ପରିବା ପରେ ଚାଉଳ ଚିନ୍ତା: ବଢିବାରେ ଲାଗିଛି ଚାଉଳ ଦର, ଚିନ୍ତାରେ ମଧ୍ୟବିତ୍ତ ପରିବାର

515

କନକ ବ୍ୟୁରୋ: କେବଳ ପରିବା ବଜାର ନୁହେଁ ଚାଉଳ ଦୋକାନ ଯିବାକୁ ଭୟ କଲେଣି ଗ୍ରାହକ । ମାତ୍ର କିଛି ଦିନ ଭିତରେ ଚାଉଳ ଦର ଉପର ମୁହାଁ ହେବାରେ ଲାଗିଛି । ଉଭୟ ଉଷୁନା ଓ ଅରୁଆ ଚାଉଳ ଦାମ ବଢିଚାଲିଛି । କ୍ୱିଂଟାଲ ପିଛା ଚାଉଳ ଦର ୭ଶହରୁ ଅଧିକ ଟଙ୍କା ଯାଏଁ ବୃଦ୍ଧି ପାଇଛି । କିଲୋ ପିଛା ୫ ଟଙ୍କାରୁ ୮ ଟଙ୍କା ବଢିଛି । ଏଭଳି ସ୍ଥିତିରେ, ମଧ୍ୟବିତ ପରିବାରକୁ ଚିନ୍ତାରେ ପକାଇଛି ଚାଉଳ ଦର ।

ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ହେଉଛି ଓଡ଼ିଶା । କିନ୍ତୁ ଦରରେ ମାଡ଼ ଖାଉଛନ୍ତି ମଧ୍ୟବିତ । ଦୁଇ ମାସରୁ ଅଧିକ ସମୟ ହେଲା କମନ୍ ଗ୍ରେଡ ଚାଉଳ କ୍ୱିଂଟାଲ ପିଛା ୩ହଜାର ୩ଶହ ଟଙ୍କାରେ ବିକ୍ରି ହେଉଛି । କୃଷି ବିଭାଗର ସୂଚନା ଅନୁସାରେ ୨୦୦୦ ମସିହାରେ ଓଡ଼ିଶାରେ ବାର୍ଷିକ ୪୬ ଦଶମିକ ୧୪ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉତ୍ପାଦନ ହେଉଥିଲା । ୨୦୨୨ରେ ଏହା ଅଢ଼େଇ ଗୁଣ ବୃଦ୍ଧି ପାଇ ୧୧୫ଲକ୍ଷ ମେଟ୍ରିକ ଟନ୍ରେ ପହଂଚିଛି । ପୂର୍ବରୁ ହେକ୍ଟର ପ୍ରତି ୧୦ ଦଶମିକ ୪୧ କ୍ୱିଂଟାଲ ଚାଉଳ ଉତ୍ପାଦନ ହେଉଥିଲା । କିନ୍ତୁ ବତ୍ତମାନ ଏହା ୨୯ ଦଶମିକ ୦୯ କ୍ୱିଂଟାଲରେ ପହଂଚିଛି । ସ୍ଥିତି ଏଭଳି ଯେ ଓଡ଼ିଶା ପଡ଼ୋଶୀ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ତାମିଲନାଡ଼ୁକୁ ଚାଉଳ ପଠାଉଛି । କିନ୍ତୁ ରାଜ୍ୟରେ ଚାଉଳ ଦର ଏକାଥରକେ ୭ଶହ ଟଙ୍କା ବୃଦ୍ଧି ପାଇଥିଲେ ମଧ୍ୟ ଏହା ନିୟନ୍ତ୍ରଣ ହେବାର ନାଁ ଧରୁନି ।

ଏଫସିଆଇର ସୂଚନା ଅନୁସାରେ ଦର ନିୟନ୍ତ୍ରଣ କରିବା ପାଇଁ ଏଫସିଆଇ ପକ୍ଷରୁ ଖୋଲା ବଜାରରେ ବଳକା ଧାନ ଏବଂ ଗହମ ବିକ୍ରି ହେବ । ୧୭ଟି କେନ୍ଦ୍ରରେ ଅତିରିକ୍ତ ୨୧ ହଜାର ୨ଶହ ମେଟ୍ରିକ ଟନ୍ର ଗହମ ଏବଂ ୧୦ହଜାର ମେଟ୍ରିକ ଟନ୍ର ଧାନ ଇ-ନିଲାମ ମାଧ୍ୟମରେ ବିକ୍ରି ହେବ । ତେବେ ଦେଖିବାର କଥା ଶସ୍ତା ଓ ସୁବିଧାରେ କେବେ ଚାଉଳ ପାଇବେ, ବଳଜା ରାଜ୍ୟର ଜନତା ।