ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ୍ ପଡିଲେ ରୋହିତ ଶର୍ମା, କେ ଏଲ ରାହୁଲ ହେଲେ କ୍ୟାପଟେନ୍ । ଦଳରେ ସାମିଲ ହେଲେ ୪ ନୂଆ ଖେଳାଳି । ଜାଣନ୍ତୁ, କିଏ କିଏ…

247

କନକ ବ୍ୟୁରୋ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଆହତ ଜନିତ ସମସ୍ୟା କାରଣରୁ ପ୍ରଥମ ଟେଷ୍ଟରୁ ବାଦ୍ ପଡିଛନ୍ତି କ୍ୟାପଟେନ୍ ରୋହିତ ଶର୍ମା । ବିସିସିଆଇ ପ୍ରଥମ ଟେଷ୍ଟ ପାଇଁ ଦଳରୁ ରୋହିତଙ୍କୁ ବାହାରେ ରଖିଥିବାବେଳେ, କେ ଏଲ ରାହୁଲଙ୍କ ଅଧିନାୟକ ଦାୟିତ୍ୱ ଦେଇଛି । ଅନ୍ୟପଟେ ଟେଷ୍ଟ ସ୍ପେଶିଆଲିଷ୍ଟ ଚିତେଶ୍ୱର ପୂଜାରା ପ୍ରଥମ ଟେଷ୍ଟ ପାଇଁ ଦଳର ଉପ-ଅଧିନାୟକ ନିଯୁକ୍ତ ହୋଇଛନ୍ତି ।

ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ । ଯାହାକି ଆସନ୍ତା ଡିସେମ୍ବର ୧୪ ତାରିଖରୁ ଆରମ୍ଭ ହେବ । ବିସିସିଆଇ ଏନେଇ ରବିବାର ଟୁଇଟ୍ କରିବା ସହିତ ସମସ୍ତ ସୂଚନା ଦେଇଛି । ଯେଉଁଥିରେ ରୋହିତ ଶର୍ମା ଆହତ ଜନିତ ସମସ୍ୟା କାରଣରୁ ଦଳରୁ ବାଦ୍ ପଡିଥିବା କୁହାଯାଇଛି ।

ରୋହିତ ଶର୍ମା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳିବେ କି ନାହିଁ ତାହା ମେଡିକାଲ ଟେଷ୍ଟ ପରେ ଜଣାପଡିବ । ବିସିସିଆଇର ମେଡିକାଲ ଟିମ୍ ଏନେଇ ନିଷ୍ପତ୍ତି ନେବା ପରେ ରୋହିତ ଦ୍ୱିତୀୟ ଟେଷ୍ଟ ଖେଳିବେ କି ନାହିଁ ତାହା ଜଣାପଡିବ । ତେବେ ପ୍ରଥମ ଟେଷ୍ଟ ପାଇଁ ସିଲେକ୍ସନ କମିଟି ଅଭିମନ୍ୟୁ ଇଶ୍ୱରନଙ୍କୁ ଦଳରେ ସ୍ଥାନ ଦେଇଛି ।

ଅନ୍ୟପଟେ ଆହତ ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସାମିଙ୍କ ସ୍ଥାନରେ ଦଳରେ ନବଦୀପ ସୈନୀ ଓ ସୌରଭ କୁମାରଙ୍କୁ ସାମିଲ କରାଯାଇଛି । ସେହିପରି ଚୟନ କମିଟି ଦ୍ରୁତ ବୋଲର ଜୟଦେବ ଉନାଦକତଙ୍କୁ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳରେ ସ୍ଥାନ ଦେଇଛି ।

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ

କେ ଏଲ ରାହୁଲ (ଅଧିନାୟକ), ଶୁଭମନ୍ ଗିଲ, ଚିତେଶ୍ୱର ପୂଜାରା (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟାସ ଆୟର, ରିଷଭ ପନ୍ତ, କେ ଏସ ଭରତ, ରବିଚନ୍ଦ୍ରନ ଅଶ୍ୱିନୀ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ଉମେଶ ଯାଦବ, ଅଭିମନ୍ୟୁ ଇଶ୍ୱରନ୍, ନବଦୀପ ସୈନୀ, ସୌରଭ କୁମାର, ଜୟଦେବ ଉନାଦକତ ।