ରାଉରକେଲା କୋଏଲ ନଦୀରେ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ : କେତେବେଳେ ବି ହୋଇପାରେ ଦୁର୍ଘଟଣା !

34

କନକ ବ୍ୟୁରୋ : ସରକାର ଲୋକମାନଙ୍କ ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି । ସାରା ରାଜ୍ୟରେ ମାଳମାଳ ପୋଲ ନିର୍ମାଣ କରୁଛନ୍ତି । ଅନେକ ସମୟରେ ନଦୀରେ ସ୍କୁଲ ଓ କଲେଜ ପିଲାମାନେ ବୁଡିକି ପ୍ରାଣ ହରାଉଥିବାରୁ ସରକାର ବିପଦପୂର୍ଣ୍ଣ ଯାତ୍ରାରେ ରୋକ ଲଗାଇଛନ୍ତି । ତେବେ ସରକାରଙ୍କ ନୀତିକୁ ପାଣିର ଗାର ଭଳି ଦେଖୁଛନ୍ତି ଦେଶୀ ଡଙ୍ଗା ଚାଳକ । ରାଉରକେଲା ସହରଠାରୁ ମାତ୍ର ଅଳ୍ପ ଦୂରରେ କୁଆଁରମୁଣ୍ଡା ଓ ନୂଆଗାଁ ଅବସ୍ଥିତ । ତେବେ ସହରକୁ ଆସିବାକୁ ହେଲେ ଉଭୟ ଗ୍ରାମର ଲୋକମାନଙ୍କୁ ଡଙ୍ଗାରେ ହିଁ ଆସିବାକୁ ପଡିଥାଏ । କାରଣ ଏଠାରେ କୈାଣସି ପୋଲ ନଦୀରେ ନିର୍ମାଣ କରାଯାଇ ନାହିଁ । ଖରା ଦିନେ ଯାହା ଯେମିତି ଚଳିଯାଏ । ହେଲେ ବର୍ଷାଦିନେ ଯିବା ଆସିବାରେ ଅନେକ ଅସୁବିଧା ହୋଇଥାଏ ଏହା ଗ୍ରାମରେ ରହୁଥିବା ଲୋକମାନଙ୍କର । ଯେଉଁ ସ୍ଥାନରେ ପୋଲ ରହିଛି ତାହା ଗ୍ରାମଠାରୁ ପାଖାପାଖି ୬୦ କିଲୋମିଟର ଦୂରରେ ଅବସ୍ଥିତ ।

 

ତେଣୁ ଲୋକମାନେ ଏତେବାଟ ବୁଲିକି ଯିବାପାଇଁ ଇଚ୍ଛା କରୁନାହାନ୍ତି । ବାଧ୍ୟ ହୋଇ ବିପଦସଙ୍କୁଳ ଅବସ୍ଥାରେ ସେହି ଭରା ନଦୀରେ ଯାତ୍ରା କରୁଛନ୍ତି । ଏହି ଡଙ୍ଗାରେ ଗ୍ରାମର ସମସ୍ତ ଲୋକ ନିର୍ଭର କରନ୍ତି । ତେବେ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ମଧ୍ୟ ଘଟିଛି । ତେବେ ବାରମ୍ବାର ସରକାରଙ୍କ ପାଖରେ ଅଭିଯୋଗ କରିଥିଲେ ମଝ୍ୟ କୈାଣସି ଲାଭ ହୋଇନାହିଁ । ପିଲାମାନେ ପ୍ରତ୍ୟେକ ସମୟରେ ଏପରି ବିପଦ ସଂକୁଳ ଅବସ୍ଥାରେ ଯାତ୍ରା କରୁଛନ୍ତି । ଯାହାକୁ ନେଇ ଅଭିଭାବକ ମାନେ ମଧ୍ୟ ନାରାଜ ଅଛନ୍ତି । ଏହାସହ ଯଦି ସାମାନ୍ୟ ବିଳମ୍ବ ହେଲା ତେବେ ସେହିଦିନ ସ୍କୁଲ ବନ୍ଦ ହେଉଛି । ତେଣୁ ପିଲାମାନଙ୍କର ପାଠପଢାରେ ଅନେକ ବ୍ୟାଘତ ହୋଇଛି ।

 

ତେବେ ସରକାର ବାରମ୍ବାର ବିଚ୍ଛିନ୍ନାଅଞ୍ଚଳକୁ ଯୋଯୋଗ କରିବା ପାଇଁ ଅନେକ ପୋଲ ନର୍ମାଣ କରୁଛନ୍ତି । ହେଲେ ସହର ଭିତରେ ଅତ୍ୟନ୍ତ ଆବଶ୍ୟକୀୟ ଥିବା ପୋଲ ଟିଏ ନିର୍ମାଣ କରିପାରୁନାହାନ୍ତି । ବାରମ୍ବାର କହିବା ପରେ ମଧ୍ୟ କୈାଣସି ନେତାମନ୍ତ୍ରୀ ଶୁଣୁନାହାନ୍ତି ଗ୍ରାମବାସୀଙ୍କ କଥା । ଯଦି ଏଠାରେ ପୋଲ ନିର୍ମାଣ ନକରାଯାଏ ତେବେ କୁଆଁରମୁଣ୍ଡା ଓ ନୁଆଗାଁ ଅଞ୍ଚଳର ଲୋକମାନେ ଆନ୍ଦୋଳନ କରିବା ପାଇଁ ଚେତାବନୀ ମଧ୍ୟ ଦେଇଛନ୍ତି । ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ପୂର୍ବରୁ ଅନେତ ଥର ଡଙ୍ଗାବୁଡି ହୋଇ ଲୋକମାନଙ୍କ ବହୁମୂଲ୍ୟ ଜୀବନ ଯାଇଛି । ତେବେ କେବେ ପୋଲ ନିର୍ମାଣ ହେବ ତାହା ଉପରେ ସମସ୍ତଙ୍କର ନଜର ।