ତ୍ରିକୋଣୀୟ ପ୍ରେମରୁ ହତ୍ୟା । କଟକରେ ନିଖୋଜ ଯୁବକଙ୍କୁ ନୟାଗଡରେ ହତ୍ୟା ସନ୍ଦେହ । 

238

କନକ ବ୍ୟୁରୋ: ପରକୀୟା ପ୍ରେମରୁ ହତ୍ୟା । କଟକରେ ନିଖୋଜ ଯୁବକଙ୍କୁ ନୟାଗଡ଼ାରେ ହତ୍ୟା ସନ୍ଦେହ । ପରକୀୟା ପ୍ରେମ କେତେ ଭୟଙ୍କର ରୂପ ନେଇପାରେ ତାର ଏକ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ମହୀପୁର ଅଞ୍ଚଳରେ । ସ୍ତ୍ରୀ ଅନ୍ୟ ଜଣଙ୍କ ପ୍ରେମରେ ପଡିବା ପରେ ପ୍ରେମିକକୁ ଜୀବନରୁ ହଟାଇ ଦେଇଛି ସ୍ୱାମୀ । ଏଭଳି ଅଭିଯୋଗର ତଦନ୍ତ କରୁଛି ନୟାଗଡ଼ ପୁଲିସ । ଅଭିଯୁକ୍ତ ସ୍ୱାମୀ ଫେରାର ଥିବା ବେଳେ ନିଖୋଜ ଯୁବକଙ୍କୁ ଖୋଜୁଛି ପୁଲିସ ।

  • କଟକରେ ପ୍ରେମ, ନୟାଗଡ଼ରେ ହତ୍ୟା!
  • ପରକୀୟ ପ୍ରୀତିକୁ ନେଇ ହତ୍ୟା ଅଭିଯୋଗ
  • ନୟାଗଡ଼ରେ ନିଖୋଜ ଯୁବକକୁ ଖୋଜୁଛି ପୁଲିସ

ନୟାଗଡ଼ ନୂଆଗାଁ ଥାନା ମହିପୁର ଅଞ୍ଚଳରେ ପୁଲିସ୍ କରୁଛି ଛାନଭିନ୍ । ଏହି ଛାନଭିନ୍ ପଛରେ ରହିଛି, କଟକର ଶୈଳେନ୍ଦ୍ର ଜେନା ନିଖୋଜ ଘଟଣା । ସ୍ୱାମୀ ନିଖୋଜ ହୋଇଯିବା ନେଇ ପ୍ରଥମେ କଟକ ଲାଲବାଗ୍ ଥାନା ଏବଂ ପରେ ନୂଆଁ ଗାଁ ଥାନାରେ ଶୈଳେନ୍ଦ୍ରଙ୍କ ସ୍ତ୍ରୀ ଅଭିଯୋଗ କରିବା ପରେ ପୁଲିସ ତତ୍ପରତା ପ୍ରକାଶ କରିଛି ।

ସୂଚନା ଅନୁସାରେ, ମହିପୁର ଅଞ୍ଚଳର ଦୀପୁ ସାହୁ, ତାଙ୍କ ପତ୍ନୀଙ୍କୁ ନେଇ କଟକରେ ରହି ଦହିବରା ବ୍ୟବସାୟ କରୁଥିଲେ । ଏହି ସମୟରେ ଶୈଳେନ୍ଦ୍ର ଜେନାଙ୍କ ସହ ଦୀପୁର ପରିଚୟ ହୋଇଥିଲା । ଏହି ଚିହ୍ନା ପରିଚୟ ଭିତରେ ଦୀପୁଙ୍କ ସ୍ତ୍ରୀଙ୍କୁ ଭଲ ପାଇ ବସିଥିଲେ ଶୈଳେନ୍ଦ୍ର । ଏହା ଜାଣିପାରିବା ପରେ ସ୍ତ୍ରୀକୁ ନେଇ ଫେରି ଆସିଥିଲେ ଦୀପୁ । ହେଲେ ଗାଁକୁ ଫେରି ଆସିବା ପରେ ବି ଦୀପୁଙ୍କ ସ୍ତ୍ରୀ ଶୈଳେନ୍ଦ୍ରେଙ୍କ ସହ ଫୋନରେ ଯୋଗାଯୋଗରେ ରହୁଥିବା ଅଭିଯୋଗ ହୋଇଥିଲା । ଏମିତି କି ମଝିରେ ମଝିରେ ଗାଁକୁ ଆସି ଭେଟୁଥିଲେ । ଗତ ଡିସେମ୍ବର ୩ ତାରିଖ ଦୀପୁଙ୍କ ସ୍ତ୍ରୀକୁ ଭେଟିବାକୁ ଆସି ଆଉ ଫେରିନଥିଲେ ଶୈଳେନ୍ଦ୍ର । ଏନେଇ ଥାନାରେ ଅଭିଯୋଗ ହେବା ପରେ ଦୀପୁର ଜଣେ ସହଯୋଗୀକୁ ଗିରଫ କରିଛି ପୁଲିସ୍ । ହେଲେ ଦୀପୁ ଏବଂ ତାଙ୍କ ବାପା ଫେରାର ଅଛନ୍ତି ।

ତେବେ ସୂଚନା ଅନୁସାରେ ଶୈଳେନ୍ଦ୍ରଙ୍କ ହତ୍ୟା ହୋଇଥିବା ପୁଲିସ୍ ଆଗରେ ଦୀପୁର ସହଯୋଗୀ ସ୍ୱୀକାର କରିଥିବା ଜଣାପଡ଼ିଛି । ଏହି ଘଟଣା ନେଇ ଆସନ୍ତାକାଲି ବିସ୍ତୃତ ତଥ୍ୟ ଦିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି ।