ରୋହିତଙ୍କ ମାଷ୍ଟରଷ୍ଟ୍ରୋକ । ଧୋନୀ ଓ କୋହଲିଙ୍କୁ ପଛରେ ପକାଇଲେ, ଅଧିନାୟକ ଭାବେ ନୂଆ ରେକର୍ଡ ନିଜ ନାଁରେ କଲେ ।

276

କନକ ବ୍ୟୁରୋ : ରୋହିତ ଶର୍ମା ୩ଟି ଫର୍ମାଟରେ ଅଧିନାୟକ ଦାୟିତ୍ୱ ତୁଲାଇବା ପରେ ଭାରତୀୟ କ୍ରିକେଟ ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ ନିଜ ନାଁରେ କରିଚାଲିଛି । ପ୍ରତିଦିନ ଭାରତର ବିଜୟ ଗ୍ରାଫ୍ ଉପରକୁ ବଢୁଛି । ରୋହିତ ଶର୍ମା ୨୦୧୭ ପରଠାରୁ ଏବେ ପର୍ଯ୍ୟନ୍ତ ୩୫ଟି ମ୍ୟାଚର ନେତୃତ୍ୱ ନେଇଥିବା ବେଳେ ୨୯ଟି ମ୍ୟାଚରେ ବିଜୟୀ ହୋଇଛି । ଆଉ ରୋହିତଙ୍କ ନେତୃତ୍ୱରେ ୬ଟି ମୁକାବିଲାରେ ପରାଜିତ ହୋଇଛି ଟିମ୍ ଇଣ୍ଡିଆ ।

ସେହିଭଳି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସର୍ବାଧିକ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେଇଛନ୍ତି । ଆଉ ଧୋନୀଙ୍କ ନେତୃତ୍ୱରେ ଭାରତ ସର୍ବାଧିକ ମ୍ୟାଚ୍ ବିଜୟ ହାସଲ କରିଛି । କୋହଲିଙ୍କ ନେତୃତ୍ୱରେ ଭାରତ ୨୦୧୭ରୁ ୨୦୨୧ ମଧ୍ୟରେ ୫୦ଟି ମ୍ୟାଚ୍ ଖେଳିଥିବା ବେଳେ ୩୦ ମୁକାବିଲାରେ ବିଜୟ ହାସଲ କରିଛି । ଏହି ୨ ଜଣଙ୍କ ପରେ ରୋହିତ ଶର୍ମା ଅଧିନାୟକ ଭାବେ ଟିମ୍ ଇଣ୍ଡିଆକୁ ଅଧିକ ବିଜୟ ଭେଟି ଦେଇଛନ୍ତି । ତେବେ ଖୁବ୍ କମ ସମୟ ମଧ୍ୟରେ ବି ଧୋନୀ ଓ କୋହଲିଙ୍କୁ ପଛରେ ପକାଇ ନିଜ ନାଁରେ ନୂଆ ରେକର୍ଡ କରିଛନ୍ତି ରୋହିତ ଶର୍ମା । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ମ୍ୟାଚ୍ ବିଜୟ ହାସଲ କ୍ଷେତ୍ରରେ ଧୋନୀ ଓ କୋହଲିଙ୍କୁ ପଛରେ ପକାଇଛନ୍ତି ରୋହିତ ।

ଏହାପୂର୍ବରୁ ଅଧିନାୟକ ଭାବେ ୨୦୧୬ ମସିହାରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୫ଟି ମ୍ୟାଚରେ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ । ସେହିଭଳି କୋହଲିଙ୍କ ନେତୃତ୍ୱରେ ୨୦୧୮ରେ ୧୪ଟି ମ୍ୟାଚ୍ ଜିତିଥିଲା ଭାରତ । କିନ୍ତୁ ରୋହିତ ଉଭୟ ପୂର୍ବତନ ଅଧିନାୟକଙ୍କୁ ଏ କ୍ଷେତ୍ରରେ ପଛରେ ପକାଇଛନ୍ତି । ରୋହିତଙ୍କ ନେତୃତ୍ୱରେ ଭାରତ ୨୦୨୨ରେ ୧୬ ମ୍ୟାଚ ଜିତିଛି । ଏବେ ମଧ୍ୟ କ୍ୟାଲେଣ୍ଡର ବର୍ଷ ଶେଷ ହେବାକୁ ଆଉ କିଛି ମାସ ବାକି ରହିଛି । ତେଣୁ ମ୍ୟାଚ ବିଜୟ ତାଲିକାରେ ଆଉ କିଛି ମ୍ୟାଚ୍ ଯୋଡି ହୋଇପାରେ ।