତି ପ୍ରକାଶ କରାଯାଇନାହିଁ ।

ସତ୍ୟତା ଜଣାପଡ଼ିବା ପରେ ପୂର୍ବତଟ ରେଳପଥରେ କିମ୍ବା ଆରପିଏଫ୍‌ ଚାକିରି ଯୋଗାଇଦେବାକୁ କହୁଥିବା ଦଲାଲଙ୍କ ଜାଲରେ ନ ପଡ଼ିବା ପାଇଁ ରେଳବାଇ ପକ୍ଷରୁ ଚାକିରି ଆଶାୟୀଙ୍କୁ ନିବେଦନ କରାଯାଇଛି । ନିକଟ ଅତୀତରେ ଏଭଳି ଅନେକ ମାମଲା ରେଳ ପ୍ରଶାସନ ସାମ୍ନାକୁ ଆସିଛି । ତାହାକୁ ନଜରରେ ରଖି ଠକାମିର ଶିକାର ନହେବା ପାଇଁ ରେଳବାଇ ଅନେକ ପଦକ୍ଷେପ ହାତକୁ ନେଇ କ୍ରମାନ୍ୱୟ ଭାବେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏବେ ପୁଣିଥରେ ରେଲୱେ ଚାକିରି ପାଇବାକୁ ଦଲାଲଙ୍କ ଜାଲରେ ଶିକାର ନହେବାକୁ ପରାମର୍ଶ ଦିଆଯାଇଛି। ଯୋଗ୍ୟତା ଓ ପରିଶ୍ରମ ଦ୍ୱାରା ଚାକିରି ପାଆନ୍ତୁ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ।

ରେଳବାଇ ବୋର୍ଡ, ରେଳବାଇ ନିଯୁକ୍ତି ବୋର୍ଡ କିମ୍ବା ରେଳ ମନ୍ତ୍ରଣାଳୟ ନିଯୁକ୍ତି ପାଇଁ କୌଣସି ତୃତୀୟ ପକ୍ଷ ଏଜେଣ୍ଟ କିମ୍ବା ଆଉଟସୋର୍ସିଂ ଏଜେନ୍ସିକୁ ମନୋନୀତ କରାଯାଏ ନାହିଁ । ସର୍ବଦା ରେଳବାଇ ନିଯୁକ୍ତି ବୋର୍ଡ, ରେଳବାଇ ନିଯୁକ୍ତି ସେଲ ଓ ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରନ୍ତୁ । ଖବରକାଗଜ ଓ ଏମ୍ପ୍ଲୟମେଣ୍ଟ ନ୍ୟୁଜରେ ବୋର୍ଡ ଦ୍ୱାରା ପ୍ରକାଶିତ ବିଜ୍ଞାପନ ଅନୁସରଣ କରନ୍ତୁ । କେବଳ ରେଳବାଇର ଅଫିସିଆଲ୍ ୱେବସାଇଟ୍ ଅନୁସରଣ କରନ୍ତୁ। ଯଦି ରେଳବାଇରେ ଚାକିରି ଯୋଗାଇ ଦେବାକୁ କେହି ପ୍ରତିଶ୍ରୁତି ଦେଇ ଲାଞ୍ଚ ମାଗନ୍ତି କିମ୍ବା ଦୁର୍ନୀତି ସମ୍ବନ୍ଧରେ କୌଣସି ସୂଚନା ପାଉଛନ୍ତି ତେବେ ପୂର୍ବତଟ ରେଳପଥର ଭିଜିଲାନ୍ସ ହେଲ୍ପଲାଇନ ନମ୍ବର ୮୪୫୫୮୮୫୦୩୧ରେ ସୂଚନା ଦିଅନ୍ତୁ । ଫଳରେ ରେଳପଥ ପକ୍ଷରୁ ତୁରନ୍ତ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇପାରିବ ।